ରାମ ମନ୍ଦିର ପରିସର ଭିତରେ ଓ ବାହାରେ ଆଉ ନିର୍ମାଣ ହେବ ୧୩ଟି ମନ୍ଦିର: ସ୍ବାମୀ ଗୁରୁଦେବ ଗିରି

ଅଯୋଧ୍ୟା: ଅଯୋଧ୍ୟାକୁ ବୈଶ୍ବିକ ଆଧ୍ୟାତ୍ମିକ ପର୍ଯ୍ୟଟନ କରିବା ପାଇଁ ବ୍ୟାପକ ବ୍ୟବସ୍ଥା କରାଯାଇଛି ଏବଂ ସେଥିଲାଗି ରାମ ମନ୍ଦିର ପରିସର ଭିତରେ ଓ ବାହାରେ ଅନ୍ୟୂନ ଆହୁରି ୧୩ଟି ମନ୍ଦିର ନିର୍ମାଣ କରାଯିବ ବୋଲି ‘ଏନ୍‌ଡିଟିଭି’ ରିପୋର୍ଟ କରିଛି।

ରିପୋର୍ଟରେ ଉଲ୍ଲେଖ ଅଛି, ୧୩ଟି ମନ୍ଦିରରୁ ୬ଟି ରାମ ମନ୍ଦିର ବେଢ଼ା ବା ପରିସର ଭିତରେ ଓ ୭ଟି ବାହାରେ ନିର୍ମାଣ କରାଯିବ।

ଯୋଜନା ସଂକ୍ରାନ୍ତରେ ବିସ୍ତୃତ ବିବରଣୀ ଦେଇ ‘ରାମ ଜନ୍ମଭୂମି ତୀର୍ଥ କ୍ଷେତ୍ର ଟ୍ରଷ୍ଟ୍‌’ର କୋଷାଧ୍ୟକ୍ଷ ସ୍ବାମୀ ଗୁରୁଦେବ ଗିରି କହିଛନ୍ତି, ମୁଖ୍ୟ ମନ୍ଦିର ନିର୍ମାଣ ଶେଷ କରିବା ସମେତ ସମସ୍ତ ପ୍ରକଳ୍ପର କାର୍ଯ୍ୟ ଆଗେଇ ଚାଲିଛି।

ସୋମବାର ଦିନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କଦ୍ବାରା ଉଦ୍‌ଘାଟିତ ହୋଇଥିବା ମୁଖ୍ୟ ମନ୍ଦିରର କେବଳ ପ୍ରଥମ ମହଲା ନିର୍ମାଣ ଶେଷ ହୋଇଛି। ଦ୍ବିତୀୟ ମହଲାର ନିର୍ମାଣ କାର୍ଯ୍ୟ ଚାଲିଛି। ତା’ରେ ମନ୍ଦିରର ଶିଖର ନିର୍ମାଣ କରାଯିବ।

ସେହିପରି, ରାମଙ୍କ ପରିବାରର ଆଉ ୫ଟି ପ୍ରମୁଖ ମନ୍ଦିର ନିର୍ମାଣ କାର୍ଯ୍ୟ ମଧ୍ୟ ଚାଲିଛି। ପ୍ରଭୁ ରାମଙ୍କୁ ବିଷ୍ଣୁଙ୍କ ଅବତାର ବୋଲି ବିବେଚନା କରାଯାଉଥିବାରୁ ଏଠାରେ ପ୍ରଭୁ ଗଣପତି, ଶିବ, ସୂର୍ଯ୍ୟଦେବ ଓ ଦେବୀ ଜଗଦମ୍ବାଙ୍କ ମନ୍ଦିର ରହିବ। ଏହି ମନ୍ଦିର ସବୁ ମୁଖ୍ୟ ମନ୍ଦିରର ଚାରି କୋଣରେ ରହିବ। ପ୍ରଭୁ ରାମଙ୍କର ପରମ ଭକ୍ତ ହନୁମାନଙ୍କ ଲାଗି ପୃଥକ୍‌ ମନ୍ଦିର ନିର୍ମାଣ କରାଯିବ। ସେ ସବୁ ମନ୍ଦିରଗୁଡ଼ିକର ନିର୍ମାଣ କାର୍ଯ୍ୟ ଦ୍ରୁତ ଗତିରେ ଚାଲିଛି ଓ ସେଥିରେ ବିଗ୍ରହ ସ୍ଥାପନା ସରିଲାଣି। ସୀତା ରୋ‌ଷେଇ ବୋଲି କୁହାଯାଉଥିବା ସ୍ଥାନରେ ନିର୍ମାଣ ହେବ ଦେବୀ ଅନ୍ନପୂର୍ଣ୍ଣାଙ୍କ ମନ୍ଦିର ବୋଲି ସେ କହିଛନ୍ତି।

ସେ ଆହୁରି ମଧ୍ୟ କହିଛନ୍ତି, ମନ୍ଦିର ପରିସର ବାହାରେ ନିର୍ମାଣ ହେବ ଆଉ ୭ଟି ମନ୍ଦିର। ସେସବୁକୁ ପ୍ରଭୁ ରାମଙ୍କ ସଂସ୍ପର୍ଶରେ ଆସିଥିବା ବ୍ୟକ୍ତିମାନଙ୍କ ପ୍ରତି ଉତ୍ସର୍ଗ କରାଯିବ। ସେମାନେ ହେଉଛନ୍ତି, ଋଷି ବାଲ୍ମୀକି, ବଶିଷ୍ଠ, ବିଶ୍ବାମିତ୍ର, ଦେବୀ ଶବରୀ ଓ ରାମଙ୍କ ପାଇଁ ପ୍ରାଣ ଦେଇଥିବା ପ୍ରକାଣ୍ଡ ପକ୍ଷୀ ଜଟାୟୁ।

Comments
Loading...