ରେଳ ଷ୍ଟେସନ ବାହାରେ ମିଳିବ ଶସ୍ତା ଚାଉଳ- ଅଟା

ନୂଆଦିଲ୍ଲୀ: ସୋସିଆଲ ମିଡ଼ିଆରେ କେତେକ ଭିଡିଓ ଦେଖିବାକୁ ମିଳିଥାଏ। ଯେଉଁଥିଲେ କିଛି ମହିଳା ମୁମ୍ବାଇ ଲୋକାଲ ଟ୍ରେନରେ ସିଟ୍ ଉପରେ ବସି ପନିପରିବା କାଟୁଛନ୍ତି। ବାସ୍ତବରେ, ମୁମ୍ବାଇ, କୋଲକାତା, ଚେନ୍ନାଇ, ଦିଲ୍ଲୀ ଭଳି ସହରରେ ଲୋକଙ୍କ ପାଖରେ ସମୟ ବହୁତ କମ୍ ଥାଏ। ସେମାନଙ୍କୁ ଘରୁ ଅଫିସ ଏବଂ ଯାତ୍ରା କରିବାକୁ ଘଣ୍ଟା ଘଣ୍ଟା ବିତାଇବାକୁ ପଡିଥାଏ। ସମୟର ସଫଳ ଉପଯୋଗ କରିବା ପାଇଁ, କିଛି ଲୋକ ରେଳ ଷ୍ଟେସନ ନିକଟରେ ଥିବା ରାସ୍ତାକଡ଼ ବିକ୍ରେତାମାନଙ୍କଠାରୁ ପନିପରିବା କିଣନ୍ତି ଏବଂ ଟ୍ରେନରେ ବସିଥିବା ସମୟରେ ଏହାକୁ କାଟି ଦିଅନ୍ତି।

ବର୍ତ୍ତମାନ ସେମାନେ ରେଳ ଷ୍ଟେସନ ପାଖରେ ଅଟା ଏବଂ ଚାଉଳ କିଣି ପାରିବେ। ଏହାର ଅନୁମତି ରେଳ ମନ୍ତ୍ରଣାଳୟ ପକ୍ଷରୁ ପ୍ରଦାନ କରାଯାଇଛି। ଦୈନନ୍ଦିନ ଜୀବନ ସହ ସଂଘର୍ଷ କରୁଥିବା ଲୋକଙ୍କ ପାଇଁ ରେଳ ବୋର୍ଡ ଏକ ନିଷ୍ପତ୍ତି ନେଇଛି। ଦେଶର ମନୋନୀତ ରେଳ ଷ୍ଟେସନରେ ଚାଉଳ ଏବଂ ଅଟା ବିକ୍ରିକୁ ନେଇ ଏହା ଏକ ବଡ଼ ଯୋଜନା।

ପାଇଁ କେନ୍ଦ୍ର ଉପଭୋକ୍ତା ବ୍ୟାପାର ମନ୍ତ୍ରଣାଳୟ ଭାରତ ଚାଉଳ ଏବଂ ଭାରତ ଅଟା ବିକ୍ରି ଆରମ୍ଭ କରିଥିଲେ। ଭାରତ ଅଟା ଦର କିଲୋଗ୍ରାମ ପିଛା ୨୭.୫୦ଟଙ୍କା ଥିବାବେଳେ ଭାରତ ଚାଉଳର ମୂଲ୍ୟ କିଲୋଗ୍ରାମ ପିଛା ୨୯ ଟଙ୍କା ହେବ। ରେଳ ଷ୍ଟେସନରେ ମଧ୍ୟ ଏବେ ଏହି ଅଟା ଏବଂ ଚାଉଳ ବିକ୍ରି କରିବାର ଯୋଜନା କରାଯାଇଛି।

ଏହାକୁ ପାଇଲଟ୍ ପ୍ରୋଜେକ୍ଟ ଭାବରେ ଚଳାଇବାକୁ ରେଳ ବୋର୍ଡ ନିଷ୍ପତ୍ତି ନେଇଛି। ପ୍ରାରମ୍ଭରେ ଏହାକୁ ୩ ମାସ ପାଇଁ ଆରମ୍ଭ କରାଯିବ। ଯଦି ଏହି ଯୋଜନା ସଫଳ ହୁଏ ତେବେ ଏହା ସବୁଦିନ ପାଇଁ କାର୍ଯ୍ୟକାରୀ ହେବ। ଏହା ଅନ୍ତର୍ଗତ ମନୋନୀତ ଷ୍ଟେସନରେ ଏକ ଭ୍ୟାନ୍ ପାର୍କିଂ କରାଯିବ, ଯେଉଁଥିରେ ଶସ୍ତା ଚାଉଳ ଏବଂ ଅଟା ସନ୍ଧ୍ୟାରେ ଦୁଇ ଘଣ୍ଟା ପର୍ଯ୍ୟନ୍ତ ବିକ୍ରି ହେବ ।

ଚାଉଳ ଏବଂ ଅଟା ଦର ସରକାର ସ୍ଥିର କରିବେ। ଅର୍ଥାତ୍ ସେଠାରେ ଇଚ୍ଛାଧୀନ ଦର ଚାର୍ଜ କରାଯାଇପାରିବ ନାହିଁ। ଏହି ପରିପ୍ରେକ୍ଷୀରେ ରେଳ ବୋର୍ଡର ପାସେଞ୍ଜର ମାର୍କେଟିଂ ବିଭାଗର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ନୀରଜ ଶର୍ମାଙ୍କ ତରଫରୁ ସମସ୍ତ ଜୋନାଲ ରେଳର ମୁଖ୍ୟ ମୁଖ୍ୟ ବାଣିଜ୍ୟ ପରିଚାଳକଙ୍କୁ ଏକ ଚିଠି ପଠାଯାଇଛି। ଜୋନାଲ ରେଳବାଇ ଦ୍ୱାରା ଡିଆରଏମକୁ ଦାୟିତ୍ବ ଦିଆଯାଇଛି । ଡିଆରଏମ ଏହି ଯୋଜନାକୁ ସେମାନଙ୍କ ସ୍ତରରେ କାର୍ଯ୍ୟକାରୀ କରିବେ। ରେଳ ଷ୍ଟେସନରେ କେଉଁ ଏଜେନ୍ସିକୁ ଦାୟିତ୍ବ ଦିଆଯିବ ସେ ନେଇ ବିଚାର ବିମର୍ଷ କରାଯାଉଛି। ଅତି କମରେ ଏଜେନ୍ସି ୩ ମାସ କାମ କରିବ।

Comments
Loading...