ଗାଁ ରେ ଜଳୁନି ବିଜୁଳି ବତୀ ଦିର୍ଘ ବର୍ଷ ଧରି ଅନ୍ଧାରରେ ଅଞ୍ଚଳବାସୀ

ଦେବଗଡ଼ (କୋଶଲ ନ୍ୟୁଜ୍):- ଦୁର୍ଗମ ଇଲାକାରେ ଫେଲ ମାରିଛି ସରକାରଙ୍କ ସୌଭାଗ୍ୟ ଯୋଜନା । ଜଳୁନି ଗାଁ ଗାଁରେ ଲାଗିଥିବା ସୌରଚାଳିତ ବିଜୁଳିବତୀ । ବର୍ଷ ବର୍ଷ ହେଲାଣି ଘନ ଅନ୍ଧକାର ଭିତରେ ଦିନ କାଟୁଛନ୍ତି ଦୁର୍ଗମ ପାର୍ବାତ୍ୟାଞ୍ଚଳବାସୀ । ସନ୍ଧ୍ୟା ହେଲେ ଅନ୍ଧାରରେ ବୁଡୁଛି ୪ ଖଣ୍ଡ ଗାଁ । ଏକମାତ୍ର ସାହାରା କହିଲେ ଡିବିରି ଆଲୁଅ ଭରଷା । ଫଳରେ ସବୁବେଳେ ହିଂସ୍ର ବନ୍ୟଜନ୍ତୁଙ୍କ ଭୟ ଲାଗି ରହୁଛି । ଏଭଳି ସ୍ଥିତି ଦେଖିବାକୁ ମିଳିଛି ଦେବଗଡ଼ ଜିଲ୍ଲା ତିଳେଇବଣି ବ୍ଲକ କଂସର ପଞ୍ଚାୟତରେ ।
ଦେବଗଡ଼ ଜିଲ୍ଲା କଂସର ପଞ୍ଚାୟତ ଅନ୍ତର୍ଗତ ଦୁର୍ଗମ ପାହାଡ ପର୍ବତ ଘେରା ଅଞ୍ଚଳରେ ରହିଛି ଖଜୁରିଖମଣ, ଜଗଦଳା , ଟେଲଭାଙ୍ଗୁଣି ଓ ଭଙ୍ଗାମୁଣ୍ଡା ଆଦି ଚାରୋଟି ଗ୍ରାମ । ଏହି ଗ୍ରାମରେ ବସବାସ କରୁଛନ୍ତି ପ୍ରାୟ ୧୫୦ଟି ପରିବାର । ଏହି ଗାଁ ଗୁଡିକ ପାହାଡ଼ ଶୀର୍ଷରେ ଅବସ୍ଥିତ ଥିବାରୁ ଏଠାରେ ଏ ଯାଏଁ ଗାଁକୁ ପହଞ୍ଚି ପାରିନି ବିଦ୍ୟୁତ ସେବା । ସେହି ଦୃଷ୍ଟିରୁ ଗ୍ରାମବାସୀଙ୍କୁ ବିକଳ୍ପ ବିଦ୍ୟୁତ ସେବା ଯୋଗାଇ ଦେବା ଲକ୍ଷ୍ୟରେ ଆଜକୁ ୫ ବର୍ଷ ହେଲା ସରକାର ସୌଭାଗ୍ୟ ଯୋଜନା ମାଧ୍ୟମରେ ପ୍ରତି ଗାଁକୁ ସୋଲାର ଶକ୍ତି ଜରିଆରେ ବିଦ୍ୟୁତକରଣ କରାଯାଇଥିଲା ।

ପ୍ରତି ପରିବାରକୁ ଯୋଗାଇ ଦିଆଯାଇଥିଲା ସୌରଚାଳିତ ବିଜୁଳିବତୀ (solar light) । ଓଡ଼ିଶା ଅକ୍ଷୟ ଶକ୍ତି ବିକାଶ ସଂସ୍ଥା ପକ୍ଷରୁ ଏହି ବିଦ୍ୟୁତକରଣ କାର୍ଯ୍ୟ କରାଯାଇଥିଲା । ମାତ୍ର ପରିତାପର ବିଷୟ ଯେ, କିଛି ମାସ ଧରି ଏହି ସୋଲାର ବିଦ୍ୟୁତ ଜଳିବା ପରେ ପୁଣି ଗାଁ ଅନ୍ଧାର ହୋଇଯାଇଥିଲା । ଦୀର୍ଘ ଦିନ ହେଲାଣି ଗାଁରେ ଲାଗିଥିବା ସୋଲାର ଲାଇଟଗୁଡିକ ଅଚଳ ହୋଇପଡିଛି । ରକ୍ଷଣାବେକ୍ଷଣ ଅଭାବରୁ ସମସ୍ତ ଉପକରଣ ପରିତ୍ୟକ୍ତ ଭାବେ ପଡିରହି ମାଟିରେ ମିଶି ଗଲାଣି । ସମ୍ପୃକ୍ତ ସଂସ୍ଥା ବିଦ୍ୟୁତକରଣ ଦାୟିତ୍ୱ ସମ୍ପାଦନ କରିଦେଇ ଏହାର ରକ୍ଷଣାବେକ୍ଷଣ ଓ ମରାମତି କାର୍ଯ୍ୟକୁ ଯେପରି ସମ୍ପୂର୍ଣ୍ଣ ରୂପେ ଭୁଲି ଯାଇଛି । ଫଳରେ ଉକ୍ତ ଗ୍ରାମଗୁଡିକରେ ସରକାରଙ୍କ ଏହି ଯୋଜନା ପୁରାପୁରି ଫେଲ୍ ମାରିଛି ।ପାହାଡ଼ ଓ ବଣ ଜଙ୍ଗଲ ପରିବେଷ୍ଠିତ ଏହି ଗ୍ରାମରେ ବସବାସ କରୁଥିବା ଲୋକେ ଦୀର୍ଘ ଦିନ ହେଲା ସୋଲାର ବିଦ୍ୟୁତସେବା ପାଇବାରୁ ବଞ୍ଚିତ ରହି ଘନ ଅନ୍ଧକାର ମଧ୍ୟରେ ଦିନ କାଟୁଛନ୍ତି । ପ୍ରତି ମୁହୂର୍ତ୍ତରେ ହିଂସ୍ର ବନ୍ୟଜନ୍ତୁଙ୍କ ଭୟ ରହୁଛି । ପିଲାମାନେ ପାଠ ପଢି ପାରୁନାହାନ୍ତି । ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ଗ୍ରାମବାସୀ । ଏହି ସମସ୍ୟା ସମ୍ପର୍କରେ ବାରମ୍ବାର କର୍ତ୍ତୃପକ୍ଷଙ୍କୁ ଜଣାଇ ଆସୁଥିଲେ ସୁଦ୍ଧା କୌଣସି ସୁଫଳ ମିଳିପାରୁନି । ଦୁର୍ଗମ ଅଞ୍ଚଳକୁ ଅଣଦେଖା କରି ଚାଲିଛନ୍ତି ଓଡ଼ିଶା ଅକ୍ଷୟ ଶକ୍ତି ବିକାଶ କର୍ତ୍ତୃପକ୍ଷ ଓ ଜିଲ୍ଲା ପ୍ରଶାସନ । ସୌଭାଗ୍ୟ ଯୋଜନା ମାଧ୍ୟମରେ ପ୍ରତି ପରିବାରକୁ ବିଦ୍ୟୁତ ସେବା ଯୋଗାଇ ଦିଆଯାଉଥିବା ନେଇ ଜୋରସୋରରେ ପ୍ରଚାର ଚଳାଇଛନ୍ତି ସରକାର । ହେଲେ ଏହି ଦୁର୍ଗମ ଅଞ୍ଚଳର ସ୍ଥିତି ଦେଖିଲେ ସରକାରଙ୍କ ଏହି ଯୋଜନା କେବଳ ପ୍ରଚାର
ସର୍ବସ୍ୱ ହୋଇରହିଛି ।

ପ୍ରଭାସିନୀ ନାୟକ ଙ୍କ ରିପୋର୍ଟ କୋଶଳ ନ୍ୟୁଜ୍

Comments
Loading...