ଭତ୍ତା ଆବାସରୁ ବଞ୍ଚିତ ୧୭ ବର୍ଷ ଧରି ବିଧବା ମନ ଶବର

ଦେବଗଡ଼ (କୋଶଲ ନ୍ୟୁଜ୍):- ଗରିବ ଲୋକେ ପକ୍କାଘରେ ରହିବେ ଏଥିପାଇଁ ସରକାର କାର୍ଯ୍ୟକାରୀ କରିଛନ୍ତି ଆବାସ ଯୋଜନା। ସେହିପରି ବୃଦ୍ଧବୃଦ୍ଧା ବିଧବା ଭିନ୍ନକ୍ଷମଙ୍କୁ ଭତ୍ତା ପ୍ରଦାନ ପାଇଁ ସରକାର ବ୍ୟବସ୍ଥା କରିଛନ୍ତି ଅନେକ ଯୋଜନା । କିନ୍ତୁ ବିଭାଗୀୟ ଅଧିକାରୀଙ୍କ ଅବହେଳାରୁ ଅନେକ ସ୍ଥାନରେ ଗରିବ ଲୋକଙ୍କ ପାଖରେ ଏହି ଯୋଜନା ପହଞ୍ଚି ପାରୁନି ଯୋଜନା ହେଉଛି ବାଟବଣା। ଦେବଗଡ଼ ଜିଲ୍ଲା ରିଆମାଳ ବ୍ଲକ ଖିଲେଇ ପଞ୍ଚାୟତ ଅନ୍ତର୍ଗତ ତଲେଇସର ଗ୍ରାମର ଜଣେ ଅସହାୟ ୧୭ ବର୍ଷ ତଳେ ସ୍ବାମୀଙ୍କୁ ହରାଇଥିବା ବିଧବା ମନ ଶବରଙ୍କୁ ଏହାର ଉଦାହରଣ ଭାବେ ନିଆଯାଇ ପାରେ । ସୂଚନା ଅନୁଯାୟୀ ମନ ଶବରଙ୍କ ସ୍ବାମୀ ସ୍ବର୍ଗତ ପିତବାସ ଶବର ଗତ ୧୭ ବର୍ଷ ତଳେ ପ୍ରାଣ ହରାଇଛନ୍ତି। ବର୍ତ୍ତମାନ ପର ଘରେ ମୂଲ ଲାଗି ପେଟ ପୋଷୁଛନ୍ତି ଅସହାୟ ମନ ଶବର। ଅସହାୟ ମନ ଶବରଙ୍କ ଏକମାତ୍ର ପୁଅ ମାନସିକ ରୋଗରେ ପିଡୀତ କୁଆଡେ ପୁଅ ମଧ୍ୟ କିଛି ଦିନ ଆଗରୁ ଚାଲିଗଲା ଯେ ବିଧବା ଅସହାୟ ମାଆ ମନ ଶବର କାନ୍ଦି କାନ୍ଦି ପୁଅର ଫେରିବା ବାଟକୁ ଅନାଇଁ ବସିଛି। ଅନେକ ଖୋଜାଖୋଜି କରି ଆଖପାଖ ଗାଁ ରେ ପୁଅକୁ ନ ପାଇ ଧକ୍କି ପଡ଼ିଲାଣି ଅସହାୟ ମାଆ ମନ ଶବର। ପେଟକୁ ଦାନା ଯୋଗାଡ଼ ପାଇଁ ପାଖରେ ଅର୍ଥ ନାହିଁ। କେହି ଗଣ୍ଡେ ଦେଲେ ଖାଉଛନ୍ତି ନ ହେଲେ ଖାଡା ଉପାସ ରହିବାକୁ ପଡୁଛି। ସେ ରହୁଥିବା ଝାଟିମାଟି କୁଡ଼ିଆ ଘରେ ସାମାନ୍ୟ ବର୍ଷାରେ ବି ଘର ଭିତରେ ପାଣି ପଶିଯାଉଛି । ତାଙ୍କ ଅବସ୍ଥା ଦେଖିଲେ ସରକାରୀ ଯୋଜନା ବିଜୁ ପକ୍କାଘର ପ୍ରଧାନମନ୍ତ୍ରୀ ଆବାସ ଯୋଜନା କାହାପାଇଁ ବୋଲି ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହେଉଛି। ଅସହାୟ ମନ ଶବରଙ୍କ କହିବା ଅନୁସାରେ ତାଙ୍କୁ ବିଧବା ଭତ୍ତା ଓ ଆବାସ ଯୋଜନାରୁ ଘର ଖଣ୍ଡିଏ ଯୋଗାଇ ଦେବାକୁ ସ୍ଥାନୀୟ ସରପଞ୍ଚଙ୍କ ଠାରୁ ଆରମ୍ଭ କରି ବ୍ଲକ ପ୍ରଶାସନକୁ ବାରମ୍ବାର ଗୁହାରି କରିଛନ୍ତି। ମାତ୍ର କେହି ତାଙ୍କ ଦୁଃଖ ଶୁଣିନଥିବା କହିଛନ୍ତି। ତାଙ୍କୁ ବିଧବା ଭତ୍ତା ଓ ଆବାସ ଯୋଜନାରେ ପକ୍କାଘର ଖଣ୍ଡିଏ ଯୋଗାଇ ଦେବାକୁ ଆମ ଗଣମାଧ୍ୟମ ଆଗରେ ସରକାର ଙ୍କୁ ଅନୁରୋଧ କରିଛନ୍ତିି। ଦେଖିବାକୁ ବାକି ରହିଲା ଖବର ପ୍ରସାରଣ ପରେ ଅସହାୟ ଗରିବ ମନ ଶବର ଙ୍କ ପାଖରେ ସରକାରୀ ଯୋଜନା କେବେ ପହଞ୍ଚୁଛି।

ରିପୋର୍ଟ: ନିଲେଶ ଅନିରୁଦ୍ଧ ନାୟକ (ଦେବଗଡ଼)

Comments
Loading...