ଜ଼ିଲ୍ଲା ଶିଶୁ ସୁରକ୍ଷା ବିଭାଗ ପକ୍ଷରୁ ୧୫୦ ଛାତ୍ର ଛାତ୍ରୀଙ୍କୁ ଆର୍ଥିକ ସହାୟତା ପ୍ରଦାନ

ଦେବଗଡ଼ (କୋଶଲ ନ୍ୟୁଜ୍) ଆଜି ଜ଼ିଲ୍ଲାପାଳ ସୋମେଶ ଉପାଧ୍ୟାୟଙ୍କ ଅନୁମୋଦନ ଓ ନିର୍ଦେଶ କ୍ରମେ , ଜ଼ିଲ୍ଲା ଶିଶୁ ସୁରକ୍ଷା ବିଭାଗ ପକ୍ଷରୁ ମୋଟ ୧୫୦ ଜଣ ଗରିବ ଛାତ୍ର ଛାତ୍ରୀଙ୍କୁ ବିଭିନ୍ନ ଯୋଜନାରୁ ଆର୍ଥିକ ସହାୟତା ପ୍ରଧାନ କରାଯାଇଛି I ଜ଼ିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ରୋମିଓ ମହାପାତ୍ରଙ୍କ ସୂଚନା ଅନୁଯାଇ , ବୈଷୟିକ ଶିକ୍ଷା ଗ୍ରହଣ କରୁଥିବା ମୋଟ ୬୦ ଜଣ ଗରିବ ଓ ମେଧାବୀ ଛାତ୍ରଛାତ୍ରୀଙ୍କୁ ୯୦୦୦ ଟଙ୍କା ଲେଖାଏଁ ଆର୍ଥିକ ସହାୟତା , ଶିଶୁ ଗୃହର କନ୍ୟା ଅନ୍ତେବାସୀଙ୍କୁ ୨୦୦୦ ଟଙ୍କା ଲେଖାଏଁ ଓ ଜାତୀୟ ସ୍ତର କ୍ରୀଡା ପ୍ରତିଯୋଗିତାରେ ପୁରସ୍କୃତ ହୋଇଥିବା ବାଳିକାଙ୍କୁ ୫୦୦୦ ଟଙ୍କା ପ୍ରୋତ୍ସାହନ ରାଶି , ଜ଼ିଲ୍ଲା ଶିଶୁ ସୁରକ୍ଷା ବିଭାଗ ପକ୍ଷରୁ ରାଜ୍ୟ ସରକାରଙ୍କର “ବିଜୁ ଶିଶୁ ସୁରକ୍ଷା ଯୋଜନା”ରୁ  ପ୍ରଦାନ କରାଗଲା I

ଆଜି ଜ଼ିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଶ୍ରୀ ମହାପାତ୍ର ଓ ସୁରକ୍ଷା ଅଧିକାରୀ ଚିନ୍ମୟ ସ୍ୱାଇଁ  ବାରକୋଟ ସ୍ଥିତ ସରକାରୀ ଶିଳ୍ପ ତାଲିମ ଅନୁଷ୍ଠାନକୁ  ଯାଇ ଅନୁଷ୍ଠାନର ଅଧକ୍ଷ ସାମା ଓରାମଙ୍କ ଉପସ୍ଥିତିରେ ପିଲାମାନଙ୍କୁ ଏହି ସହାୟତା ରାଶିର ବ୍ୟାଙ୍କ ପତ୍ର ପ୍ରଦାନ କରିଥିବା ଜଣାଯାଇଛି I  ସେହି ପରି ଜ଼ିଲ୍ଲାପାଳ ଶ୍ରୀ ଉପାଧ୍ୟାୟଙ୍କ ଅନୁମୋଦନ କ୍ରମେ  ପିତାମାତାଙ୍କୁ ହରେଇ ଥିବା ଶିଶୁ , ଦୁରାରୋଗ୍ୟରେ ପୀଡିତ ଥିବା ପିତାମାତାଙ୍କ ଶିଶୁ ତଥା ଜେଲରେ ସଶ୍ରମ କାରାଦଣ୍ଡ ଭୋଗୁ ଥିବା ବନ୍ଦୀମାନଙ୍କ ଅବହେଳିତ ଶିଶୁମାନଙ୍କ ପାଠ ପଢା ଓ ଯତ୍ନ ପାଇଁ   ଜ଼ିଲ୍ଲା ଶିଶୁ ସୁରକ୍ଷା ବିଭାଗ ପକ୍ଷରୁ କେନ୍ଦ୍ର ସରକାରଙ୍କ “ମିଶନ ବାତ୍ସଲ୍ୟ” ଯୋଜନାରୁ ମୋଟ ୯୦ ଜଣ ଶିଶୁଙ୍କୁ ଚୟନ କରି ମାସିକ ୪୦୦୦ ଟଙ୍କା ହିସାବରେ ମୋଟ ଆଠ ମାସ ପାଇଁ ମୋଟ ୨୮ ଲକ୍ଷ ଟଙ୍କାର ଆର୍ଥିକ ସହାୟତା ପ୍ରଦାନ କରାଗଲା ବୋଲି ବିଭାଗୀୟ ସୂତ୍ରରୁ ପ୍ରକାଶ I ଏହି ପୃଷ୍ଠପୋଷକତା ରାଶି ଏହି ପିଲାମାନଙ୍କୁ ପାଠ ପଢା ପାଇଁ ଆଗକୁ ମଧ୍ୟ ପ୍ରଦାନ କରାଯିବ ବୋଲି ଜ଼ିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ସୂଚନା ଦେଇଛନ୍ତି I

Comments
Loading...