ତୁମୁଡିବନ୍ଧ ମୁଖ୍ୟ ବଜାର ପାଇଁ ଆବର୍ଜନା ସ୍ଥଳ ପାଲଟିଛି ଚିରସ୍ରୋତା ଟୁରି ନାଳ

ତୁମୁଡିବନ୍ଧ(କୋଶଲ ନ୍ୟୁଜ):- ତୁମୁଡିବନ୍ଧ ଅଞ୍ଚଳର ବହୁ ପ୍ରାଚୀନ ଚିରସ୍ରୋତା ଟୁରିନାଳ ବର୍ତମାନ ତୁମୁଡିବନ୍ଧ ମୁଖ୍ୟ ବଜାରରେ ରହିଥିବା ସମସ୍ତ ବ୍ୟବସାୟିକ ଦୋକାନ ପାଇଁ ଡଷ୍ଟବିନ / ଆବର୍ଜନା ସ୍ଥଳ ପାଲଟିଛି l ଏକଦା ପ୍ରକୃତି ରାଣୀର ଅବଦାନ ଚିରସ୍ରୋତା ଏହି ଟୁରିନାଳ ଖରିଫ ଓ ରବି ଋତୁରେ ଅଞ୍ଚଳର ଚାଷଜମିରେ ଜଳ ସେଚନରେ ସହାୟକ ହୋଇଆସୁଥିଲା l ଡଙ୍ଗରପଦର, ଝରିଆପଦା, ଓଡ଼ିଆସାହି, ବୁଡ଼ାପଡ଼ା, ବଜାରସାହି ଏବଂ ମହୁଲଭୁରି ଇତ୍ୟାଦି ଗ୍ରାମର ଶତାଧିକ ଚାଷୀଙ୍କ ପରିବାର କୁ ଖାଦ୍ୟ ଯୋଗାଇ ଆସୁଥିଲା ଏହି ଟୁରି ନାଳର ପାଣି l କିନ୍ତୁ ବର୍ତମାନ କ୍ରମଶଃ ସଂକୁଚିତ ଓ ପ୍ରଦୂଷିତ ହେବାକୁ ବସିଛି l ଅନ୍ୟ କୌଣସି ବିକଳ୍ପ ଜଳସେଚନ ବ୍ୟବସ୍ଥା ନଥିବାରୁ ଏହି ନାଳ ପାଣି ଉପରେ ନିର୍ଭର କରିଆସୁଥିବା ହଜାର ହଜାର ଏକର ଚାଷ ଜମି ବର୍ଷ ବର୍ଷ ଧରି ବର୍ତମାନ ଚାଷ ବିହୁନେ ପଡ଼ିଆ ହୋଇ ରହିଆସୁଛି l ଜନସଂଖ୍ୟା ବୃଦ୍ଧି କାରଣରୁ ଏହି ଛୋଟ ନଦୀକୁ ସଂକୁଚିତ କରି ଅବାଧରେ ଗୃହ ନିର୍ମାଣ ଓ ପାଇଖାନା ସଂଯୋଗ ହୋଇଆସିଛି l ଅନ୍ୟପଟେ ତୁମୁଡିବନ୍ଧ ମୁଖ୍ୟ ବଜାର ଦେଇ ବହିଆସିଥିବା ଏହି ନାଳରେ ବଜାରର ସମସ୍ତ ଜଳଖିଆ ଦୋକାନ, ପନିପରିବା ଦୋକାନ, ଟେସିନାରୀ, ବହି, ସେଲୁନ, ଥଣ୍ଡା ପାନୀୟ ଓ ଚିକେନ ପୋକଡା ଇତ୍ୟାଦି ଦୋକାନରୁ ଦୈନନ୍ଦିନ ସମସ୍ତ ଅଳିଆ ଆବର୍ଜନା, ପଲିଥିନ, ପ୍ଲାଷ୍ଟିକ ବୋତଲ ସବୁ ପକାଇଆସୁଛନ୍ତି l ଅଳିଆ ଆବର୍ଜନା ଜମିବା ଫଳରେ ନିଅଣ୍ଟିଆ ଜଳ ପ୍ରଦୂଷିତ ହେବା ସହିତ ଦୁର୍ଗନ୍ଧରେ ଫାଟି ପଡୁଛି ବଜାର l ସ୍ଥାନୀୟ ପଞ୍ଚାୟତ କିମ୍ବା ବ୍ଲକ ପ୍ରଶାସନ ଏହି ନାଳ ନର୍ଦମା ସଫେଇ ପ୍ରତି ଧ୍ୟାନ ଦେଉନଥିବା ବୁଦ୍ଧିଜୀବୀ ଅଭିଯୋଗ କରିଛନ୍ତି l ଯଥାଶୀଘ୍ର ଏହି ଟୁରିନାଳ ଜଳ ନିଷ୍କାସନ ଓ ସଫେଇ କରି ଏହିଭଳି ପ୍ରଦୂଷଣକୁ ରୋକିବା ଜନିତ ପଦକ୍ଷେପ ନେବା ପାଇଁ ସ୍ଥାନୀୟ ପ୍ରଶାସନ ନିକଟରେ ଅଞ୍ଚଳବାସୀ ଦାବୀ କରିଛନ୍ତି l
ରିପୋର୍ଟ :- ପବିତ୍ର ଦିଗାଳ

Comments
Loading...