ଭାରତ ସମେତ ବିଶ୍ବବ୍ୟାପୀ ଡାଉନ ହେଲା ଫେସବୁକ୍, ଇନଷ୍ଟାଗ୍ରାମ୍ –

ନୂଆଦିଲ୍ଲୀ: ସୋସିଆଲ ମିଡିଆ ପ୍ଲାଟଫର୍ମ ଫେସବୁକ ଏବଂ ଇନଷ୍ଟାଗ୍ରାମ ମଙ୍ଗଳବାର ରାତିରେ (୫ ଫେବୃଆରୀ ୨୦୨୪) ହଠାତ୍ ଡାଉନ ହୋଇଯାଇଛି । ଏପରିକି ୟୁଜରମାନଙ୍କ ଫେସବୁକ ଓ ଇନଷ୍ଟାଗ୍ରାମ୍ ଆକାଉଣ୍ଟ ହଠାତ୍ ଲଗଆଉଟ୍ ହୋଇଯାଉଛି । ତେବେ ଫେସବୁକରେ ଲୋକମାନେ ଅଧିକ ସମସ୍ୟାର ସମ୍ମୁଖୀନ ହେଉଛନ୍ତି।

ଡାଉନଡିଟେକ୍ଟର ଓ୍ବେବସାଇଟର ରିପୋର୍ଟ ଅନୁସାରେ ଏହି ଅଚଳାବସ୍ଥା ପୂର୍ବ ଆମେରିକୀୟ ସମୟ (ଇଟି) ସକାଳ ୧୦ଟା (ଭାରତୀୟ ସମୟ ସଂଧ୍ୟା ସାଢେ ୭ଟା)ରେ ଆରମ୍ଭ ହୋଇଥିଲା । ଫେସବୁକ ଓ ଇନଷ୍ଟା ଡାଉନ ଥିବା ମେଟା ପକ୍ଷରୁ ସ୍ବୀକାର କରାଯିବା  ସହ ସ୍ବାଭାବିକ କରିବାକୁ ଉଦ୍ୟମ କରାଯାଉଛି ବୋଲି କୁହାଯାଇଛି ।

ଫେସବୁକ ଏବଂ ଇନଷ୍ଟାଗ୍ରାମ ହଠାତ୍ ଡାଉନ ହେବାକୁ ନେଇ ଲକ୍ଷ ଲକ୍ଷ ୟୁଜର୍ସ ଅସନ୍ତୁଷ୍ଟ ଅଛନ୍ତି । ଏହା ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ #facebookdown ଟ୍ରେଣ୍ଡ ହେବାରେ ଲାଗିଛି । ୟୁଜର୍ସ ନିଜ ଅଭିଯୋଗ ସହିତ ମଜାଳିଆ ପ୍ରତିକ୍ରିୟା ମଧ୍ୟ ଦେଉଛନ୍ତି ।

ଏହା ପ୍ରଥମ ଥର ନୁହେଁ ଯେ ମେଟା କମ୍ପାନୀ ମାଲିକାନାରେ ଥିବା ସୋସିଆଲ ମିଡିଆ ପ୍ଲାଟଫର୍ମ ଫେସବୁକ ଏବଂ ଇନଷ୍ଟାଗ୍ରାମ ଡାଉନ ହୋଇଯାଇଛି । ପୂର୍ବରୁ ବି ଅନେକ ଥର ଫେସବୁକ ଡାଉନ ହେବାର ନଜିର ରହିଛି । ତେବେ ମାଇକ୍ରୋବ୍ଲଗିଂ ସାଇଟ୍ ଏକ୍ସ ଏବେ ସ୍ବାଭାବିକ ଭାବେ ଚାଲିଛି ।

Comments
Loading...