ରାସ୍ତା ନାହିଁ ତ ଭୋଟ ନାହିଁ,ରାସ୍ତା ଦିଅ ଭୋଟ ନିଅ,ବେନର ମାଧ୍ୟମରେ ପ୍ରତିବାଦ କଲେ ୭ଖଣ୍ଡ ଗ୍ରାମବାସୀ

ଲାଞ୍ଜିଗଡ଼,(କୋଶଲ ନ୍ୟୁଜ୍):କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ମାଳମାଳ ଯୋଜନା ସତ୍ୱେ ମଧ୍ୟ ଏବେବି ଆଦିବାସୀ ଅଧ୍ୟୁଷିତ ଉପାନ୍ତ ଅଞ୍ଚଳରେ ଅନେକ ଗୁଡ଼ିଏ ଗାଁ ରହିଛି ଯାହାକି ଏବେବି ମାଟି ରାସ୍ତା ଖଣ୍ଡିଏ ମଧ୍ୟ ପହଞ୍ଚି ପାରିନାହିଁ। ଏହା କୁ ନେଇଁ କିଛି ଦିନ ତଳେ ଲାଞ୍ଜିଗଡ ବ୍ଲକ ଉପାନ୍ତ ଅଞ୍ଚଳ ଲାଖବାହାଳି ପଞ୍ଚାୟତର ୭ଟି ଗାଁ ଲୋକେ ଏକତ୍ରିତ ହୋଇ ବୈଠକ କରି ଭୋଟ ବର୍ଜନ ପାଇଁ ନିଷ୍ପତି ନେଇଁଥିଲେ ଓ ଚଳିତ ମାସ ୩୦ ତାରିଖ ଭିତରେ ସମସ୍ୟାର ସମାଧାନ କରାଯାଉ ବୋଲି ପ୍ରସାଶନକୁ କଡ଼ା ଚେତାବନୀ ଦେଇଥିଲେ। ତେବେ ପ୍ରଶାସନ ଏବେ ଯାଏଁ କୌଣସି ପଦକ୍ଷେପ ନ ନେବାରୁ ଲାଞ୍ଜିଗଡ଼ ପଞ୍ଚାୟତ ସମିତି ମୁଖ୍ୟ କାର୍ଯ୍ୟାଳୟ ବିଶ୍ୱନାଥପୁର ଛକ ସମେତ ବିଭିନ୍ନ ସ୍ଥାନରେ ବେନର ଲଗାଇ ରାସ୍ତା ନାହିଁ ତୋ ଭୋଟ ନାହିଁ ବୋଲି ପ୍ରତିବାଦ କରିଛନ୍ତି ବାରୀଗୁଡ଼ା,ପଟାଙ୍ଗ ପଦର, ସାନ ଖାଲଗୁଡ଼ା,ସିରକିଝୋଲା,ପଣସ ଗୁଡ଼ା,ଥୁଆନାଲ ସମେତ ସୋରଗୁଡ଼ା ଗାଁ ଲୋକେ।

ଏହି ସାତ ଖଣ୍ଡ ଗାଁ ଲୋକେ ରାସ୍ତା ପାଇଁ ବାରମ୍ବାର ଅଭିଯୋଗ କଲାପରେ ମଧ୍ୟ ନା ଶୁଣିଲା ପ୍ରଶାସନ ନା ଶୁଣିଲେ ରାଜ ନେତା। ଫଳରେ ଅନେକ ସମୟରେ ବିଭିନ୍ନ ସମସ୍ୟା ଦେଇ ଗତି କରୁଛନ୍ତି ସାତ ଟି ଗାଁ ଲୋକେ। ତେବେ ବାରମ୍ବାର ରାସ୍ତା ପାଇଁ ପ୍ରଶାସନ ପାଖରେ ଗୁହାରି କରି ଆସୁଥିଲେ ମଧ୍ୟ କୌଣସି ସଫଳତା ନ ମିଳିବାରୁ ଅଞ୍ଚଳରେ ଅସନ୍ତୋଷ ଦେଖା ଯିବା ସହ ସାଧାରଣ ନିର୍ବାଚନ ପୂର୍ବରୁ ବେନର ଲଗାଇ ପ୍ରତିବାଦ କରୁଥିବା ଚିତ୍ର ସାମ୍ନାକୁ ଆସୁଛି। ଉକ୍ତ ସାତ ଖଣ୍ଡ ଗାଁଲୋକେ ଏବେ ବ୍ଲକ ମୁଖ୍ୟାଳୟ ବିଶ୍ୱନାଥପୁର ଛକ ଠାରୁ ଆରମ୍ଭ କରି ବ୍ଲକ ଅଞ୍ଚଳର ବିଭିନ୍ନ ସ୍ଥାନରେ ରାସ୍ତା ନାହିଁ ତ ଭୋଟ ନାହିଁ ବୋଲି ବେନରରେ ଉଲ୍ଲେଖ କରି ପୋଷ୍ଟର ମାରିଥିବା ବେଳେ ସେହି ପୋଷ୍ଟରକୁ ଦେଖି ବିଭିନ୍ନ ରାଜନୈତିକ ଦଳକୁ ଛନକା ପସିବା ସମେତ ଅଞ୍ଚଳର ବିଭିନ୍ନ ଚାଖଟିରେ ଚର୍ଚ୍ଚାର କେନ୍ଦ୍ର ବିନ୍ଦୁ ପାଲଟିଛି। ତେବେ ବିଭିନ୍ନ ରାଜନୈତିକ ଦଳ ଏହି ଗାଁକୁ କେଉଁ ମୁଦ୍ଦା ନେଇଁ ଭୋଟ ପ୍ରଚାର ପାଇଁ ଯିବ ନା ଗାଁ ମୁଣ୍ଡରୁ ବେନର ଦେଖି ଛାନିଆଁ ହେଇ ଫେରିବ। ହେଲେ ଅନେକ ବୁଦ୍ଧିଜୀବୀ ମହଲରେ ରାଜନୈତିକ ଉଷ୍ମତା ଓ ଅଞ୍ଚଳର ବିକାଶ କୁ ନେଇଁ ଚର୍ଚ୍ଚା ହେଉଥିବା ବେଳେ ଏଥର ବିଧାୟକ ଓ ସାଂସଦ ପ୍ରାର୍ଥୀଙ୍କୁ ମହଙ୍ଗା ପଡ଼ିପାରେ ବୋଲି ଅଞ୍ଚଳରେ ଚର୍ଚ୍ଚା ଜୋର ଧରିଛି। ତେବେ ଆଗାମୀ ସାଧାରଣ ନିର୍ବାଚନରେ ଉକ୍ତ ୭ଗୋଟି ଗାଁର ଜନତା ଜନାର୍ଦନ କାହା ମୁଣ୍ଡରେ ସୁନା କଳସି ଢାଳୁଛନ୍ତି ତାହା ଦେଖିବାକୁ ବାକି ରହିଲା।

Comments
Loading...