କେନାଲ ଭୁଶୁଡି ଜଳ ମଗ୍ନ ହେବା ପରେ ତତ୍ପରତା ଦେଖାଇ ସୁଧାର ଆଣିବା ପାଇଁ ମରାମତି କାର୍ଯ୍ୟ ଆରମ୍ଭ କଲା ପ୍ରଶାସନ

କଲମପୁର – ୦୫/୦୩ ସବୁ ଠିକ୍ ଠାକ୍ ଥିଲା । ସ୍ୱାଭାବିକ ପରିସ୍ଥିତିରେ ନିଜ ନିଜ କାମ ସାରି ଲୋକେ ନିଘୋଡ଼ ନିଦରେ ଶୋଇଥିବା ବେଳେ, ଅଚାନକ ପ୍ରବଳ ସ୍ରୋତରେ ଗାଁ ମୁହାଁକୁ ପାଣି ମାଡ଼ି ଆସିଲା । ଲୋକେ କିଛି ବୁଝିବା ପୂର୍ବରୁ ଚାଷ ଜମି ଜଳମଗ୍ନ ହେବା ସହ ଘରେ ଘରେ ପାଣି ପଶିଗଲା । ଏ ଥିଲା ସୋମବାର ବିଳମ୍ବିତ ରାତିର ଘଟଣା । କେନାଲ ଭୁଶୁଡ଼ି ଥିବା ଚାରିଆଡ଼େ ରାତାରାତି ଖବର ପହଞ୍ଚିବା ପରେ ପ୍ରସାସନିକ ମହଲରେ ତତ୍ପରତା ଦେଖା ଦେଇଥିଲା । କଳାହାଣ୍ଡି ଜିଲ୍ଲା, କଲମପୁର ବ୍ଲକ ଦେପୁର ଠାରେ ଇନ୍ଦ୍ରାବତୀ ଡାହାଣ କେନାଲ ଭାଗିଥିବା ସ୍ଥାନକୁ ପ୍ରସାସନିକ ଅଧିକାରୀ ମାନଙ୍କ ସୁଅ ଛୁଟିଥିଲା । ଧନ ଜୀବନକୁ ବଞ୍ଚାଇବା ପାଇଁ ଗ୍ରାମ ବାସୀଙ୍କ ସମେତ ପ୍ରଶାସନିକ ଅଧିକାରୀ ମାନେ ମଧ୍ୟ ସହଯୋଗର ହାତ ବଢ଼ାଇଥିଲେ । ଇନ୍ଦ୍ରାବତୀ ଡାହାଣ ମୁଖ୍ୟ କେନାଲର ଫାଟକକୁ ତୁରନ୍ତ ବନ୍ଦ କରିଦେବା ଫଳରେ ଜଳ ସ୍ରୋତ କମିଥିଲା । ସୋମବାର ଅପରାହ୍ନ ବେଳକୁ ପରିସ୍ଥିତିରେ ସୁଧାର ଆସିଥିଲା । ବିଭାଗୀୟ ଅଧିକାରୀ ଓ ଜନପ୍ରତିନିଧି ମାନଙ୍କ ଉପସ୍ଥିତିରେ ମରାମତି କାର୍ଯ ଯୁଦ୍ଧ କାଳୀନ ଭିତ୍ତିରେ ଆରମ୍ଭ କରାଗଲା । ସୋମବାର ରାତି ତମାମ ଇନ୍ଦ୍ରାବତୀ ନିର୍ମାଣ ଯନ୍ତ୍ରୀ ଜଗନ୍ନାଥ ପାଣି ଏବଂ ଅଧିକ୍ଷଣ ଯନ୍ତ୍ରୀ ରାଜକୁମାର ବେହେରା ତତ୍ତ୍ଵାବଧାନରେ ମରାମତି କାର୍ଯ ଜାରି ରହିଥିବା ବେଳେ, ଆଜି ମଙ୍ଗଳବାର ଦିନ ମଧ୍ୟ ଅନୁରୂପ ଭାବେ କାମ ଆଗେଇ ଚାଲିଛି । ଏନେଇ ବିଭାଗ ଯଥାଶୀଘ୍ର କେନାଲ ମରାମତି କାର୍ଯ ସମ୍ପୂର୍ଣ କରି ଚାଷୀଙ୍କୁ ପୁନର୍ବାର ଜଳ ଯୋଗାଇ ଦେବା ପାଇଁ ଅଣ୍ଟା ଭିଡିଛନ୍ତି । ତେବେ ଏହି କାର୍ଯ କେବେ ସମ୍ପୂର୍ଣ ହେବ ଓ ଚାଷୀ କେନାଲ ଯୋଗେ ଜଳ କେବେ ମିଳିବ ତାକୁ ହିଁ ଅପେକ୍ଷା ।

କଳମପୁରରୁ ଭୋଜରାଜ ଛତ୍ରିଆଙ୍କ ରିପୋର୍ଟ

Comments
Loading...