ବୋରିଗାଁରେ ଅଷ୍ଟ ପ୍ରହର ନାମ ଯଜ୍ଞ ସମ୍ପନ୍ନ

ଲାଞ୍ଜିଗଡ଼, (କୋଶଲ ନ୍ୟୁଜ୍): ଆଧ୍ୟାତ୍ମିକ ଭକ୍ତି ଭାବନାରେ ଧିରେ ଧିରେ ଲୋକେ ନିଜକୁ ସମର୍ପିତ କରୁଥିବା ବିଶେଷ ଭାବରେ ଏବେ ଦେଖିବାକୁ ମିଳୁଛି।କେଉଁଠି ଗାୟତ୍ରୀ ମହା ଯଜ୍ଞ ତ ଆଉ କେଉଁଠି କଳା କୃଷ୍ଣ ମହାଯଜ୍ଞ ହେଉଥିବା ବେଳେ ଗାଁ ମାନଙ୍କରେ ବହୁ ମାତ୍ରାରେ ହରି ନାମ ସଂକୀର୍ତ୍ତନ ଅଖଣ୍ଡ ନାମଯଜ୍ଞ ଦେଖିବାକୁ ମିଳୁଛି। ଠିକ ସେହିପରି କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ବ୍ଲକ କାନକୁଟୁରୁ ଗ୍ରାମପଞ୍ଚାୟତ ଅଧିନସ୍ତ ପାଇକବୋରି ପ୍ରହରୀ ପଡ଼ିଆ ଠାରେ ବୋରିଗାଁ ଅଷ୍ଟପ୍ରହରୀ କମିଟିର ଆୟୋଜକ କ୍ରମେ ଶୁକ୍ରବାର ଅଷ୍ଟପ୍ରହରୀ ନାମ ଯଜ୍ଞ ଶୁଭାରମ୍ଭ ହୋଇଥିବା ବେଳେ ଶୁକ୍ରବାର ସମ୍ପନ୍ନ ହୋଇଯାଇଛି।ପ୍ରଥମ ଦିନ ଗୁରୁବାର ସନ୍ଧ୍ୟାରେ ଅଷ୍ଟ ପ୍ରହର ନାମ ଯଜ୍ଞ ପାଇଁ ଶୁଭ କଳସଯାତ୍ରା ହୋଇ ନାଳରୁ ପାଣି ଗ୍ରହଣ ପରେ ଅଧିବାସ ଓ ଦ୍ୱିତୀୟ ଦିନ ନାମ ଯଜ୍ଞ ଅନୁଷ୍ଠିତ ହୋଇଥିଲା। ତୃତୀୟ ଦିନ ନଗର କୀର୍ତନ କରାଯାଇ ନଗର ପରିକ୍ରମା କରାଯାଇଥିଲା। ଶହ ଶହ ସଂଖ୍ୟକ ଜନସମାଗମରେ କଳସ ଯାତ୍ରା ବୋରି ଗାଁକୁ ବେଶ ବିମୋହିତ କରିଥିଲା। ବୋରିଗାଁ ଅଷ୍ଟପ୍ରହର ନାମ ଯଜ୍ଞ କମିଟିର ଆୟୋଜନ କ୍ରମେ ଅଷ୍ଟପ୍ରହର ନାମ ଯଜ୍ଞ ପାଇକବୋରି ପ୍ରହରି ପଡ଼ିଆ ଠାରେ ପ୍ରତି ବର୍ଷ ଭଳି ତୃତୀୟ ଥର ହେଉଥିବା ଦେଖିବାକୁ ମିଳିଛି। ଯାହାଫଳରେ ଜନସାଧାରଣଙ୍କ ମନରେ ବେଶ୍ ଉତ୍ସାହ ଦେଖିବାକୁ ମିଳିଛି। ଏହି ନାମ ଯଜ୍ଞରେ ପାଇକବୋରି, ବନ୍ଧପାରି, ଲାଞ୍ଜିଗଡ଼,ରଘୁନାଥପୁର,କାଣ୍ଡାମା ଓ ମାଗୁଣି ସଂକୀର୍ତ୍ତନ ଦଳ ଏହିପରି ୬ ଗୋଟି ଦଳ ଏଥିରେ ସାମିଲ ହୋଇଥିବା ଜଣାପଡ଼ିଛି। କର୍ତ୍ତା ଭାବେ ହୃଷିକେଶ ମାର୍ଥା ଏବଂ ତାଙ୍କ ଧର୍ମ ପତ୍ନୀ କୁମାରୀ ମାର୍ଥା ନିଷ୍ଠାର ସହ ପୂଜାର୍ଚନା, ନାମଯଜ୍ଞ କରି ଶ୍ରୀ ଶ୍ରୀ ରାମକୃଷ୍ଣ ଙ୍କ ଆଶୀର୍ବାଦ ଭିକ୍ଷା କରିଥିବାବେଳେ ପୂଜକ ଭାବରେ କୈଳାସ ଚନ୍ଦ୍ର ଦାଶ,ପ୍ରସାନ୍ତ କୁମାର ଦାଶ,ସନ୍ତୋଷ କୁମାର ଆଚାର୍ଯ୍ୟ ପୂଜା କାର୍ଯ୍ୟ ତୁଲାଇ ଥିଲେ । ଏହି ନାମ ଯଜ୍ଞରେ ନିଜକୁ ଭକ୍ତି ଭାବନାରେ ସମର୍ପିତ କରିବାପାଇଁ ଅଞ୍ଚଳରୁ ଶହ ଶହ ଶ୍ରଦ୍ଧାଳୁ ଭକ୍ତଙ୍କ ସୁଅ ଛୁଟୁଥିବା ବେଳେ ପୁରା ବୋରିଗାଁ   ଲୋକାରଣ୍ୟ ହୋଇପଡ଼ିଥିଲା। ଆନନ୍ଦ ବଜାରରେ ଆବାଳ ବୃଦ୍ଧ ବନିତା ତଥା ହଜାର ହଜାର ଭକ୍ତ ଆନନ୍ଦର ସହ ଅନ୍ନ ପ୍ରସାଦ ସେବନ କରିଥିବା ଦେଖିବାକୁ ମିଳିଥିଲା। ଅଷ୍ଟପ୍ରହର ନାମଯଜ୍ଞ ଅବସରରେ ଶେଷ ରଜନୀରେ ଲୋକପ୍ରିୟତା ରାଧା ଚୁନି ବଗର୍ତିଙ୍କ ଚ୍ୟାଲେଞ୍ଚ ମହିଳା ଦଣ୍ଡ ନୃତ୍ୟ ମଞ୍ଚସ୍ତ ହୋଇ ହୋଇଥିବାବେଳେ ନାଟକ ମଞ୍ଚର ଚାରିପାର୍ଶ୍ୱ ଲୋକାରଣ୍ୟ ହୋଇଥିବା ଦେଖିବାକୁ ମିଳିଥିଲା।

Comments
Loading...