ବିଜେଡି ଛାଡ଼ିଲା ପରେ ଚଞ୍ଚ୍ଚଲ୍ୟା କର ବୟାନ ଦେଲେ ଅଭିନେତା, କହିଲେ- ସ୍ବାଭିମାନ୍‌ ଆଗ

ଭୁବନେଶ୍ବର: ସାଧାରଣ ନିର୍ବାଚନ-୨୦୨୪ ପାଇଁ ପ୍ରକ୍ରିୟା ଜାରି ରହିଛି। ଓଡ଼ିଶାରେ ଲୋକସଭା ସମେତ ବିଧାନସଭା ନିର୍ବାଚନ ହେଉଥିବାରୁ ରାଜନୈତିକ ପାଣିପାଗ ଅନ୍ୟ ରାଜ୍ୟ ତୁଳନାରେ ଅଧିକ ଉତ୍ତପ୍ତ ହୋଇପଡ଼ିଛି। ବିଜେପି ଓ ବିଜେଡି କିଛି ପ୍ରାର୍ଥୀ ଘୋଷଣା କରିସାରିଥିବା ବେଳେ କିଛି ନେତା ଓ କର୍ମୀ ଉତ୍ସାହିତ ଥିବା ବେଳେ ଅନ୍ୟମାନେ ହତୋତ୍ସାହ ଦେଖାଯାଇଛନ୍ତି। ଦଳୀୟ ଟିକେଟ୍‌ ପାଇ ନଥିବା ଅଥବା ସମ୍ଭାବିତ ଟିକେଟ୍‌ ତାଲିକାରେ ନଥିବା ନେତାମାନେ ଦଳ ଡେଉଁଛନ୍ତି। ଏହି କ୍ରମରେ ଅଭିନେତାରୁ ନେତା ହୋଇଥିବା ୪ ଜଣ ବ୍ୟକ୍ତି ବିଜେଡି ଛାଡ଼ିଛନ୍ତି। କେନ୍ଦ୍ରାପଡ଼ା ସାଂସଦ ଅନୁଭବ ମହାନ୍ତି, ପୂର୍ବତନ ବ୍ରହ୍ମପୁର ସାଂସଦ ସିଦ୍ଧାନ୍ତ ମହାପାତ୍ର, କୋରେଇ ବିଧାୟକ ଆକାଶ ଦାସନାୟକ ଓ ଯୁବ ନେତା ଅରିନ୍ଦମ ରାୟ ଶଙ୍ଖ ଛାଡ଼ିଛନ୍ତି। ଅନୁଭବଙ୍କ ବ୍ୟତୀତ ଅନ୍ୟ ୩ ଜଣ ବିଜେପି‌ ଶିବିରରେ ଯୋଗ ଦେଇଛନ୍ତି। ତେବେ ସୁନେଲି ପରଦାରେ ଅଭିନେତା ସାଜିଥିବା ନେତାମାନେ ବିଜେଡି ବିରୋଧରେ ବିସ୍ଫୋରକ ବୟାନ ଦେଇଛନ୍ତି।

ପୂର୍ବତନ ବ୍ରହ୍ମପୁର ସାଂସଦ ସିଦ୍ଧାନ୍ତ ମହାପାତ୍ର ନିକଟରେ ବିଜେପିର ମିଶ୍ରଣ ପର୍ବରେ ସାମିଲ ହୋଇଛନ୍ତି। ସେ କହିଛନ୍ତି, ଆଉ କ୍ରୀତଦାସ ଜୀବନ ନେଇ ବଞ୍ଚିବୁନି ବୋଲି ଓଡ଼ିଶାବାସୀ ପଣ ନେଇଛନ୍ତି। ଆଜି ଯେଉଁ ପରିବର୍ତ୍ତନର ସ୍ୱର ଦେଖାଯାଉଛି, ସେଥିରେ ଏବେ ପ୍ରତିଟି ଓଡ଼ିଆ ସାମିଲ ହେବେ। ଓଡ଼ିଶାରେ ଡବଲ ଇଞ୍ଜିନ ସରକାର ଦରକାର । ବିଜେପି ଓଡ଼ିଶାରେ ଗଣତନ୍ତ୍ରର ପ୍ରତିଷ୍ଠା କରିବ।

ସେହିପରି ବିଜେପିରେ ସାମିଲ ହୋଇଥିବା ଅରିନ୍ଦମ ରାୟ କହିଛନ୍ତି, ବିଜୁବାବୁଙ୍କ ନାମରେ ଆରମ୍ଭ ହୋଇଥିଲା ବିଜେଡି। କିନ୍ତୁ ଏବେ ଆଉ କୌଣସି ପୋଷ୍ଟରରେ ବିଜୁ ବାବୁଙ୍କ ଚେହେରା ଦେଖିବାକୁ ମିଳୁନାହିଁ। ବିଜୁ ଏବେ ହୋଇଯାଇଛି ବାଜେ ଜନତା ଦଳ। କେହି ବିଜେଡିରେ ରହିବେ ନାହିଁ। ସ୍ଵାଭିମାନୀ ଓଡ଼ିଆ କେବେ ବିଜେଡିରେ ରହିପାରିବେ ନାହିଁ। ନେତାମାନେ ଖାଲି ଲୋଭ ଓ ଡରରେ ବିଜେଡିରେ ଅଛନ୍ତି। ଯେବେ ଡର ଛାଡିବ, ସେବେ ଦଳ ଛାଡ଼ିବେ ବିଜେଡି ନେତା।

ସିଦ୍ଧାନ୍ତ ଓ ଅରିନ୍ଦମଙ୍କ ଭଳି ଶ୍ରୀତାମ ଦାସ ମଧ୍ୟ ରାଜ୍ୟ ସରକାରଙ୍କ ବିରୋଧରେ ମୁହଁ ଖୋଲିଛନ୍ତି। ସେ କହିଛନ୍ତି ଯେ, ସିଦ୍ଧାନ୍ତ ଆଉ ମୁଁ ହେଉଛୁ ଜାଗାବଲିଆ। ସାରା ଓଡ଼ିଶାବାସୀ ଏହା ଭଲଭାବରେ ଜାଣିଛନ୍ତି। ଆମେ କାଞ୍ଚି ଅଭିଯାନ କରିବୁ। ଆଉ ବିଜୟୀ ହେଇ ଫେରିବୁ।

କେନ୍ଦ୍ରାପଡ଼ା ସାଂସଦ ଶ୍ରୀ ମହାନ୍ତି କହିଛନ୍ତି ଯେ, ୨୦୨୪ କେବଳ ନୁହଁ। ଯେତେଦିନ ବଞ୍ଚିଥିବି ଲଢ଼ିବି ଆଉ ଜିତିବି। ଓଡ଼ିଶା ମୋର, ଭାରତ ମୋର। ରାଜନୀତି ବୁଝିଗଲିଣି। ସିନେମା ମୋ ଭାତହାଣ୍ଡି। ଲୋକଙ୍କ ପାଇଁ କର୍ମ କରିବାରେ ବିଶ୍ୱାସ କରେ। ଆପଣ ମୋ ବିଷୟରେ ଅନେକ ଚର୍ଚ୍ଚା ଶୁଣି ଆସୁଛନ୍ତି। ଗତ ଚାରି/ପାଞ୍ଚ ବର୍ଷ ମତେ ଅନେକ କିଛି ଶିଖେଇଛି। ଯାହା ବି ସାମ୍ନାରୁ ଆସୁ ବର୍ତ୍ତମାନ ମୁଁ ସାମ୍ନା କରିବାର ଶକ୍ତି ରଖିଛି।

Comments
Loading...