ବିଜେଡି ଛାଡ଼ି ବିଜେପିରେ ଯୋଗ ଦେଲେ ଆକାଶ ; ପୂର୍ବରୁ ଶଙ୍ଖ ଛାଡ଼ି ପଦ୍ମମୁହାଁ ହୋଇଥିଲେ ସୁପରଷ୍ଟାର ସିଦ୍ଧାନ୍ତ ଓ ଅରିନ୍ଦମ

ଭୁବନେଶ୍ବର: ଅଭିନେତାମାନଙ୍କ ଦଳ ଡିଆଁ ଏବେ ରୋଚକ ସ୍ଥିତି ଉତ୍ପନ୍ନ କରିଛି। ଯେଉଁମାନେ ଦିନେ ବିଜେଡିର ତାରକା ପ୍ରଚାରକ ଭାବେ ଦଳର ଶୋଭାବର୍ଦ୍ଧନ କରୁଥିଲେ ଏବେ ସେମାନଙ୍କ ମଧ୍ୟରୁ ୪ ଜଣ ଆଗଧାଡ଼ିର ଅଭିନେତା ସିଦ୍ଧାନ୍ତ ମହାପାତ୍ର, ଅନୁଭବ ମହାନ୍ତି, ଆକାଶ ଦାସ ନାୟକ ଓ ଅରିନ୍ଦମ ରାୟ ଶଙ୍ଖ ଶିବିରରୁ ବାହାରି ସାରିଲେଣି। ଇତିମଧ୍ୟରେ ସିଦ୍ଧାନ୍ତ ମହାପାତ୍ର ଓ ଅରିନ୍ଦମ ରାୟ ବିଜେପିରେ ସାମିଲ ହୋଇ ସାରିଛନ୍ତି। ଆଜି ରାଜ୍ୟ ବିଜେପି କାର୍ଯ୍ୟାଳୟରେ ବିଧିବଦ୍ଧ ଭାବେ ଅଭିନେତା ଆକାଶ ଦାସନାୟକ ସାମିଲ ହୋଇଛନ୍ତି। ଶନିବାର ବିଜେଡି ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଥିଲେ। ବିଜେପିରେ ଯୋଗ ଦେବା ପରେ ଆକାଶ କହିଛନ୍ତି ଯେ ଆଜି ପ୍ରଧାନମନ୍ତ୍ରୀଙ୍କ ବିକଶିତ ଭାରତ ଆହ୍ବାନରେ ମୁଁ ଅନୁପ୍ରାଣିତ ହୋଇ ବିଜେପିରେ ଯୋଗ ଦେଇଛି। ଓଡ଼ିଶାର ସାମଗ୍ରିକ ବିକାଶ ପାଇଁ ଏବଂ କୋରେଇ ମାଟି ମା’ର ଅଧୁରା ସ୍ବପ୍ନକୁ ପୂରଣ କରିବି। ଅନେକ କାମ କରିଥିଲି, ଅନେକ କାମ ବାକି ରହିଛି, ମା’ମାଟିର ସ୍ବାଭିମାନ ପାଇଁ ଆଜି ଆମେ ସମସ୍ତେ ସଂକଳ୍ପ ନେବା ଏବଂ ବୃହତ୍ତର ସ୍ବାର୍ଥ ପାଇଁ ସଂଗ୍ରାମ କରିବା ବୋଲି କହିଥିଲେ।

ଅଭିନେତା ଆକାଶ ଦାସନାୟକ କୋରେଇରୁ ୨୦୧୪ରେ ନିର୍ବାଚନ ଲଢି ଜିତିଥିଲେ। ହେଲେ ୨୦୧୯ରେ ତାଙ୍କୁ ଦଳ ପକ୍ଷରୁ ଟିକଟ ଦିଆଯାଇନଥିଲା ଏବଂ ମୋ କଲେଜର ଅଧ୍ୟକ୍ଷ ଭାବେ ଅବସ୍ଥାପିତ କରାଯାଇଥିଲା।

ଏହାଛଡ଼ା ବିଜେଡି ଶିବିର ଛାଡ଼ି ଥିବା ଅଭିନେତା ଅନୁଭବ ମହାନ୍ତି ଖୁବ ଶୀଘ୍ର ବିଜେପିରେ ଯୋଗ ଦେବେ ବୋଲି ଚର୍ଚ୍ଚା ହେଉଛି। ଅଭିନେତା ଅନୁଭବ ମହାନ୍ତି ଗତଥର କେନ୍ଦ୍ରାପଡ଼ାରୁ ସାଂସଦ ଭାବେ ଲଢି ନିର୍ବାଚନ ବୈତରଣୀ ପାର ହୋଇଥିଲେ। ପୂର୍ବରୁ ସେ ରାଜ୍ୟସଭାକୁ ଯାଇଥିଲେ। ପାରିବାରିକ ବିବାଦ ପାଇଁ ତାଙ୍କୁ ଅନେକ ସମାଲୋଚନାର ଶିକାର ହେବାକୁ ପଡ଼ିଥିଲା।

ବର୍ତ୍ତମାନ ବିଜେପିରେ କଳାକାର ନେତାଙ୍କ ପଲା ଭାରୀ ଥିବାବେଳେ ବିଜେଡି ଶିବିରରେ ସଂଖ୍ୟା ହ୍ରାସ ପାଉଛି। ଏହାଛଡ଼ା କଂଗ୍ରେସରେ ଜଣିଏ ମାତ୍ର କଳାକାର ମିଶିଛନ୍ତି। ଯେଉଁ କଳାକାରମାନେ ଏବେ ରାଜନୀତିରେ ସାମିଲ ହୋଇଛନ୍ତି ସେମାନେ ଆଗଧାଡ଼ିର ଏବଂ ଅଭିଜ୍ଞ। ଚଳଚ୍ଚିତ୍ରରେ ଯଦିଓ ଏମାନେ ସଫଳ ହୋଇଛନ୍ତି ତେବେ ଚଳିତ ନିର୍ବାଚନରେ ସେମାନଙ୍କ ଭାଗ୍ୟ କ’ଣ ହେବ ତାହାକୁ ନେଇ ଏବେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

କାରଣ ଭୋଟ୍ ରାଜନୀତିରେ ଖୁବ୍‌ କମ୍‌ ଅଭିନେତା-ଅଭିନେତ୍ରୀ ସଫଳତା ପାଇଛନ୍ତି। ପ୍ରମୁଖ କଳାକାର ରାଜନୀତିମୁହାଁ ହେଉଥିବାରୁ ଚଳଚ୍ଚିତ୍ର ଶିଳ୍ପ ପ୍ରଭାବିତ ହେବା ଆଶଙ୍କାକୁ ମଧ୍ୟ ଏଡ଼ାଇ ଦିଆଯାଇ ନପାରେ ବୋଲି ସିନେ ସମୀକ୍ଷକ ମତ ଦେଇଛନ୍ତି। ରାଜ୍ୟ ରାଜନୀତିରେ ପ୍ରଥମେ ବିଜେଡିରେ ଅଧିକ କଳାକାର ସାମିଲ ହୋଇଥିଲେ।

ପରେ ବିଜେପି ଏବଂ କଂଗ୍ରେସରେ କିଛି କଳାକାର ଯୋଗ ଦେଇଥିଲେ। ହେଲେ ଚଳଚ୍ଚିତ୍ର ଶିଳ୍ପରୁ ଆସି ନେତା ସାଜିଥିବା କିଛି କଳାକାର ସଫଳ ହୋଇଥିବାବେଳେ ଆଉ କିଛି ଅସଫଳ ହୋଇଥିଲେ। ବିଗତ ଦିନଗୁଡ଼ିକରେ ବିଜେଡିରେ ବହୁ କଳାକାର ସାମିଲ ହୋଇଥିବାବେଳେ ଏବେ ଦଳ ଛାଡ଼ି ବିଜେପିରେ ମିଶିଛନ୍ତି।

ଅଭିନେତାରୁ ନେତା ହୋଇଥିବା ପ୍ରଶାନ୍ତ ନନ୍ଦ ରାଜନୀତିରେ ସଫଳତା ଅର୍ଜନ କରିଛନ୍ତି। ଯଦିଓ ଚଳଚ୍ଚିତ୍ର ଶିଳ୍ପରେ ସେ ସକ୍ରିୟ ନାହାନ୍ତି କିନ୍ତୁ ରାଜନୀତିରେ ଏବେ ସକ୍ରିୟ ଅଛନ୍ତି। ସେହିପରି ମୁନ୍ନା ଖାଁ, କୁନା ତ୍ରିପାଠୀ ଦୀର୍ଘ ଦିନ ଧରି ବିଜେଡିରେ ରହି ଦଳୀୟ କାର୍ଯ୍ୟ କରୁଛନ୍ତି। ଏହାବ୍ୟତୀତ କଣ୍ଠଶିଳ୍ପୀ ମନ୍ମଥ ମିଶ୍ର ଓ କୃଷ୍ଣପ୍ରିୟା ମିଶ୍ର ଶଙ୍ଖ ଫୁଙ୍କି ଥିବାବେଳେ ଚଳିତବର୍ଷ ଯାତ୍ରା ଅଭିନେତା ଦୈତାରୀ ପଣ୍ଡା ଏବଂ ବାପି ପଣ୍ଡା ବିଜେଡିରେ ଯୋଗ ଦେଇଛନ୍ତି।

ଏହାବ୍ୟତୀତ ଅଭିନେତ୍ରୀ ସୋଫିଆ ଆଲାମ ଏବଂ ଏଲିନା ଦାସ ମଧ୍ୟ ବିଜେଡିରେ କାର୍ଯ୍ୟ କରୁଛନ୍ତି। ସେହିପରି ଶ୍ରୀମୟୀ ମିଶ୍ର ମଧ୍ୟ ଅଭିନେତ୍ରୀରୁ ଯାତ୍ରା ଆରମ୍ଭ କରିଥିବାବେଳେ ବିଜେଡିର ବିଭିନ୍ନ ପଦପଦବୀରେ ରହିଆସିଛନ୍ତି।

ସେହିପରି ସିଦ୍ଧାନ୍ତ ମହାପାତ୍ର ୨୦୦୯ ଏବଂ ୨୦୧୪ରେ ବ୍ରହ୍ମପୁରରୁ ଦୁଇ ଦୁଇ ଥର ସାଂସଦ ଭାବେ ନିର୍ବାଚିତ ହୋଇଥିଲେ।  ଅରିନ୍ଦମ ରାୟ ମଧ୍ୟ ବିଜେଡିରେ ଦଳୀୟ କାର୍ଯ୍ୟ କରୁଥିଲେ। ସିଦ୍ଧାନ୍ତ, ଅନୁଭବ, ଅରିନ୍ଦମ ଏବଂ ଆକାଶଙ୍କୁ ଏକଦା ଓଡ଼ିଆ ଚଳଚ୍ଚିତ୍ର ଜଗତର ସୁପରଷ୍ଟାର ଆଖ୍ୟା ଦିଆଯାଇଥିଲା। ଏବେ ସେମାନେ ବିଜେଡି ଛାଡ଼ିଛନ୍ତି। ସିଦ୍ଧାନ୍ତ ଓ ଅରିନ୍ଦମ ବିଜେପିରେ ଯୋଗ ଦେଇଥିବାବେଳେ ଏପର୍ଯ୍ୟନ୍ତ ଅନୁଭବ ଏବଂ ଆକାଶ କୌଣସି ଦଳରେ ଯୋଗ ଦେଇନାହାନ୍ତି। ସେହିପରି ପୂର୍ବରୁ ପପୁ ପମ୍ ପମ୍‌ ବିଜେଡିରୁ ବିଧାୟକ ପ୍ରାର୍ଥୀ ଭାବେ ଚମ୍ପୁଆରୁ ଲଢି ପରାଜିତ ହୋଇଛନ୍ତି।

ଅନ୍ୟପକ୍ଷରେ ଚଳିତ ନିର୍ବାଚନରେ ବିଜେପିରେ ପ୍ରାୟ ୧୬ରୁ ଅଧିକ କଳାକାର ରହିଛନ୍ତି। ଆଗକୁ ଏହି ସଂଖ୍ୟା ବଢିପାରେ ବୋଲି ରାଜନୈତିକ ସମୀକ୍ଷକ ମତ ଦେଇଛନ୍ତି। ଦେଖିବାକୁ ଗଲେ ପିଙ୍କି ପ୍ରଧାନ ଦିଗପହଣ୍ଡିରୁ ନିର୍ବାଚନ ଲଢିଥିଲେ ହେଁ ପରାଜିତ ହୋଇଥିଲେ। ଏହାସହିତ ୨୦୧୪ରେ କଂଗ୍ରେସରୁ ଅଭିନେତ୍ରୀ ଅପରାଜିତା ମହାନ୍ତି କଟକରୁ ଏବଂ ପରେ ୨୦୧୯ରେ ବିଜେପିରୁ ଭୁବନେଶ୍ବର ଉତ୍ତର ନିର୍ବାଚନ ମଣ୍ଡଳୀରୁ ପ୍ରତିଦ୍ବନ୍ଦ୍ବିତା କରି ସଫଳତା ପାଇନଥିଲେ।

ଏହାସହିତ ଶ୍ରୀତମ ଦାସ ମଧ୍ୟ ବିଜେପିରେ ସକ୍ରିୟ ଭୂମିକାରେ ଅଛନ୍ତି। ଗତ ମହାନଗର ନିର୍ବାଚନରେ ଶେଷ ମୁହୂର୍ତ୍ତରେ ଦଳୀୟ ସିଦ୍ଧାନ୍ତ ଅନୁସାରେ କଟକ ମହାନଗର ନିଗମରୁ ମେୟର ଭାବେ ଲଢି ପରାଜିତ ହୋଇଥିଲେ। ଏହାସତ୍ତ୍ବେ ବି ସେ ଦଳରେ ରହି କାର୍ଯ୍ୟ କରୁଛନ୍ତି।

ଏହାଛଡ଼ା ଅଖିଳ ପଟ୍ଟନାୟକ ମଧ୍ୟ ଦୀର୍ଘ ଦିନ ହେଲା ବିଜେପିରେ ରହି କାର୍ଯ୍ୟ କରୁଛନ୍ତି। ଅଭିନେତ୍ରୀ ମହାଶ୍ବେତା, ଅପରାଜିତା, ଅନୁ ଚୌଧୁରୀ, ଅଭିନେତା ଅଶ୍ରୁମୋଚନ ମହାନ୍ତି, ହରିହର ମହାପାତ୍ର, ସୁମନ, ସୁଧାକର ବସନ୍ତ, ପ୍ରଯୋଜକ ଯୁଗାଂଶୁ ଶେଖର ପଣ୍ଡା, ପ୍ରଦୀପ ବଳସାମନ୍ତ, ପ୍ରକାଶ ଶ୍ରୀଚନ୍ଦନ, ବାବୁ ସିଂଙ୍କ ସମେତ ଗୀତିକାର ପଞ୍ଚାନନ ନାୟକ ପ୍ରମୁଖ ବିଜେପିରେ‌ ରହି କାର୍ଯ୍ୟ କରୁଛନ୍ତି।

ଦିଂବଗତ ଅଭିନେତା ବିଜୟ ମହାନ୍ତି କଂଗ୍ରେସରୁ ନିର୍ବାଚନ ଲଢ଼ି ହାରିଥିଲେ। ସେହିପରି ମିହିର ଦାସ ଏବଂ ପିଣ୍ଟୁ ନନ୍ଦ ମଧ୍ୟ ବିଜେପିରେ ସାମିଲ ହୋଇ ଦଳୀୟ କାର୍ଯ୍ୟ କରିଥିଲେ। ଅନ୍ୟପକ୍ଷରେ ନିକଟରେ ଅଭିନେତା ମନୋଜ ମିଶ୍ର କଂଗ୍ରେସରେ ସାମିଲ ହୋଇଛନ୍ତି। ଏତେସଂଖ୍ୟକ କଳାକାରଙ୍କ ଭିତରୁ ହାତଗଣିତ କେତେଜଣ ଅଭିନେତା ଭୋଟ ରାଜନୀତିରେ ସଫଳତା ପାଇଛନ୍ତି। ଚଳିତ ନିର୍ବାଚନରେ ଅନେକ କଳାକାର ନିଜ ଭାଗ୍ୟ ପରୀକ୍ଷା କରିବାକୁ ଇଚ୍ଛା ପ୍ରକାଶ କରିଛନ୍ତି।

Comments
Loading...