ଭାରତର ଐତିହାସିକ ବିଜୟ | ଭାଙ୍ଗିଲା ୩୨ ବର୍ଷର ରେକର୍ଡ୍‌ | ଗାବା ରେ ବିଜୟ ବାନା ଉଡାଇଲା ଟିମ ଇଣ୍ଡିଆ

କୋଶଲ ନ୍ୟୁଜ୍ ବ୍ୟୁରୋ : ବ୍ରିସବେନ ଠାରେ ଚାଲିଥିବା ଟେଷ୍ଟ ମ୍ୟାଚରେ ଘରୋଇ ଅଷ୍ଟ୍ରେଲିଆକୁ ୩ ୱିକେଟରେ ହରାଇଛି ଭ୍ରମଣକାରୀ ଭାରତୀୟ ଦଳ। ଏହା ସହିତ ୪ ମ୍ୟାଚ ବିଶିଷ୍ଟ ଏହି ଟେଷ୍ଟ ସିରିଜକୁ ୨-୧ ବ୍ୟବଧାନରେ ହାତେଇ ନେଇଛି ଅଷ୍ଟ୍ରେଲିଆ ଗସ୍ତରେ ଥିବା ଟିମ ଇଣ୍ଡିଆ।

ବ୍ରିସବେନସ୍ଥିତ ଗାବା ଷ୍ଟାଡିୟମରେ ଖେଳାଯାଇଥିବା ଶେଷ ଟେଷ୍ଟ ମ୍ୟାଚରେ ଭାରତ ଅଷ୍ଟ୍ରେଲିଆକୁ ୩ ୱିକେଟରେ ହରାଇଛି। ଋଷଭପନ୍ଥ ୮୯ ରନ ସଂଗ୍ରହ କରି ଅପରାଜିତ ଅଛନ୍ତି। ଶୁଭମନ ଗିଲ ୯୧ ରନର ପାଳି ଖେଳିଛନ୍ତି। ସେହିପରି ଚେତେଶ୍ୱର ପୂଜାରା ୫୬, ଅଧିନାୟକ ଆଜିଙ୍କ୍ୟ ରାହାଣେ ୨୪, ୱାଶିଂଟନ ସୁନ୍ଦର ୨୨ ରନ କରିଥିଲେ।
ଅର୍ଦ୍ଧଶତକ ହାସଲ କରିବା ପରେ ପୂଜାରାଙ୍କୁ ପ୍ୟାଭିଲିୟମ ଫେରି ଯାଇଥିଲେ। ତାଙ୍କୁ ଆଉଟ କରିଥିଲେ ପ୍ୟାଟ କୁମିନ୍ସ। ପୂଜାରା ୨୧୧ ବଲରୁ ୫୬ ରନର ପାଳି ଖେଳିଥିଲେ। ୧୯୬ ବଲରେ ଅର୍ଦ୍ଧଶତକ ହାସଲ କରିଥିଲେ ସେ। ଏହି ମ୍ୟାଚର ପଞ୍ଚମ ଦିନରେ ରୋହିତ ଶର୍ମା ଆଉଟ ହେବା ପରେ ଯୁବ ଖେଳାଳି ଶୁଭମନ ଗିଲ ପୂଜାରଙ୍କୁ ସାଥ ଦେଇ ପାଳି ସମ୍ଭାଳିଥିଲେ। ଜବରଦସ୍ତ ବ୍ୟାଟିଂ କରିବା ସତ୍ତ୍ୱେ ଶତକ କରିବାରୁ ବଞ୍ଚିତ ହୋଇଥିଲେ। ସେ ୯୧ ରନ ସଂଗ୍ରହ କରିଥିଲେ।
ଶେଷ ଦିନରେ ଖେଳ ଆରମ୍ଭ ହେବାର କିଛି ସମୟ ପରେ ଭାରତୀୟ ଦଳକୁ ମିଳିଥିଲା ଜୋରଦାର ଝଟକା। ଅଷ୍ଟ୍ରେଲୀୟ ବୋଲର ପ୍ୟାଟ କୁମିନ୍ସଙ୍କ ବୋଲିଂର ଶିକାର ହୋଇ ୭ ରନ ସଂଗ୍ରହ କରିବା ପରେ ପ୍ୟାଭିଲିୟନ ଫେରିଯାଇଥିଲେ ରୋହିତ ଶର୍ମା।
ମ୍ୟାଚର ଚତୁର୍ଥ ଦିନରେ ଭାରତୀୟ ବୋଲରଙ୍କ ଦବଦବା ରହିଥିଲା। ଭାରତୀୟ ବୋଲର ସିରାଜ ୫ଟି ୱିକେଟ ଅକ୍ତିଆର କରିଥିଲେ। ଘରୋଇ କଙ୍ଗାରୁ ଦଳ ଦ୍ୱିତୀୟ ପାଳିରେ ୨୯୪ ରନରେ ଅଟକି ଯାଇଥିଲା। ଭାରତ ସାମ୍ନାରେ ୩୨୮ ରନର ବିଜୟ ଲକ୍ଷ୍ୟ ରହିଥିଲା।
ତୃତୀୟ ଦିନରେ ଶାର୍ଦ୍ଦୁଳ ଠାକୁରଙ୍କ ୱାଶିଟନ ସୁନ୍ଦରଙ୍କ ଭାଗୀଦାରିତା କାରଣରୁ ଭ୍ରମଣକାରୀ ଭାରତୀୟ ଦଳ ପ୍ରଥମ ପାଳିରେ ୩୩୬ ରନ କରିଥିଲା। ଜବାବରେ ଘରୋଇ ଅଷ୍ଟ୍ରେଲିଆ ୩୬୯ ରନ ସଂଗ୍ରହ କରିଥିଲା।
ଦ୍ୱିତୀୟ ପାଳିରେ ଘରୋଇ ଦଳ ୨୯୪ ରନ  ସଂଗ୍ରହ କରି ଅଲଆଉଟ ହୋଇଯାଇଥିଲା। ଭ୍ରମଣକାରୀ ଦଳ ଲାଗି ବିଜୟ ଲକ୍ଷ୍ୟ ୩୨୮ ରହିଥିଲା। ଗାବା ଷ୍ଟାଡିୟମରେ ଏହି ବିଜୟ ଲକ୍ଷ୍ୟକୁ ଅତିକ୍ରମ କରିବା ଅସମ୍ଭବ ମନେ ହେଉଥିଲା। ହେଲେ ଶେଷ ଦିନରେ ଭାରତୀୟ ଦଳ ଏହି ଅଭିଯାନରେ ସଫଳ ହେବା ସହ ଟେଷ୍ଟ ହାତେଇଥିଲା।
ଦୀର୍ଘ ୩୨ ବର୍ଷ ପରେ ଗାବା ଷ୍ଟାଡିୟମରେ ପରାଜୟର ସାମ୍ନା କରିଛି ଘରୋଇ କଙ୍ଗାରୁ ଦଳ। ଦୀର୍ଘ ୩୨ ବର୍ଷ ଧରି ଏହି ଷ୍ଟାଡିୟମରେ ରାଜୁତି କରିଆସୁଥିଲା ଅଷ୍ଟ୍ରେଲିଆ। ଘରୋଇ ମୈଦାମରେ ୩୨ ବର୍ଷ ଧରି ଅଷ୍ଟ୍ରେଲିଆର ରାଜୁତି ଦେଖୁଥିଲା ବିଶ୍ୱ କ୍ରିକେଟ। ୧୯୮୮ ମସିହାରେ ୱେଷ୍ଟଇଣ୍ଡିଜ ବିପକ୍ଷରେ ଗାବା ଷ୍ଟାଡିୟମରେ ଖେଳାଯାଇଥିବା ଟେଷ୍ଟ ମ୍ୟାଚରେ ମାତ ଖାଇଥିଲା ଅଷ୍ଟ୍ରେଲିଆ।
Comments
Loading...