ଆଜି ପଖାଳ ଦିବସ: ମନ ଖୋଜୁଛି ପଖାଳ


ଓଡ଼ିଆମାନେ ଯେଉଁଠି ଥାଆନ୍ତୁ ନା କାହିଁକି ପଖାଳ ପ୍ରତି ସବୁବେଳେ ସେମାନଙ୍କର ଆକର୍ଷଣ ରହିଆସିଛି। ସେଥିପାଇଁ କଥାରେ ଅଛି, ‘ଝୁରି ହେଉଛି ଦିନକାଳ, ମନ ଖୋଜୁଛି ସେକାଳ ପଖାଳ’। ଓଡ଼ିଆ ଜନଜୀବନ ସହ ପଖାଳର ସମ୍ପର୍କ ବହୁ ପୁରୁଣା। ଆଉ ସେହି ସମ୍ପର୍କ ହିଁ ଆମକୁ ଦେଇଛି ସ୍ବତନ୍ତ୍ର ପରିଚୟ। ଆଜି ବି ଗାଁଠୁ ସହର ପର୍ଯ୍ୟନ୍ତ ପ୍ରତି ଘରେ ଲୋକମାନଙ୍କ ଜୀବନ ଶୈଳୀରେ ପଖାଳ କେବଳ ନିତିଦିନିଆ ଖାଦ୍ୟ ହୋଇରହିନି ବରଂ ପ୍ରତି ପରିବାରକୁ ଓ ପ୍ରତି ମନକୁ ଯୌଥ ସୂତ୍ରରେ ଯୋଡ଼ିି ଧରିବାରେ ଏକ ମାଧ୍ୟମ ହୋଇଛି। ମହାପ୍ରଭୁ ଜଗନ୍ନାଥଙ୍କ ଷାଠିଏ ପଉଟି ଭୋଗରେ ସ୍ଥାନ ପାଇଥିବା ପଖାଳ ଏବେ ଗାଁଠାରୁ ସହର ଏବଂ ଝୁମ୍ପୁଡ଼ିିରୁ ତାରକା ହୋଟେଲ ପର୍ଯ୍ୟନ୍ତ ସବୁଠି ମହକୁଛି। ଓଡ଼ିିଆ ସଂସ୍କୃତିରେ ପଖାଳର ଏହି ଗୁରୁତ୍ବକୁ ଉପଲବ୍ଧି କରିବା ପାଇଁ ପ୍ରତିବର୍ଷ ମାର୍ଚ୍ଚ ୨୦ ତାରିଖକୁ ପଖାଳ ଦିବସ ଭାବେ ପାଳନ କରାଯାଉଛି।


ଗାଁ ଠାରୁ ସହରରେ ଅଧିକ କ୍ରେଜ୍‌


ଗାଁ ଓ ଗରିବ ଲୋକଙ୍କର ଖାଦ୍ୟ ପଖାଳ। ଏହି ଭ୍ରାନ୍ତଧାରଣାକୁ ଦୂରକରିଛି ସହରବାସୀଙ୍କ ପଖାଳ କ୍ରେଜ୍‌। ସହର ଚାକଚକ୍ୟ ଏବଂ ଦେଶୀ, ବିଦେଶୀ ଖାଦ୍ୟପେୟ ଭିତରେ ବି ଲୋକେ ପଖାଳ ଖୋଜୁଛନ୍ତି। ଗତ କିଛିବର୍ଷ ମଧ୍ୟରେ ପିଜା, ବର୍ଗର, ସ୍ୟାଣ୍ଡୱିଚ୍‌ ଓ ନୁଡୁଲ୍ସ ଭିତରେ ଅଣନିଃଶ୍ୱାସୀ ହୋଇପଡ଼ିିଥିବା ପଖାଳ ଏବେ ନିଜର ପୂର୍ବ ଗୌରବ ଫେରିପାଇଛି। ବିଶେଷକରି ୨୦୧୧ରେ ପଖାଳ ଦିବସ ପାଳନ ଆରମ୍ଭ ହେବାଠାରୁ ବର୍ତ୍ତମାନର ଯୁବପିଢିଙ୍କ ମଧ୍ୟରେ ପଖାଳର କ୍ରେଜ୍‌ ବେଶ୍‌ ଅଧିକ ଦେଖିବାକୁ ମିଳୁଛି। ସ୍ବସ୍ତି ପ୍ରିମିୟମ୍‌, ମେ’ଫେୟାର, ହୋଟେଲ କ୍ରାଉନ୍‌, ମ୍ୟାରିୟନ୍‌, ହୋଟେଲ କଳିଙ୍ଗ ଅଶୋକ ଭଳି ତାରକା ହୋଟେଲଗୁଡିକ ଖରାଦିନ ପାଇଁ ସ୍ବତନ୍ତ୍ର ପଖାଳର ବ୍ୟବସ୍ଥା କରୁଛନ୍ତି। ଚୂନାମାଛରୁ ଆରମ୍ଭ କରି ଶୁଖୁଆ ରାଇ, ଶୁଖୁଆ ପୋଡ଼ା, ଶାଗ ଭଜା, ବଡ଼ିି ଚୂରା ଓ ଆଳୁ ଭରତା ପର୍ଯ୍ୟନ୍ତ ସବୁକିଛି ଏହି ଷ୍ଟାର୍‌ ହୋଟେଲ ମେନ୍ୟୁରେ ରହୁଛି। ଏପରି କି କଣ୍ଟିନେଣ୍ଟାଲ, ଚାଇନିଜ୍‌ ଏବଂ ସି-ଫୁଡ୍‌ ଭଳି ଅନ୍ୟାନ୍ୟ ବିଦେଶୀ ଖାଦ୍ୟଠାରୁ ପଖାଳର ମୂଲ୍ୟ ଅଧିକ ରହୁଛି। ପାରମ୍ପରିକ ଓଡ଼ିଆ ଶୈଳୀରେ ପଖାଳ ପ୍ରସ୍ତୁତ କରିବା ଉପରେ ଅଧିକ ଗୁରୁତ୍ବ ଦିଆଯାଉଥିବା ବେଳେ ଶେଫ୍‌ମାନେ ପଖାଳ ତିଆରି ପାଇଁ ସ୍ବତନ୍ତ୍ର ପ୍ରଶିକ୍ଷଣ ନେଉଛନ୍ତି।

ଫୁଡ୍‌ ବ୍ଲଗର୍‌ ଓ ପଖାଳ


କେବଳ ଜଣାଶୁଣା ଶେଫ୍‌ ନୁହନ୍ତି, ପଖାଳକୁ ବିଶ୍ୱ ଦରବାରରେ ପରିଚିତ କରାଇବାରେ ପ୍ରମୁଖ ଭୂମିକା ନେଇଛନ୍ତି ଓଡ଼ିଶାର ଫୁଡ୍‌ ବ୍ଲଗର୍‌ ଏବଂ ଫୁଡ୍‌ କ୍ରିଟିକ୍‌। ବ୍ଲଗିଂ ମାଧ୍ୟମରେ ପଖାଳ ଓ ଦହିବରା ଭଳି ପାରମ୍ପରିକ ଓଡ଼ିଆ ଖାଦ୍ୟକୁ ନୂଆପିଢିଙ୍କ ମଧ୍ୟରେ ଲୋକପ୍ରିୟ କରାଇଛନ୍ତି। ଅଳକା ଜେନାଙ୍କଠାରୁ ଆରମ୍ଭକରି ଲୁସି ପରିଜାଙ୍କ ପର୍ଯ୍ୟନ୍ତ, ଇନ୍‌ଷ୍ଟାଗ୍ରାମରେ ବେଶ୍‌ ଅଧିକ ଫ୍ୟାନ୍‌ ଫଲୋଇଙ୍ଗ୍‌ ଥିବା ବ୍ଲଗର୍‌ମାନେ ପଖାଳକୁ ଏକ ନୂଆସ୍ତରକୁ ନେଇଛନ୍ତି। ଜିରା ପଖାଳରୁ ଆରମ୍ଭକରି ଦହି ପଖାଳ, ସାଦା ପଖାଳ, ଛୁଙ୍କ ପଖାଳ, ସଜ ପଖାଳ, ପରିବା ପଖାଳ, ଖଟା ବା ବାସି ପଖାଳ ଭଳି ବିଭିନ୍ନ ପ୍ରକାର ପଖାଳକୁ ସମର୍ପିତାଙ୍କ ଆରୋମା ପୋଟ୍ରେଟ୍‌ ଭଳି ଇନ୍‌ଷ୍ଟା ବ୍ଲଗିଂ ସାଇଟ୍‌ ଲୋକଲୋଚନକୁ ଆଣିଛନ୍ତି। ନିକଟରେ ଦହିବରା ଦିବସ ପାଳନ କରି ଚର୍ଚ୍ଚାକୁ ଆସିଥିବା ଭୁବନେଶ୍ୱର ଫୁଡ୍‌ ବ୍ଲଗର୍ସ ନେଟ୍‌ଓ୍ବର୍କ ପଖାଳ ଦିବସକୁ ମଧ୍ୟ ବେଶ୍‌ ଉତ୍ସୁକତାର ସହ ପ୍ରତିବର୍ଷ ପାଳନ କରୁଛନ୍ତି।

Comments
Loading...