ପରିଣତ ବୟସରେ ମାଗିବାକୁ ପଡୁଛି ଭିକ

ମାଲକାନଗିରି (କୋଶଲ ନ୍ୟୁଜ୍) ବୟସର ଶେଷ ପାହାଚରେ ପେଟରେ ଖଣ୍ଡ ଦାନା ଦେବା ପାଇଁ ମାଗିବାକୁ ପଡୁଛି ଭିକ । ବୟସ ପାଖାପାଖି ୬୫ ରୁ ୭୦ ବର୍ଷ, ନା ଅଛି ରହିବା ପାଇଁ ଘର, ନା ଅଛି ପେଟରେ ଦେବାପାଇଁ ଖଣ୍ଡେ ଦାନା । ସରକାରଙ୍କ ଯୋଜନାରେ ଲୋକଙ୍କୁ ମିଳୁଥିବା ରାସନ କାର୍ଡ , ବାର୍ଦ୍ଧକ୍ୟ ଭତ୍ତା ଆଦି ମୌଳିକ ସୁବିଧାରୁ ବଞ୍ଚିତ ଶ୍ରୀକ୍ରିଷ୍ଣା ଖଣ୍ଡେୟା । ସୂଚନା ଅନୁସାରେ ଆଜିଠୁ ପ୍ରାୟ ୧୦ ରୁ ୧୨ ଵର୍ଷ ପୂର୍ବେ କୌଣସି କାରଣ ବଶତଃ ମାନସିକ ବିକାର ଗ୍ରସ୍ତହୋଇ ଶ୍ରୀକ୍ରିଷ୍ଣା ଖଣ୍ଡେୟା ମାଲକାନଗିରି ଜିଲ୍ଲା କାଲିମେଳା ବ୍ଲକ ଅନ୍ତର୍ଗତ ଏମ.ପି.ଭି-୭୩(କୁନାନପଲ୍ଲୀ) ଗ୍ରାମକୁ ଆସିଥିଲେ ।

ସେତେବେଳେ ତାଙ୍କର ମାନସିକ ଅବସ୍ଥା ଠିକ ନ ଥିଲା l ଗ୍ରାମବାସୀ ମାନେ ଅନେକ ସମୟରେ ତାଙ୍କ ପରିଚୟ, ଠିକଣା ଜାଣିବାକୁ ଚେଷ୍ଟା କଲେ ମଧ୍ୟ ବିଫଳ ହେଇଛନ୍ତି l ତାଙ୍କର ଏହିପରି ଅବସ୍ଥା ଦେଖି ଗ୍ରାମବାସୀ ମାନେ ତାଙ୍କୁ କମ୍ୟୁନିଟ ହଲରେ ରହିବାର ବ୍ୟବସ୍ଥା କରିଥିଲେ l ପରିବାର କହିଲେ ତାଙ୍କର କେହି ନାହାନ୍ତି , ପେଟରେ ମୁଠାଏ ଦାନା ଦେବା ପାଇଁ ମାଗିବାକୁ ପଡୁଛି ଭିକ । ଭିକ ନ ମାଗିଲେ ସେଦିନ ଭୋକରେ ରହିବାକୁ ପଡୁଛି ଶ୍ରୀକ୍ରିଷ୍ଣା ଖଣ୍ଡେୟାଙ୍କୁ l ଭିକ ମାଗି ଓ ଚିରା ଫଟା ପୋଷାକ ପିନ୍ଧି ବିତି ଯାଉଛି ଶ୍ରୀକ୍ରିଷ୍ଣା ଖଣ୍ଡେୟାଙ୍କ ଜୀବନ । ଅନେକ ସମୟରେ ଗ୍ରାମବାସୀ ମାନେ ମଧ୍ୟ ନିଜ ଇଚ୍ଛା ମୁତାବକ ତାଙ୍କୁ ସାହାଯ୍ୟ କରୁଛନ୍ତି ।

ଏକାକୀ ଜୀବନ ନା କାହାକୁ କିଛି କହନ୍ତି ନା ଅନ୍ୟ ମାନସିକ ବିକାର ଗ୍ରସ୍ତଙ୍କ ଭଳି ଲୋକଙ୍କୁ ହଇରାଣକରନ୍ତି। ଶାନ୍ତ ସରଳ ଶ୍ରୀକ୍ରୀଷ୍ଣା ନିଜ ଭାଗ୍ୟକୁ ଆଦରି ପଡ଼ି ରହିଛନ୍ତି କମ୍ୟୁନିଟ ହଲରେ। ସରକାର ପୁଅଝିଅଙ୍କ ଅଣଦେଖା ଯୋଗୁଁ ଅସହାୟ ହେଉଥିବା ବାପାମାଆଙ୍କ ଥଇଥାନ ପାଇଁ ଵୃଦ୍ଧାଶ୍ରମ ନିର୍ମାଣ କରିଛନ୍ତି। ତେବେ ସାଧାରଣରେ ପ୍ରତିକ୍ରିୟା ଏହିକି ଯେ, ପରିବାର ହୀନ ଅସହାୟ, ମାନସିକ ଦୁର୍ଵଳ ଏହି ବୃଦ୍ଧଙ୍କୁ କ’ଣ ଵୃଦ୍ଧାଶ୍ରମରେ ରଖିବାର ବ୍ୟବସ୍ଥା କରାଯାଇପାରିବ ନାହିଁ ? ଶ୍ରୀକ୍ରିଷ୍ଣା ଖଣ୍ଡେୟାଙ୍କୁ ସରକାରୀ ସହାୟତା କିଛି ମିଳିଲେ ଭଲ ହୁଅନ୍ତା ବୋଲି ଗ୍ରାମବାସୀ ପ୍ରଶାସନ ପାଖରେ ନିବେଦନ କରିଛନ୍ତି ।

Comments
Loading...