କ୍ୱାକ୍‌ଙ୍କ ଇଞ୍ଜେକ୍‌ସନ୍‌ରେ ଚାଲିଗଲା ଛାତ୍ରର ଜୀବନ

କୋଶଲ ନ୍ୟୁଜ୍ ବ୍ୟୁରୋ |

ନୟାଗଡ —
-ନୟାଗଡ ମୁଖ୍ୟ ଚିକିତ୍ସାଳୟରେ ଜଣେ ୧୦ ବର୍ଷିୟ ନାବାଳକଙ୍କ ମୃତ୍ୟୁ ଘଟିଛି । ମୃତ ନାବାଳକଙ୍କୁ ଜଣେ କ୍ୱାକ୍ ଭୁଲ ଇଞ୍ଜେକ୍‌ସନ୍ ଦେବା କାରଣରୁ ତାଙ୍କ ଅବସ୍ଥା ଗୁରୁତର ହୋଇ ମୃତ୍ୟୁ ଘଟିଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି । ସୂଚନାନୁସାରେ, ନୟାଗଡ଼ ଜିଲ୍ଲା ନୂଆଗାଁ ଥାନା ଅନ୍ତର୍ଗତ ମହୀପୁର ପଂଚାୟତ ମାଳିସର ଗ୍ରାମର ବିଶ୍ୱନାଥ ପରିଡ଼ାଙ୍କ ପୁଅ ରାଜେଶ କୁମାର ପରିଡ଼ା (୧୦)ଙ୍କର ଥଣ୍ଡା ଜ୍ୱର ହୋଇଥିଲା । କରୋନା ସମୟରେ ଥଣ୍ଡା ଜ୍ୱରକୁ ଭୟ କରି ରାଜେଶଙ୍କ ବାପା ବିଶ୍ୱନାଥ ଗତକାଲି ଅପରାହ୍ନରେ ତାଙ୍କୁ ଦୁରୁଦୁରା ଗ୍ରାମରେ କ୍ଲିନିକ କରିଥିବା କ୍ୱାକ୍ ପ୍ରମୋଦ କୁମାର ରଥଙ୍କ ପାଖକୁ ଚିକିତ୍ସା ପାଇଁ ନେଇଥିଲେ । ସେଠାରେ ପ୍ରମୋଦ ଛୁଆକୁ ଦେଖିବା ପରେ ଔଷଧ ଦେଲେ ଜ୍ୱର କମିବାକୁ ବିଳମ୍ବ ହେବ ଇଞ୍ଜେକ୍‌ସନ୍ ଦେଇ ଦେଉଛି ବୋଲି କହିଥିଲେ । ପୁଅର ଦେହ ଭଲ ହେବା ଲକ୍ଷରେ ବିଶ୍ୱନାଥ ପ୍ରମୋଦଙ୍କ କଥାରେ ରାଜି ହେବାରୁ ସେ ରାଜେଶକୁ ଏକ ଇଞ୍ଜେକ୍‌ସନ୍ ଦେଇଥିଲେ । ଇଞ୍ଜେକ୍‌ସନ୍ ଦେବାର କିଛି କ୍ଷଣ ପରେ ରାଜେଶ ହଠାତ୍ ଗୁରୁତର ହୋଇପଡ଼ିଥିବା ତାଙ୍କ ବାପା ଅଭିଯୋଗ କରିଛନ୍ତି । ହଠାତ୍ ରାଜେଶ ଆଖି ତରାଟି ଚେତା ଶୂନ୍ୟ ହୋଇପଡ଼ିବାରୁ କ୍ୱାକ ପ୍ରମୋଦ ଏକ ଅଟୋ ଯୋଗେ ବିଶ୍ୱନାଥ ଏବଂ ପୁଅ ରାଜେଶକୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇ ଦେଇଥିଲେ । ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ପହଂଚିବା ପରେ ରାଜେଶଙ୍କ ମୃତ୍ୟୁ ଘଟିଥିବା ଡାକ୍ତର ଘୋଷଣା କରିଥିଲେ । 
ଘଟଣାକୁ ନେଇ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଶୋକାକୂଳ ପରିବେଶ ସୃଷ୍ଟି ହେବା ସହ ସାମାନ୍ୟ ଉତ୍ତେଜନା ପ୍ରକାଶ ପାଇଥିଲା । ଖବରପାଇ ନୟାଗଡ଼ ଟାଉନଥାନା ପୁଲିସ ଡାକ୍ତରଖାନାରେ ପଂହଚି ରାଜେଶଙ୍କର ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି । ବିଶ୍ୱନାଥଙ୍କର ଦୁଇଟି ଝିଅ ରହିଥିବା ବେଳେ ରାଜେଶ ଏକ ମାତ୍ର ପୁଅ ହୋଇଥିବା ଜଣାଯାଇଛି । ସେ ଚତୁର୍ଥ ଶ୍ରେଣୀର ଛାତ୍ର ବୋଲି ଜଣାଯାଇଛି । 
ଏହି ଘଟଣାକୁ ନେଇ ପରିବାର ଲୋକେ ଥାନାର ଦ୍ୱାରସ୍ଥ ହେବେ ବୋଲି କହିଛନ୍ତି । ଅନ୍ୟପକ୍ଷେ, ଇଞ୍ଜେକ୍‌ସନ୍ ଦେଇଥିବା କ୍ୱାକ୍ ପଛରେ ଯାଉଛି କହିଥିଲେ ମଧ୍ୟ ରାଜେଶଙ୍କ ମୃତ୍ୟୁ ଖବରପାଇ ଡାକ୍ତରଖାନା ନିକଟରୁ ଖସି ଯାଇଥିବା ଜଣାଯାଇଛି ।
Comments
Loading...