ଆଦିବାସୀଙ୍କୁ ଜୀବିକା ଜଗାଉଛି କାଇ ବା “ଚାପଡ଼ା ଅଣ୍ଡା

ନବରଙ୍ଗପୁର :-ବିଚିତ୍ର ଏ ଦୁନିଆ । ବଣଜଙ୍ଗଲ ସମସ୍ତଙ୍କ ପାଇଁ ଭରି ଦେଇଛି ଖାଦ୍ୟ । ବନବାସୀ ମାନେ ଜଙ୍ଗଲରୁ ସଂଗୃହୀତ ଫଳମୂଳ ଖାଇବା ସହିତ କେତେକ କୀଟପତଙ୍ଗ ଖାଇବାକୁ ପସନ୍ଦ କରନ୍ତି। ତନ୍ମଧ୍ୟରୁ କାଇ ବା ଚାପଡ଼ା ଅଣ୍ଡା ଅନ୍ୟତମ। କିନ୍ତୁ ଏହି ଋତୁରେ ପର୍ଯ୍ୟାପ୍ତ ପରିମାଣରେ ମିଳିଥାଏ ଏହି ଚାପଡ଼ା ଅଣ୍ଡା । ବଣଜଙ୍ଗଲରେ ଓ ଗ୍ରାମାଞ୍ଚଳରେ ଏହାର ଚାହିଦା ଅଧିକ ଥିଲେ ହେଁ ସହରାଞ୍ଚଳରେ ମଧ୍ୟ ଏହାର ଚାହିଦା ଅଧିକ ରହିଛି। ଆଜିକାଲି ସହରାଞ୍ଚଳରେ ଏହା ବହୁ ପରିମାଣରେ ହାଟବଜାର, ରାସ୍ତାକଡରେ ବନବାସୀ ଆଦିବାସୀ ଭାଇ ଭଉଣୀ ମାନେ ଶାଳ ପତରରେ ପସରା ମେଲାଇ ବିକିଥାନ୍ତି। ଏହି ଚାପଡ଼ା ଅଣ୍ଡାର ସ୍ବାଦ ଆମ୍ବିଳିଆ। ବାସିଭାତ ବା ମାଣ୍ଡିଆ ପେଜ ସହିତ ଖାଇଥାଉ ବୋଲି ଆଦିବାସୀ ଭାଇ ମାନେ କହିଛନ୍ତି। ଏଥିରେ ଔଷଧୀୟ ଗୁଣ ରହିଛି ା ଏଣୁ ବନବାସୀ ମାନେ ଏହାକୁ ପାଟି ସୁଆଦିଆ ପାଇଁ ଖାଇବା ସହ କେତେକ ରୋଗ ନିରାକରଣ ପାଇଁ ଖାଇଥାନ୍ତି। ଏହି ସମୟରେ ଚାପଡ଼ା ବା ଲାଲ ପିମ୍ପୁଡି ବିଭିନ୍ନ ଗଛ ଡାଳରେ ବସା ବାନ୍ଧିଥାନ୍ତି। ଗଛ ଡାଳରେ ପତ୍ରକୁ ବାନ୍ଧି ଠୋଲା ଆକରର ତିଆରି କରି ଏହା ଭିତରେ ଅଣ୍ଡା ଦେଇଥାନ୍ତି। ଲକ୍ଷ ଲକ୍ଷ ସଂଖ୍ୟାରେ ଧଳା ଧଳା ଅଣ୍ଡା ଦେଇଥାନ୍ତି ଯାହାକି ଭାତ ସଦୃଶ୍ୟ ଦେଖାଯାଇଥାଏ। ଏହି ବସାକୁ ସାବଧାନତାର ସହ ତଳକୁ ଆଣିଥାନ୍ତି। ତେବେ ନିଜର ସୁରକ୍ଷା ପାଇଁ କାଇ ବା ଲାଲ ପିମ୍ପୁଡି ମାନେ କାମୁଡିଥାନ୍ତି। ଏହି ଅଣ୍ଡାକୁ ସ୍ଥାନୀୟ ଲୋକ ଚାପଡ଼ା ଅଣ୍ଡା ବୋଲି କହିଥାନ୍ତି। ଏହାକୁ ସେମାନେ ରାନ୍ଧି ଖାଇଥାନ୍ତି। ସେହିପରି ଚାପଡ଼ା ବା ଲାଲ ପିମ୍ପୁଡି କୁ ମଧ୍ୟ ଅନେକ ଆଚାର କରି ଭବିଷ୍ୟତ ପାଇଁ ସାଇତି ରଖି ଖାଇଥାନ୍ତି। ଯାହାବି ହେଉ ଏହି ଚାପଡ଼ା ଅଣ୍ଡା ଆଜିକାଲି ଆଦିବାସୀଙ୍କୁ ଜୀବିକା ଜଗାଉଛି।

ରିପୋଟ ମିହିର ଶଙ୍କର ପାତ୍ର, ନବରଙ୍ଗପୁର।

Comments
Loading...