ତୁମୁଡିବନ୍ଧରେ ମିଶ୍ରଣ ପର୍ବ ଜରିଆରେ ବିରୋଧୀଙ୍କ ମୁହଁ ବନ୍ଦ କଲା ବିଜେଡି

ତୁମୁଡିବନ୍ଧ(କୋଶଲ ନ୍ୟୁଜ):- ଆଗାମୀ ସାଧାରଣ ନିର୍ବାଚନ ପୂର୍ବରୁ ୩ ପ୍ରମୁଖ ଦଳ ତୁମୁଡିବନ୍ଧ ଅଞ୍ଚଳରେ ଜନମତ ହାତେଇବାକୁ ନିଜ ନିଜର ପ୍ରାକ ପ୍ରସ୍ତୁତି ଇତିମଧ୍ୟରେ ଆରମ୍ଭ କରିଦେଇଛନ୍ତି l ବିଜେପି ସେଭଳି କିଛି ଆଖିଦୃଶିଆ କାର୍ଯ୍ୟକ୍ରମ ହାତକୁ ନେଇ ନଥିବା ବେଳେ କଂଗ୍ରେସ ଏକାଧିକ ପଞ୍ଚାୟତ ଓ ଗ୍ରାମାଞ୍ଚଳରେ ନିଜର ସ୍ଥିତି ସୁଧାରିବା ପାଇଁ ଏକାଧିକ ମିଶ୍ରଣ ପର୍ବ କରି ଆଗାମୀ ନିର୍ବାଚନ ପାଇଁ ଚର୍ଚ୍ଚାକୁ ଆସିଛି l ତେବେ ଗତ ଦୁଇ ଯୋଜନା ବାଲିଗୁଡ଼ା ବିଧାନସଭା ଓ କନ୍ଧମାଳ ଲୋକସଭା ଆସନ ନିଜ ଅକ୍ତିଆରରେ ରଖିଥିବା ବିଜେଡି ମଧ୍ୟ ଏକାଧିକ ମିଶ୍ରଣ ପର୍ବ ଜରିଆରେ ତୁମୁଡିବନ୍ଧ ବ୍ଲକରେ ନିଜ ସ୍ଥିତି ସମୀକ୍ଷା କରିଛି l ରବିବାର ଦିନ ତୁମୁଡିବନ୍ଧ ଟାଉନ ଉପରେ ଏକ ମିଶ୍ରଣ ପର୍ବ କରି ବିଜେଡି ତାହାର ଶକ୍ତି ପ୍ରଦର୍ଶନ କରିଛି ବିରୋଧୀଙ୍କୁ l ଏହି ମିଶ୍ରଣ ପର୍ବରେ ଏକ ହଜାରରୁ ଉର୍ଦ୍ଧ ଉଭୟ କଂଗ୍ରେସ ଓ ବିଜେପି ର ସମର୍ଥକ ବିଧିବଦ୍ଧ ଭାବେ ବିଜେଡି ରେ ସାମିଲ ହୋଇଥିଲେ l ତୁମୁଡିବନ୍ଧ ଟାଉନର ଆମ୍ବେଦକର ଛକ, ମହୁଲଭୁରି, ବାହାଲପଦା, ବେନାରବାହାଲ, ଲାବଣ୍ୟନଗର, ବୁଡ଼ାପଡ଼ା, ସଗଡ଼ିଆସାହି, ଲୋହରା ସାହି, ଲାଇନପଡ଼ା, ଖାରି ସାହି, ଝରିଆପଦା, ମଞ୍ଜିଆପଦା, ଏବଂ ବଜାର ସାହିରୁ ବହୁ ସମର୍ଥକ ଓଡିଶା ପ୍ରଦେଶର ବିକାଶ ସାରଥୀ ବିଜୁ ଜନତା ଦଳ ଉପରେ ସନ୍ତୋଷ ବ୍ୟକ୍ତ କରି ଆଗାମୀ ନିର୍ବାଚନରେ ବିଜେଡି କୁ ବିପୁଳ ସମର୍ଥନ କରିବା ପାଇଁ ପ୍ରତିଶୃତି ଦେଇଛନ୍ତି l ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଏକାଧିକ ଜନହିତକାରୀ ଯୋଜନା ଓ ତୁମୁଡିବନ୍ଧ ବିଜେଡି ବ୍ଲକ ସଭାପତି ପ୍ରମୋଦ ସାହୁଙ୍କ ଶୃଙ୍ଖଳିତ ନେତୃତ୍ୱରେ ପ୍ରଭାବିତ ହୋଇ ବିଜେଡି ପ୍ରତି ଆକୃଷ୍ଟ ହୋଇଥିବା କଥା ଆଜି ନୂତନ ଭାବେ ଦଳରେ ସାମିଲ ହୋଇଥିବା ସମର୍ଥକ ମାନେ ପ୍ରତିକ୍ରିୟା ରଖିଛନ୍ତି l ବିଜେଡି ପକ୍ଷରୁ ମଧ୍ୟ ଶୃଙ୍ଖଳିତ ଭାବେ ସମସ୍ତଙ୍କୁ ସ୍ୱାଗତ କରାଯାଇଛି l ଏହାପରେ ଏକ ପଟୁଆରରେ ସଗଡ଼ିଆସାହି ର ଶତାଧିକ ପୁରୁଷ ମହିଳା ବାଲିଗୁଡ଼ା ନିର୍ବାଚନ ମଣ୍ଡଳୀ ସଂଯୋଜକ ଟୁନା ଦାସ, ପର୍ଯ୍ୟବେକ୍ଷକ ଅଜୟ ମହାରଣା, ବିଧାୟକ ଚକ୍ରମଣି କଁହର, ବ୍ଲକ ସଭାପତି ପ୍ରମୋଦ ସାହୁ, ପୂର୍ବତନ ବିଧାୟକ ରାଜୀବ ପାତ୍ର, ଜିଲ୍ଲାପରିଷଦ ସଭ୍ୟ ନବୀନ ପାତ୍ର,ତୁମୁଡିବନ୍ଧ ପଞ୍ଚାୟତ ସଭାପତି ଜିସାୟ ମଣ୍ଡଳ ଓ ବହୁ କର୍ମୀଙ୍କୁ ବାଜାବାଜଣା କରି ଗାଁ ମୁଣ୍ଡରୁ ବନ୍ଦାପନା କରି ହୁଳହୁଳି ଦେଇ ପାଛୋଟି ନେଇ ଗ୍ରାମ୍ୟ କମିଟି ଗୃହ ଭୂମୀ ପୂଜନ କାର୍ଯ୍ୟକ୍ରମ ସମ୍ପନ୍ନ କରିଥିଲେ l ଏହି ପରିପ୍ରେକ୍ଷୀରେ ଗ୍ରାମ୍ୟ କମିଟି ଗୃହ ନିମନ୍ତେ ୬ ଲକ୍ଷ ସହାୟତା ରାଶି ସାଂସଦଙ୍କ ପାଣ୍ଠିରୁ ମଞ୍ଜୁରୀ ନିମନ୍ତେ ସଂଯୋଜକ ଟୁନା ଦାସ ଘୋଷଣା କରିଥିଲେ l ସେହିଭଳି ଲୋହରା ସାହି ଏବଂ ଲାଇନପଡ଼ା ରେ ମଧ୍ୟ ଭବ୍ୟ ସ୍ୱାଗତ କରାଯାଇଥିଲା l ତେବେ ବିଜେଡି ପ୍ରତି ଲୋକଙ୍କର ଏହିଭଳି ସମର୍ଥନର ସୁଅ ଛୁଟିବା ଦେଖି ବିରୋଧଙ୍କ ମୁହଁ ବନ୍ଦ ହୋଇଯାଇଥିବା ଛକ ବଜାରରେ ଆଲୋଚନା ହେଉଚି l ବିରୋଧୀ କର୍ମୀ ଗାଁ ଗାଁ ବୁଲି ନିରୀହ ସମର୍ଥକ ମାନଙ୍କୁ ବିଜେଡି ର ମିଶ୍ରଣ ପର୍ବକୁ ଯିବାକୁ ବାରଣ କରି ବାଟ ଓଗାଳୁଥିବା ମଧ୍ୟ ସାଧାରଣରେ ଆଲୋଚନା ହେଉଛି l

ରିପୋର୍ଟ – ପବିତ୍ର ଦିଗାଳ

Comments
Loading...