ଆପଣଙ୍କର ଏସବିଆଇରେ ଆକାଉଣ୍ଟ ଅଛି କି ? ଜୁଲାଇ ୧ରୁ ହେବାକୁ ଥିବା ଏହି ସବୁ ପରିବର୍ତ୍ତନ ବିଷୟରେ ଜାଣି ନିଅନ୍ତୁ

ନୂଆଦିଲ୍ଲୀ: ଏସବିଆଇ ଗ୍ରାହକଙ୍କ ପାଇଁ ବଡ଼ ଖବର । ଜୁଲାଇ ୧ରୁ ହେବ ବଡ଼ ପରିବର୍ତ୍ତନ । ଷ୍ଟେଟ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ ଗ୍ରାହକଙ୍କ ପାଇଁ ଆସନ୍ତା ଜୁଲାଇ ୧ ତାରିଖରୁ ଅନେକ କ୍ଷେତ୍ରରେ ପରିବର୍ତ୍ତନ ଆଣିବାକୁ ଯାଉଛି । ଏଟିଏମରୁ ଟଙ୍କା ଉଠାଣ, ଖାତାରୁ ନଗଦ ଟଙ୍କା ଉଠାଣ ଏବଂ ଚେକ୍ ବୁକ୍ ଇସ୍ୟୁ ଇତ୍ୟାଦି ଏଥିରେ ସାମିଲ ଅଛି । ଏଣିକି ଟଙ୍କା ଉଠାଣ ଉପରେ ଲାଗିବ ଅତିରିକ୍ତ ଚାର୍ଜ । ବେସିକ୍ ସେଭିଂ ବ୍ୟାଙ୍କ୍ ଡିପୋଜିଟ୍ ଆକାଉଂଟଧାରୀଙ୍କ ପାଇଁ ଏହି ନୂତନ ଦେୟ ଲାଗୁ ହେବ । ଆସନ୍ତୁ ଜାଣିବା କ’ଣ ସବୁ ନୂଆ ନିୟମ ଜାରି କରିଛି ଏସବିଆଇ ।

ଏସବିଆଇର ବେସିକ୍ ସେଭିଂ ବ୍ୟାଙ୍କ୍ ଡିପୋଜିଟ୍ ଆକାଉଂଟ ସମାଜର ଗରିବ ଶ୍ରେଣୀଙ୍କ ପାଇଁ ଉଦ୍ଦିଷ୍ଟ, ଯେଉଁମାନେ ବିନା କୌଣସି ଶୁଳ୍କରେ ଆକାଉଂଟ ଖୋଲିପାରିବେ । ଏହାକୁ ଜିରୋ ବାଲାନ୍ସ ସେଭିଂ ଆକାଉଂଟ ମଧ୍ୟ କୁହାଯାଏ । ତେବେ ଯେକୌଣସି ବ୍ୟକ୍ତି ଯାହାଙ୍କ ପାଖରେ ବୈଧ କେୱାଇସି ଡକ୍ୟୁମେଣ୍ଟ ରହିଥିବ, ସେମାନେ ଏଣିକି ଏସବିଆଇର ବେସିକ୍ ସେଭିଂ ବ୍ୟାଙ୍କ୍ ଡିପୋଜିଟରେ ଖାତା ଖୋଲିପାରିବେ ।

ତେବେ ଏହି ଖାତାଧାରୀ ମାସରେ ମାତ୍ର ୪ ଥର ମାଗଣାରେ ଟଙ୍କା ଉଠାଣ କରିପାରିବେ । ଏଥିରେ ଏଟିଏମରୁ ଟଙ୍କା ଉଠାଣ ମଧ୍ୟ ସାମିଲ ଅଛି । ତେବେ ଫ୍ରି ଲିମିଟ୍ ଶେଷ ହେବା ପରେ ଅର୍ଥାତ ୪ଥର ଟଙ୍କା ଉଠାଣ ପରେ ପ୍ରତିଟି ଟ୍ରାଞ୍ଜାକସନ୍ ପାଇଁ ୧୫ ଟଙ୍କା ସହିତ ଜିଏସଟି ଚାର୍ଜ କରାଯିବ । ଏହା ଘରୋଇ ଶାଖା, ଏସବିଆଇ ଏଟିଏମ୍ ଏବଂ ଅନ୍ୟ ବ୍ୟାଙ୍କ ଏଟିଏମରେ ଲାଗୁ ହେବ।


ଷ୍ଟେଟ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ ଆର୍ଥିକ ବର୍ଷରେ ୧୦ ଟି ଚେକ୍ ପତ୍ର ବେସିକ୍ ସେଭିଂ ବ୍ୟାଙ୍କ୍ ଡିପୋଜିଟ୍ ଆକାଉଣ୍ଟଧାରୀଙ୍କୁ ପ୍ରଦାନ କରିବ | ଏହା ପରେ, ଚେକ୍ ଯୋଗାଇବା ପାଇଁ ଏସବିଆଇ ନିର୍ଦ୍ଦିଷ୍ଟ ପରିମାଣ ଆଦାୟ କରିବ | ୧୦ ଟି ଚେକ୍ ପତ୍ର ପାଇଁ ଜିଏସଟି ସହ ୪୦ଟଙ୍କା, ୨୫ଟି ଚେକ୍ ପତ୍ର ପାଇଁ ଜିଏସଟି ସହ ୭୫ଟଙ୍କା ଏବଂ ଏମରଜେନ୍ସି ଚେକ୍ ବୁକ୍ ପାଇଁ ୫୦ ଟଙ୍କା ସହ ଜିଏସଟି ଚାର୍ଜ କରାଯିବ | ତେବେ ବରିଷ୍ଠ ନାଗରିକମାନେ ଚେକ୍ ବୁକ୍ ଉପରେ ନୂତନ ସେବା ଦେୟରୁ ବଞ୍ଚିତ ହେବେ |

ତେବେ ଚେକ୍ ମାଧ୍ୟମରେ ଟଙ୍କା ଉଠାଇବା ସୀମାକୁ ବଢାଇଦେଇଛି ବ୍ୟାଙ୍କ । ଏଣିକି ଗୋଟିଏ ଦିନରେ ୧ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଉଠାଣ କରିହେବ । ସେହିପରି ୱିଥଡ୍ରାଲ୍ ଫର୍ମ ମାଧ୍ୟମରେ ଏକ ସେଭିଙ୍ଗସ ବ୍ୟାଙ୍କ ଖାତାରୁ ଟଙ୍କା ଉଠାଣ ସୀମାକୁ ୨୫,୦୦୦ ଟଙ୍କାକୁ ବୃଦ୍ଧି କରାଯାଇଛି ।

Comments
Loading...