ତାଳଚେର (କୋଶଲ ନ୍ୟୁଜ୍):- ଅଯୋଧ୍ୟା ରେ ଦୀର୍ଘ ୫୦୦ ବର୍ଷର ସଂଘର୍ଷ ପରେ ଶ୍ରୀରାମ ଜନ୍ମଭୂମୀରେ ପ୍ରଭୁ ଶ୍ରୀରାମ ଲାଲାଙ୍କର ପ୍ରାଣ ପ୍ରତିଷ୍ଠା ଉତ୍ସବ ଜାନୁଆରୀ ୨୨ ତାରିଖରେ ଅନୁଷ୍ଠିତ ହୋଇଯାଇଛି।ଏହାକୁ ନେଇ ସମଗ୍ର ଦେଶ ବିଦେଶରେ ସବୁଠି ଉତ୍ସବ ମୁଖର ପରିସ୍ଥିତି । ଏହି ଅବସରରେ ତାଳଚେର ଅଞ୍ଚଳର ଉତ୍ସାହୀ ଯୁବ ରାମଭକ୍ତ ସୁଭମ ସାହୁ (୨୨) ଜାନୁଆରୀ ୪ ତାରିଖରୁ ତାଳଚେର ରୁ ପାଦରେ ଚାଲି ଚାଲି ଅଯୋଧ୍ୟା ରାମ ମନ୍ଦିର ଯାତ୍ରା ଆରମ୍ଭ କରିଥିଲେ। ସୁଭମ ୩୦ ଦିନ ପଦ ଯାତ୍ରା କରି ୧୦୦୦ କିଲୋମିଟର ରାସ୍ତା ଅତିକ୍ରମ କରି ଫେବ୍ରୁଆରୀ ୨ ତାରିଖରେ ଅଯୋଧ୍ୟାରେ ପହଞ୍ଚି ଭଗବାନ ରାମ ଲାଲାଙ୍କର ଦର୍ଶନ କରିବାର ସୌଭାଗ୍ୟ ଅର୍ଜନ କରିଥିଲେ।
ଅଯୋଧ୍ୟାରୁ ନୁଆଁଦିଲ୍ଲୀ ଡକାଇ କେନ୍ଦ୍ରମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ ୬ ତାରିଖ ମଙ୍ଗଳବାର ତାଙ୍କ ବାସ ଭବନରେ ସୁଭମ କୁ ସମ୍ବର୍ଦ୍ଧିତ କରିବା ସହ ତାଙ୍କର ପରିବାର ସହ କଥାବାର୍ତ୍ତା ହୋଇଥିଲେ । ଆଜି ଗୁରୁବାର କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଧର୍ମପତ୍ନୀ ତଥା ବିକାଶ ଫାଉଣ୍ଡେସନ ଟ୍ରଷ୍ଟ ର ଅଧ୍ୟକ୍ଷା ମୃଦୁଳା ଠାକୁର ପ୍ରଧାନ ସୁଭମ ଙ୍କୁ ନୁଆଁ ଦିଲ୍ଲୀ ରୁ ତାଳଚେର ଆଣି ହାଟ ତୋଟା ହନୁମାନ ମନ୍ଦିର ରେ ପହଞ୍ଚାଇ ଥିଲେ। ସେଠାରେ ତାଙ୍କୁ ସମ୍ବର୍ଦ୍ଧନା ଦିଆଯିବା ସହ ପୂଜାର୍ଚ୍ଚନା ହୋମ ଯଜ୍ଞର ଆୟୋଜନ କରାଯାଇଥିଲା।ସେଠାରୁ ଶହ ଶହ ସଂଖ୍ୟାରେ ଜନ ସାଧାରଣ ଏକ ବିରାଟ ଶୋଭାଯାତ୍ରାରେ ସହର ପରିକ୍ରମା କରି ତାଙ୍କ ତାଳଚେର ଟାଉନ ବଉଳ ଛକ ସ୍ଥିତ ବାସ ଭବନ ରେ ପହଞ୍ଚାଇଥିଲେ। ରାସ୍ତାରେ ସମସ୍ତ ବଜାର କମିଟି, ବିଭିନ୍ନ ଅନୁଷ୍ଠାନ,ବାର ଆସୋସିଏସନ ଏବଂ ସମସ୍ତେ ଘରେ ଘରେ ଫୁଲ ଦୀପ ଲଗାଇ ବନ୍ଦାପନା କରାଯାଇଥିଲା।ସମଗ୍ର ତାଳଚେର ରେ ଉତ୍ସବ ଭଳି ପରିସ୍ଥିତି ଦେଖା ଯାଉଥିଲା। ବରିଷ୍ଠ ବିଜେପି ନେତା କାଳନ୍ଦି ସାମଲ, ଯଯାତି ପଟ୍ଟନାୟକ, ପର୍ଶୁରାମ ବାରିକ, ଜିତେନ୍ଦ୍ର ଦାସ, ସତ୍ୟବନ୍ତ ସାହୁ, ରାଜେନ୍ଦ୍ର ସିଂହ, ରତ୍ନାକର ସାହୁ,ମନୋଜ ପ୍ରଧାନ, ବିଭୁତି ସାହୁ ପ୍ରମୁଖ ସୁଭମ କୁ ସମ୍ବର୍ଦ୍ଧନା ଦେବା ସହ ଶତାଧିକ କାର୍ଯ୍ୟକର୍ତା ଏବଂ ରାମଭକ୍ତ ଶୋଭାଯାତ୍ରାରେ ସାମିଲ ହୋଇଥିଲେ।
ଭଗବାନ ଶ୍ରୀରାମଙ୍କ କାର୍ଯ୍ୟରେ କୌଣସି ବାଧା ସୃଷ୍ଟି ହେବନାହିଁ । ଭଗବାନ ରାମ ଲାଲାଙ୍କୁ ଦର୍ଶନ କରିବା ପରେ ଜୀବନ ସାର୍ଥକ ହୋଇଗଲା ବୋଲି ସୁଭମ ପ୍ରକାଶ କରିଛନ୍ତି। ମୋ ଯିବା ରାସ୍ତାରେ ଓଡ଼ିଶା, ଛତିଶଗଡ଼, ମଧ୍ୟ ପ୍ରଦେଶ ଏବଂ ଉତ୍ତର ପ୍ରଦେଶ କୌଣସି ସ୍ଥାନରେ କିଛି ଅସୁବିଧା ହୋଇନାହିଁ । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କର ସବୁ ଜାଗାରେ ସହଯୋଗ ମିଳୁଥିଲା ଏବଂ ସେ ମୋ ସହିତ ବହୁବାର କଥାବାର୍ତ୍ତା ହୋଇଥିଲେ ବୋଲି ସୁଭମ ପ୍ରକାଶ କରିଛନ୍ତି।