ସାଇବର ଅପରାଧୀଙ୍କ ନୁଆଁ କୌଶଳ, ଏସବିଆଇ ୟୋନୋ ଆପ୍ ନାଁରେ ଠକିନେଲେ ୩୭ ହଜାର

ଲାଞ୍ଜିଗଡ଼,୩୦/୦୪(କୋଶଲ ନ୍ୟୁଜ୍): କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ବ୍ଲକ ବିଜେପୁର ଥାନା ପଦ୍ମଥୋପା ଗାଁର ହରିହର ନାଏକଙ୍କ ଠାରୁ ୟୋନୋ ଆପ ନାଁରେ ସାଇବର ଅପରାଧୀ ମାନେ ୩୭ହଜାର ୪୪୮ ଟଙ୍କା ଠକି ନେଇଛନ୍ତି। ଏନେଇ ହରିହର ଭବାନୀପାଟଣା ସାଇବର ଥାନାରେ ଅଭିଯୋଗ କରିଛନ୍ତି। ସୂଚନା ଅନୁସାରେ କିଛି ଦିନ ହେଲା ଲୋକଙ୍କୁ ବିଭିନ୍ନ ହ୍ୱାଟ୍ସଆପ୍ ଗ୍ରୁପରେ ଏସବିଆଇ ୟୋନୋ ଆପ୍ ଇନଷ୍ଟଲ୍ କରିବାକୁ ମେସେଜ ଲିଙ୍କ ଆସୁଛି। ଏହି ଲିଙ୍କରେ କ୍ଲିକ କରି ୟୋନୋ ଆପ୍ ଇନଷ୍ଟାଲ କଲେ ୭୩୪୫ ଟଙ୍କା ଇୱାର୍ଡ ମିଳିବ ବୋଲି କୁହାଯାଇଥିବାରୁ ଉତ୍ସକତା ବଶତଃ ହରିହର ଉକ୍ତ ଲିଙ୍କରେ କ୍ଲିକ କରିଥିଲେ। ଫଳରେ କିଛି ସମୟ ପରେ ତାଙ୍କ ଆକାଉଣ୍ଟରୁ ପ୍ରଥମ ପର୍ଯ୍ୟାୟରେ ୨୯୦୦ ଟଙ୍କା, ଦ୍ୱିତୀୟ ପର୍ଯ୍ୟାୟରେ ୧୭୪୬୬ ଟଙ୍କା ଓ ତୃତୀୟ ପର୍ଯ୍ୟାୟରେ ୧୭୦୮୨ ଟଙ୍କା କଟିଯାଇଥିଲା। କେବଳ ସେତିକି ନୁହେଁ ତାଙ୍କ ଫୋନରେ ଥିବା ସମସ୍ତଙ୍କ ମୋବାଇଲ ନମ୍ବର ଓ ଗ୍ରୁପକୁ ଏହି ଲିଙ୍କ ସେୟାର ହୋଇଯାଇଥିଲା। ଏସମ୍ପର୍କରେ ଜାଣିବା ପରେ ସେ ବ୍ୟାଙ୍କ ସହିତ ଯୋଗାଯୋଗ କରିବା ପରେ ସେ ସାଇବର ଲୁଟେରାଙ୍କ ଶିକାର ହୋଇଥିବା ଜାଣିବାକୁ ପାଇଥିଲେ। ସାଇବର ଅପରାଧୀ ବିଭିନ୍ନ ଉପାୟ ଅବଲମ୍ବନ କରି ଲୋକଙ୍କ ଆକାଉଣ୍ଟ ଖାଲି କରି ଦେଉଛନ୍ତି। ଏ ପରିପ୍ରେକ୍ଷୀରେ କୌଣସି ଅଜଣା ଲିଙ୍କକୁ ନ ଖୋଲିବାକୁ ଓ କାରବାର ନ କରିବାକୁ ସାଇବର ବିଶେଷଜ୍ଞଙ୍କ ପକ୍ଷରୁ ପରାମର୍ଶ ଦିଆଯାଇଛି।

ରିପୋର୍ଟ-ମଳୟ ବେନୁଆଁ(ରାହୁଲ୍).

Comments
Loading...