ଶିଶୁ ସୁରକ୍ଷା ବିଭାଗ ଦ୍ୱାରା ୪ ଅସହାୟ ଶିଶୁ ଉଦ୍ଧାର

ଦେବଗଡ଼ (କୋଶଲ ନ୍ୟୁଜ୍):- ଆଜି ଦେବଗଡ଼ ଜ଼ିଲ୍ଲା ଶିଶୁ ସୁରକ୍ଷା ବିଭାଗ ଦ୍ୱାରା ରିଆମାଳ ବ୍ଲକ ଖିଲେଇ ପଞ୍ଚାୟତର ତଲେଇସର ଗ୍ରାମରୁ ୪ ଜଣ ଅସହାୟ ଶିଶୁଙ୍କୁ ଉଦ୍ଧାର କରାଯାଇଛି I ପ୍ରାପ୍ତ ସୂଚନା ଅନୁଯାଇ ଭୋଳେଶ୍ୱର ଶବର , ସ୍ତ୍ରୀ ସବିତା ଶବରଙ୍କ ସହ ଚାରି ପିଲାଙ୍କୁ ନେଇ ତଲେଇସର ଗ୍ରାମରେ ନିଜ ସଂସାର ଗଢି ଥିଲେ I ଶ୍ରମିକ ଭାବେ କାମ କରି ନିଜ ପରିବାରକୁ ଚଳାଉଥିଲେ ଭୋଳେଶ୍ୱର I ବର୍ତ୍ତମାନ ଗତ ଦୁଇ ବର୍ଷ ତଳେ ତାଙ୍କର ମୃତ୍ୟୁ ହୁଏ ପରେ ସ୍ତ୍ରୀ ସବିତା ଓ ଚାରି ପିଲା ଅସହାୟ ହୋଇ ପଡ଼ିଥିଲେ I ସରକାରଙ୍କ ତରଫରୁ ଇନ୍ଦିରା ଆବାସ ଓ ରାସନକୁ ନେଇ ପର ଘରେ ମୁଲ ଲାଗି କୌଣସି ମତେ ନିଜ ଚାରି ଶିଶୁଙ୍କୁ ନେଇ ଜୀବନ ନିର୍ବାହ କରୁଥିଲେ ସବିତା I ହେଲେ ଦାରିଦ୍ରତା ସହ ସଂଗ୍ରାମ କରି ଥକି ଯାଇଥିଲେ ସବିତା I ଶେଷରେ କୌଣସି ରାସ୍ତା ନ ପାଇ ଚାରି କଅଁଳ ଶିଶୁଙ୍କୁ ଘରେ ଏକାକୀ ଛାଡ଼ି କୁଆଡେ ନିରୁଦ୍ଧିଷ୍ଟ ହୋଇ ଯାଇଥିଲେ ସବିତା I ମା ଛାଡ଼ି ଗଲା ପରେ ପିଲାମାନେ ନିରାଶ୍ରୟ ହୋଇ ପଡ଼ିଥିଲେ I ଖବର ପାଇ ବସାଲଇରେ ରହୁଥିବା ପିତା ଭୋଳେଶ୍ୱରର ବଡ ଭଉଣୀ ବାଲି ମୁଣ୍ଡା କିଛି ଦିନ ପାଇଁ ଶିଶୁମାନଙ୍କୁ ନେଇ ପାଖରେ ରଖି ପୁଣି ଆଣି ଗାଁରେ ଥିବା ଇନ୍ଦିରା ଆବାସରେ ଛାଡ଼ି ଯାଇଥିଲେ I ପିଲାମାନେ ପୁଣି ଦ୍ବିତୀୟ ଥର ବେସାହାରା ହୋଇ ପଡ଼ିଥିଲେ I ଖିଲେଇ ସରପଞ୍ଚ ପିଲାମାନଙ୍କ ଦୁଃଖ ଦେଖି ନ ପାରି , ଘରକୁ ଆସି କିଛି ଚାଉଳ ଓ ରାସନ ଦେଇଯାଇଥିଲେ I ହେଲେ ଯତ୍ନ ଓ ସୁରକ୍ଷା ଆବଶ୍ୟକ କରୁଥିବା ୧୨ ବର୍ଷର ବଡ ଝିଅ ପୁର୍ଣିମାର ଶୈଶବ , ନିଜ ୯ ବର୍ଷର ଭାଇ ପରଦେଶୀ , ୭ ବର୍ଷର ଭଉଣୀ ପିଙ୍କି ଓ ୩ ବର୍ଷର କଅଁଳା ଭାଇ ପ୍ରଦୀପର ବୋଝ ବୋହିବା ପାଇଁ ସକ୍ଷମ ନ ଥିଲା I ମା ଛାଡ଼ି ଗଲା ପରେ ସବୁଠୁ ବେଶୀ ପ୍ରଭାବିତ ହୋଇଥିଲା ମା କ୍ଷୀର ଛାଡ଼ି ନ ଥିବା ୩ ବର୍ଷର ପ୍ରଦୀପ I ସାହି ପଡିଶା କେତେ ଦିନ ବା ପିଲାଙ୍କ କଥା ବୁଝିବେ I ବିଭିନ୍ନ ଗଣମାଧ୍ୟମରେ ଖବର ପ୍ରକାଶିତ ହେଲା ପରେ , ଜ଼ିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଶ୍ରୀ ରୋମିଓ ମହାପାତ୍ର ସୂଚନା ପାଇ ଆଜି ଚାଇଲଡ ହେଲ୍ପ ଲାଇନର ପ୍ରକଳ୍ପ ସଂଯୋଜକ ଲିଙ୍ଗରାଜ ପ୍ରଧାନ , ସୁପରଭାଇଜର ସୂର୍ଯ୍ୟାକାନ୍ତି ଭରସାଗର ଓ ଅଙ୍ଗନବାଡ଼ି କର୍ମୀ ପ୍ରେମମଞ୍ଜରୀ ପ୍ରଧାନଙ୍କ ସହ ଚାରି ଶିଶୁଙ୍କୁ ଉଦ୍ଧାର କରିଛନ୍ତି I ପିଲାମାନେ ନିଜ ଗାଁ ଓ ଘର ଛାଡ଼ି ଗଲାବେଳେ ଶତାଧିକ ଗ୍ରାମବାସୀ ଅଶ୍ରୁଳ ଚକ୍ଷୁରେ ହୁଳହୁଳି ସହ ପିଲାଙ୍କ ଶୁଭ ମନାସୀ ବିଦାୟ ଦେଉଥିବା ଦେଖିବାକୁ ମିଳିଥିଲା I ନିରୁଦ୍ଧିଷ୍ଟ ମାର କୌଣସି ସନ୍ଧାନ ନ ମିଳିବ ପର୍ଯ୍ୟନ୍ତ ପିଲାମାନେ ଶିଶୁ ଗୃହରେ ଆନୁଷ୍ଠାନିକ ଯତ୍ନ ପାଇବେ ବୋଲି ଜ଼ିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ସୂଚନା ଦେଇଛନ୍ତି I

ରିପୋର୍ଟ: ନିଲେଶ ଅନିରୁଦ୍ଧ ନାୟକ (ଦେବଗଡ଼)

Comments
Loading...