ଝିଅ ବାହାଘର ଦିନ ବାପା ଇହଲୀଳା ସମ୍ବରଣ କରିବା ସହ ପିଉସୀ ଓ ମାମୁଁ ଗୁରୁତର

ସୁନ୍ଦରଗଡ଼ : ସମୟ ଆସିଗଲେ କେହି ଅଟକେଇ ପାରିବେନି କାହାକୁ । ଏଭଳି ଏକ ଅଭାବନୀୟ ଘଟଣା ଘଟିଯାଇଛି ସୁନ୍ଦରଗଡ ଜିଲ୍ଲା କୁଆଁରମୁଣ୍ଡା ବ୍ଲକର ରାଏବଗା ଥାନା ଅନ୍ତର୍ଗତ ଟୁଟିବାହାଲ ଗ୍ରାମରେ । ଆଉ ମାତ୍ର କେଇ ଘଣ୍ଟା ପରେ ଝିଅ ବାହା ହୋଇ ଶାଶୁ ଘରକୁ ଯାଇଥାନ୍ତା ହେଲେ ଦୈବ ଲିଖନ କେ କରିବ ଆନ । ଝିଅର ବାପା ଗହନୁ ବଦରସନ (୫୫) ବାହାଘର ସକାସେ ସମସ୍ତ ବ୍ୟବସ୍ତା କରିବା ପରେ ତିଆରି କରିଥିବା ନୂତନ ଘରର ଝରକା ଛାଜା ତଳେ ଛିଡା ହୋଇ ଭଉଣୀ ସୁଧନୀ ଦେବୀ ଓ ଶଳା ଅର୍ଜୁନ ସାହୁ ସହିତ କୌଣସି ବିଷୟ ନେଇ କଥାବାର୍ତ୍ତା ହେଉଥିବା ବେଳେ ଘଟିଥିଲା ବଡ ଧରଣର ଅଘଟଣ । ଆକସ୍ମିକ ଭାବେ ହଠାତ ଛାଜା ସ୍ଲାପ ଭାଙ୍ଗି ମାଡି ବସିଥିଲା ତିନି ଜଣଙ୍କୁ । ପରିବାର ଲୋକେ ତୁରନ୍ତ ୧୦୮ ଆମ୍ବୁଲାନ୍ସ ଯୋଗେ ୩ ଜଣଙ୍କୁ ଗୁରୁତର ଅବସ୍ଥାରେ ଆରଜିଏଚ ନେଇଥିଲେ ଚିକିତ୍ସା ପାଇଁ । ତେବେ ଡାକ୍ତର ପରୀକ୍ଷା କରି ଗହନୁଙ୍କୁ ମୃତ ଘୋଷଣା କରିଥିବା ବେଳେ ତାଙ୍କର ଭଉଣୀଙ୍କ ଦୁଇଗୋଡ ଭାଙ୍ଗିଯାଇଛି ଏବଂ ଶଳାର ଗୋଟିଏ ହାତ ଭାଙ୍ଗିବା ସହ ମୁଣ୍ଡରେ ଆଘାତ ଲାଗିଥିବା ଯୋଗୁଁ ଗୁରୁତର ଅବସ୍ଥାରେ ତାଙ୍କର ଚିକିତ୍ସା ଜାରି ରହିଛି । ଏ ନେଇ ପରିବାର ତରଫରୁ ରାଏବଗା ଥାନାରେ ଲିଖିତ ଭାବେ ଜଣାଇବା ପରେ ପୋଲିଶ ଏକ ଅପମୃତ୍ୟୁ ମାମଲା ରୁଜୁ କରିବା ସହ ତଦନ୍ତ ଜାରି ରଖିଛି ।

Comments
Loading...