ପ୍ରତିଶୃତିକୁ ଭରଷା ନାହିଁ ରାଜରାସ୍ତାରେ ଜନତା, ନେଟୱର୍କ ଦାବୀ ନେଇ କୋଟଗଡ଼ ରାଜରାସ୍ତା ଅବରୋଧ କଲେ ଓରା ପଞ୍ଚାୟତବାସୀ

ତୁମୁଡିବନ୍ଧ(କୋଶଲ ନ୍ୟୁଜ) :- ନିର୍ବାଚିତ ଜନପ୍ରତିନିଧି ଓ ପ୍ରଶାସନିକ ଅଧିକାରୀଙ୍କ ବାରମ୍ବାର ପ୍ରତିଶୃତିକୁ ଆଉ ଭରସା ନକରି ବର୍ତମାନ ନିର୍ବାଚନ ମାହୋଲରେ କୋଟଗଡ଼ ବ୍ଲକ ଅନ୍ତର୍ଗତ ଓରା ଗ୍ରାମ ପଞ୍ଚାୟତର ସମସ୍ତ ଗ୍ରାମବାସୀ ରାଜରାସ୍ତାକୁ ଓଲ୍ହାଇଛନ୍ତି l ମଙ୍ଗଳବାର ଦିନ ସକାଳ ୬ ଘଣ୍ଟା ରୁ ଅପରାହ୍ନ ୬ ଘଣ୍ଟା ପର୍ଯ୍ୟନ୍ତ ତୁମୁଡିବନ୍ଧ ରୁ ମୁନିଗୁଡ଼ା ସଂଯୋଗ କରୁଥିବା ୫ ନଂ ରାଜ୍ୟ ରାଜପଥ କୋଟଗଡ଼ ମୁଖ୍ୟ ବଜାର ଛକ ଠାରେ ୧୨ ଘଣ୍ଟିଆ ବନ୍ଦ ଡାକରା ଦେଇଛନ୍ତି ଓରା ପଞ୍ଚାୟତର ଶତାଧିକ,, ମହିଳା ପୁରୁଷ l ଟାୱାର ନିର୍ମାଣ ହୋଇ ୨ ବର୍ଷ ପରେ ମଧ୍ୟ ନେଟୱର୍କ ନଛାଡ଼ିବା, ବର୍ଷ ବର୍ଷ ଧରି ପାନୀୟଜଳ ଉତ୍କଟ ସମସ୍ୟାର ସମାଧାନ ନହେବା ଏବଂ ସ୍ୱାସ୍ଥ୍ୟସେବାରୁ ବଞ୍ଚିତ ରହିଆସିଥିବା ଓରା ପଞ୍ଚାୟତର ସମସ୍ତ ଗ୍ରାମର ସମୂହ ଗ୍ରାମବାସୀ ବାରମ୍ବାର ପ୍ରଶାସନ ଓ ନିର୍ବାଚିତ ଜନପ୍ରତିନିଧିଙ୍କୁ ଗୁହାରି କରି ବିଫଳ ହେବା ପରେ ଅତିଷ୍ଟ ହୋଇ ରାଜରାସ୍ତା ଅବରୋଧ କରିବା ପନ୍ଥା ଆପଣେଇ ଥିବା ମତ ପ୍ରକାଶ କରିଛନ୍ତି l ନିର୍ବାଚନ ଆସିଲେ ନେତା ମାନଙ୍କର ମିଥ୍ୟା ପ୍ରତିଶୃତି ଆଉ ଶୁଣିବୁ ନାହିଁ l ଯଥାଶୀଘ୍ର ଆମକୁ ନିର୍ବାଚନ ପୂର୍ବରୁ ନେଟୱର୍କ ଯୋଗାଇ ଦିଆଯାଉ, ନିରବଛିନ୍ନ ପାନୀୟଜଳ ଓ ସ୍ୱାସ୍ଥ୍ୟସେବା ଯୋଗାଇ ଦିଆଯାଉ ବୋଲି ପଞ୍ଚାୟତବାସୀ ଦାବୀ କରିଥିଲେ l କୋଟଗଡ଼ ସ୍ଥିତ ଜଗନ୍ନାଥ ମନ୍ଦିର, ବସଷ୍ଟାଣ୍ଡ ଓ ମୁଖ୍ୟ ବଜାର ଛକ ଏହି ୩ ସ୍ଥାନରେ ରାସ୍ତାରେ ଟାୟାର ପକାଇ ବାଉଁଶ ଉଭୟ ପାର୍ଶ୍ଵରେ ବାନ୍ଧି ରାସ୍ତା ଅବରୋଧ କରିଥିଲେ l ଫଳରେ ଏକାଧିକ ଯାତ୍ରୀବାହି ବସ, ମାଲ ବୋଝେଇ ଟ୍ରକ ଏବଂ ବହୁ ଚାରିଚକିଆ ଯାନ ଅଟକ ରହି ନାହିଁନଥିବା ହଇରାଣ ହୋଇଥିଲେ l ତେବେ ଦୀର୍ଘ ୧୨ ଘଣ୍ଟା ଧରି ପ୍ରତିବାଦ ସ୍ଥଳକୁ କୌଣସି ପ୍ରଶାସନିକ ଅଧିକାରୀ ପହଞ୍ଚି ନଥିଲେ l ଏହାକୁ ନେଇ ବୁଦ୍ଧିଜୀବୀ ମହଲରେ ତୀବ୍ର ନିନ୍ଦା କରାଯାଇଛି l ତେବେ ପ୍ରତିବାଦ ଓ ରାସ୍ତା ଅବରୋଧ ପରେ ମଧ୍ୟ ସ୍ଥାନୀୟ ପ୍ରଶାସନ କିମ୍ବା ଜିଲ୍ଲା ପ୍ରଶାସନର ଏହିଭଳି ଅଣଦେଖା ତଥା ଖାମଖିଆଲ ମନଭାବରେ ଜନସାଧାରଣ ଉତ୍ୟକ୍ତ ହୋଇ ଆଗାମୀ ଦଶ ଦିନ ମଧ୍ୟରେ ଆମ ଦାବୀ ପୂରଣ ନହେଲେ ଓରା ପଞ୍ଚାୟତ ସମୂହ ଭୋଟ ବର୍ଜନ କରିବୁ ବୋଲି ଚେତାବନୀ ଦେଇ ପ୍ରତିବାଦ ପ୍ରତ୍ୟାହାର କରିଥିଲେ ଗ୍ରାମବାସୀ l


ରିପୋର୍ଟ – ପବିତ୍ର ଦିଗାଳ

Comments
Loading...