ଗ୍ରାମବାସୀଙ୍କ ପାଇଁ ଦେବଦୁତ ସାଜିଲା ତୁମୁଡିବନ୍ଧ ସାମ୍ବାଦିକ ସଂଘ

ଭୋକିଲା ପେଟକୁ ଦାନା ଦେଇ ହୃଦୟ ଜିଣିଲେ ଶଗଡିଆସାହି ଯୁବକସଂଘ

ତୁମୁଡିବନ୍ଧ (କୋଶଲ ନ୍ୟୁଜ):- ତୁମୁଡିବନ୍ଧ ସାମ୍ବାଦିକ ସଂଘର କିଛି ସାମ୍ବାଦିକ ଦୁର୍ଗମାଞ୍ଚଳ କୁ ଖବର ସଂଗ୍ରହ ନିମନ୍ତେ ଯାଇ ଅବହେଳିତ ରୋଗଗ୍ରସ୍ତ ଶିଶୁ ଓ ଗ୍ରାମବାସୀଙ୍କୁ ସ୍ୱାସ୍ଥ୍ୟସେବା ପହଞ୍ଚାଇ ଥିବାରୁ ଦୁର୍ଗମ କୁଟିଆକନ୍ଧ ଆଦିମ ଜନଜାତି ଗାଁ ଗୋଲମପାଙ୍ଗା ଗ୍ରାମବାସୀ କୃତଜ୍ଞତା ଜ୍ଞାପନ କରିଛନ୍ତି l କୋଟଗଡ଼ ବ୍ଲକ ଅନ୍ତର୍ଗତ ଦୁର୍ଗାପଙ୍ଗା ପଞ୍ଚାୟତର ଭଣ୍ଡରଶାଳା, ଗୋଲମପାଙ୍ଗା ଓ ପୁଡରୁଙ୍ଗ ଗ୍ରାମକୁ ଶିକ୍ଷା, ସ୍ୱାସ୍ଥ୍ୟ ଓ ଗମନାଗମନ ସମସ୍ୟା ଜନିତ ଖବର ସଂଗ୍ରହ ନିମନ୍ତେ ତୁମୁଡିବନ୍ଧ ସାମ୍ବାଦିକ ସଂଘର ୪ ଜଣ ସାମ୍ବାଦିକ ଯାଇଥିଲେ l ଉକ୍ତ ଗ୍ରାମ ଗୁଡ଼ିକର ଶିଶୁ ମହିଳା ଓ ବୃଦ୍ଧବୃଦ୍ଧା ରୋଗଗ୍ରସ୍ତ ଅବସ୍ଥାରେ ଅପହଞ୍ଚ ସ୍ୱାସ୍ଥ୍ୟସେବା ଯୋଗୁଁ କଲବଲ ହେଉଥିବା ଦେଖିବାକୁ ପାଇ ଖବର ପ୍ରସାରଣକୁ ଗୁରୁତ୍ୱ ନଦେଇ ମାନବିକତାକୁ ପ୍ରାଥମିକତା ଦେଇ ପ୍ରଥମେ ତୁମୁଡିବନ୍ଧ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଯାଇ ତୁରନ୍ତ ଏକ ଡାକ୍ତରୀ ଦଳକୁ ଉକ୍ତ ଗ୍ରାମକୁ ପ୍ରେରଣ କରିବାକୁ ଡାକ୍ତରଙ୍କୁ ଅନୁରୋଧ କରିଥିଲେ l ଡାକ୍ତର ଦିବ୍ୟଜ୍ୟୋତି କର ମଧ୍ୟ ସମୟ ନଷ୍ଟ ନକରି ମାନବିକତା ଦେଖାଇ ଅବିଳମ୍ବେ ଏକ ଡାକ୍ତରୀ ଦଳ ଉକ୍ତ ଗ୍ରାମକୁ ପ୍ରେରଣ କରି ଗୁରୁତର ରୋଗଗ୍ରସ୍ତ ଚାରି ଶିଶୁଙ୍କୁ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ଅଣାଇ ଚିକିତ୍ସା ଜାରୀ ରଖିଛନ୍ତି l ସାମ୍ବାଦିକ ବନ୍ଧୁ ମାନଙ୍କ ଏଭଳି ବୃହତ ସେବା ଦେଖି ତୁମୁଡିବନ୍ଧ ବ୍ଲକ ବିଜେଡି ସଭାପତି ପ୍ରମୋଦ କୁମାର ସାହୁଙ୍କ ନିର୍ଦେଶ ପ୍ରକାରେ ଶଗଡିଆସାହି ଗ୍ରାମର ଯୁବକ ସଂଘ ସଦସ୍ୟ ମାନେ ଯୁବ ସମାଜସେବୀ ମଳୟ ରାୟ ନାୟକ ଓ ପ୍ରଦୀପ ନାୟକଙ୍କ ନେତୃତ୍ୱରେ ଉକ୍ତ ଶିଶୁ ମାନଙ୍କ ପରିବାର ବର୍ଗଙ୍କୁ ତୁମୁଡିବନ୍ଧ ସ୍ୱାସ୍ଥ୍ୟକେନ୍ଦ୍ରରେ ୫ ଦିନ ଧରି ରନ୍ଧା ଖାଦ୍ୟ ଦେଇ ସହାୟତାର ହାତ ବଢ଼ାଇଛନ୍ତି l ବର୍ତମାନ ଶିଶୁ ମାନଙ୍କ ସ୍ୱାସ୍ଥ୍ୟ ଅବସ୍ଥାରେ ସୁଧାର ଆସୁଥିବାରୁ ଶୀଘ୍ର ସେମାନଙ୍କୁ ନିଜ ଗୃହକୁ ଛାଡ଼ି ଦିଆଯିବ ବୋଲି ତୁମୁଡିବନ୍ଧ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ଆନ୍ତଃ ବିଭାଗ ଚିକତ୍ସକ ଡାକ୍ତର ରାହୁଳ ଦେବ କହିଛନ୍ତି l

ରିପୋର୍ଟ – ପବିତ୍ର ଦିଗାଳ

Comments
Loading...