ଭାଳିଆ ପଦର ପ୍ରାଥମିକ ବିଦ୍ୟାଳୟରେ ପଡିଛି ତାଲା, ସପ୍ତାହରେ ସ୍କୁଲ ଦୁଇ ଦିନ ଖୋଲୁଥିବା ନେଇ ଗ୍ରାମ ବାସୀଙ୍କ ଅଭିଯୋଗ

ଲାଞ୍ଜିଗଡ଼,(କୋଶଲ ନ୍ୟୁଜ୍):କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ବ୍ଳକ ବିଜେପୁର ପଞ୍ଚାୟତର ଭାଲିଆ ପଦର ଗାଁରେ ଥିବା ସରକାରୀ ପ୍ରାଥମିକ ବିଦ୍ୟାଳୟର ଛାତ୍ରଛାତ୍ରୀ ମାନେ ଆଜି ଶନିବାର ସ୍କୁଲ ଯାଇ ସ୍କୁଲରେ ତାଲା ପଡିଥିବା ଯୋଗୁଁ ଫେରି ଆସିଥିଲେ।ସପ୍ତାହରେ ମାତ୍ର କଷ୍ଟେମଷ୍ଟେ ଦୁଇ ଦିନ ସ୍କୁଲ ଖୋଲୁଥିବା ଯୋଗୁଁ ପିଲାଙ୍କ ପାଠ ପଢିବା ସମ୍ଭବ ହେଉନାହିଁ।ଏହାକୁ ନେଇ ଅଭିଭାବକ ଓ ଗ୍ରାମବାସୀ ଅସନ୍ତୋଷ ପ୍ରକାଶ କରିଛନ୍ତି।ପ୍ରକାଶ ଯେ, ଆଦିବାସୀ ଅଧ୍ୟୁଷିତ ଦୁର୍ଗମ ବିଜେପୁରରେ ରହିଥିବା ଭାଲିଆ ପଦର ଗ୍ରାମର ପୁଅଝିଅ ମାନେ ବର୍ଷ ବର୍ଷ ଧରି ଶିକ୍ଷାରୁ ବଞ୍ଚିତ ରହୁଥିବା ବେଳେ ଏହାକୁ ଦୃଷ୍ଟିରେ ରଖି ୨୦୧୦ ମସିହାରେ ଭାଲିଆ ପଦର ଗାଁରେ ସରକାରୀ ପ୍ରାଥମିକ ବିଦ୍ୟାଳୟ ସ୍ଥାପନ ହୋଇଥିଲା।ତେବେ ଭାଲିଆ ପଦର ଗ୍ରାମର ପ୍ରାୟ ୩୫ରୁ ଉର୍ଦ୍ଧ୍ବ ଛାତ୍ରଛାତ୍ରୀ ଅଧ୍ୟୟନ କରୁଥିବା ବେଳେ ପ୍ରଧାନ ଶିକ୍ଷକ ଦନ୍ଦି ନାଏକ ଓ ସହ ଶିକ୍ଷକ ଉମାକାନ୍ତ ସାହୁ ରହିଛନ୍ତି।ଆଦିବାସୀଙ୍କ ସରଳତା ଦେଖି ବିଭିନ୍ନ ଆଳ ଦେଖାଇ ସ୍କୁଲଟି ନିୟମିତ ନଖୋଲି ସପ୍ତାହରେ ମାତ୍ର ଦୁଇ ଦିନ ଖୁଲୁଥିବା ଗାଁ ଲୋକେ ଅଭିଯୋଗ କରିଛନ୍ତି।ସ୍କୁଲ ଦାଇତ୍ଵରେ ଥିବା ସିଆରସିସି ମଧ୍ୟ ତଦନ୍ତ କରିବାକୁ ଯିବା ପାଇଁ ଇଛା ପ୍ରକଟ କରୁ ନାହାନ୍ତି।ଯାହା ଫଳରେ ଗରିବ ଆଦିବାସୀ ଛାତ୍ରଛାତ୍ରୀମାନେ ସପ୍ତାହରେ ଚାରି ଦିନ ସ୍କୁଲ ବନ୍ଦ ରହୁଥିବା ବେଳେ ଶିକ୍ଷାରୁ ବଞ୍ଚିତ ରହୁଛନ୍ତି।ଆଜି ଶନିବାର ସ୍କୁଲରେ ତାଲା ପଡିଥିବା ବେଳେ ପୁଣି ଗ୍ରାମବାସୀ ଅସନ୍ତୋଷ ପ୍ରକାଶ କରିଥିଲେ।ଏନେଇ ପ୍ରଧାନ ଶିକ୍ଷକ ଶ୍ରୀ ନାଏକ ଙ୍କୁ ଫୋନ ଯୋଗେ ଯୋଗାଯୋଗ କରିଥିଲୁ ସେ ତୁତୁ ମେମେ ହୋଇ ସନ୍ତୋଷ ଜନକ ଉତ୍ତର ଦେଇ ନଥିଲେ । ଲାଞ୍ଜିଗଡ଼ ବ୍ଳକ ବିଇଓ ନମିତାରାଣୀ ଭୋଇଙ୍କୁ ପଚାରିବାରୁ ଶିକ୍ଷକମାନେ କାହିଁକି ସ୍କୁଲ ଖୋଲି ନାହାନ୍ତି ତଦନ୍ତ ଦାୟିତ୍ବରେ ଥିବା ସିଆରସିସିଙ୍କ ସହିତ ଆଲୋଚନା କରି ତାଙ୍କ ପ୍ରତି କାର୍ଯ୍ୟାନୁଷ୍ଠାନ ନେବି ବୋଲି ପ୍ରକାଶ କରିଥିଲେ।

Comments
Loading...