ରେଣ୍ଡୋ ମାଝୀ ଓଡ଼ିଶାର କଳାହାଣ୍ଡି ଜିଲ୍ଲାର ମୁକ୍ତି ସଂଗ୍ରାମୀ ଆଦିବାସୀ ସର୍ଦ୍ଦାର

କୋଶଲ ନ୍ୟୁଜ୍ ବ୍ୟୁରୋ : ସେ ନିଜ ଭିଟାମାଟି ଏବଂ ଆଦିବାସୀମାନଙ୍କ ସୁରକ୍ଷା ତଥା ଡଙ୍ଗରିଆ ଓ ଝରଣିଆ କନ୍ଧଙ୍କ ଜୀବନଜୀବିକା ପାଇଁ ଇଂରେଜମାନଙ୍କ ବିରୋଧରେ ସ୍ୱର ଉତ୍ତୋଳନ କରି ବିଟିଶ ମାନଙ୍କ ଗୁଳିମାଡ଼ରେ ୧୮୫୫ ମସିହା ଡିସେମ୍ବର ୧୦ ତାରିଖ ଦିନ ସହିଦ ହୋଇଥିଲେ ।
ରେଣ୍ଡୋ ମାଝି କଳାହାଣ୍ଡି ଜିଲ୍ଲା ମଦନପୁର ରାମପୁର ବ୍ଳକର ଉର୍ଲାଦାନୀ ଗ୍ରାମରେ ବକେରକାୟା କନ୍ଧ ଡାବିଶ ମାଝିଙ୍କ ଔରସ୍ୟରୁ ଜନ୍ମ ଗ୍ରହଣ କରିଥିଲେ । ବ୍ରିଟିଶମାନଙ୍କ ଇଂରାଜୀ ଉଚ୍ଚାରଣ ଯୋଗୁଁ ସେ ରେଣ୍ଡୋ ମାଝୀ ନାମରେ ପରିଚିତ ହେଲେ । ପିଲା ଦିନରୁ ତୀର ଚାଳନା ଓ ନୌକା ଚାଳନା ଆଦିରେ ଦକ୍ଷତା ହାସଲ କରି ଜଣେ ବଳିଷ୍ଠ ବ୍ୟକ୍ତିତ୍ୱ ଭାବେ ନିଜକୁ କନ୍ଧ ସମାଜ ସର୍ଦ୍ଦାର ଭାବେ ପ୍ରତିପାଦିତ କରିଥିଲେ I
ସେତେବେଳେ ବ୍ରିଟିଶମାନଙ୍କ ଜନସ୍ୱାର୍ଥ ବିରୋଧୀ ଭୂରାଜସ୍ୱ ଆଇନ ବଳରେ ଚାଷଜମି ଉପରେ କର ବସାଯାଇଥିଲା । ସରକାରଙ୍କ ବିନା ଅନୁମତିରେ ଜଙ୍ଗଲ ସମ୍ପଦ ଆଦିବାସୀମାନେ ଛୁଇଁପାରିବେ ନାହିଁ ବୋଲି ସୂଚନା ଜାରିକରି ଇଂରେଜମାନେ କନ୍ଧମାନଙ୍କ ଉପରେ ନିର୍ଯ୍ୟାତନା ଆରମ୍ଭ କରିଦେଲେ । ଏହା ଫଳରେ ଆଦିବାସୀମାନେ ଏକପ୍ରକାର ଭୂମିହୀନ ହୋଇପଡ଼ିଲେ । ୧୮୪୦-୫୦ ମଧ୍ୟରେ ଜମିଦାରୀ ପ୍ରଥା ବଦଳିଗଲାପରେ ଇଂରେଜ ଏବଂ ଆଦିବାସୀଙ୍କ ମଧ୍ୟରେ ବିଦ୍ରୋହର ସୂତ୍ରପାତ ହୋଇଥିଲା । ତେବେ ରେଣ୍ଡୋ ମାଝୀଙ୍କ ନେତୃତ୍ୱରେ ୧୮୩୭ ରୁ ୧୮୫୫ ପର୍ଯ୍ୟନ୍ତ କନ୍ଧମାନେ ଇଂରେଜ ସରକାର ବିରୋଧରେ ସଂଗ୍ରାମ ଜାରି ରଖିଥିଲେ । କନ୍ଧମାନେ ଅତ୍ୟନ୍ତ ନିଷ୍ଠା, ଶ୍ରଦ୍ଧା ଓ ଭକ୍ତିର ସହ ପାଳନ କରୁଥିବା ମେରିଆ ପୂଜା ବା ମଣିଷ ବଳିକୁ ଇଂରେଜ ସରକାର ଦମନ କଲାପରେ ଆଦିବାସୀମାନଙ୍କ ଆନ୍ଦୋଳନ ଉଗ୍ରରୂପ ନେଇଥିଲା ।

ଇଂରେଜମାନେ ଆଦିବାସୀମାନଙ୍କ ଉପରେ ଜୁଲୁମ କରି ସେମାନଙ୍କ ଘର ଜାଳିଦେଇଥିଲେ । ଏହି ସମୟରେ ରେଣ୍ଡୋ ମାଝୀ ଆଦିବାସୀ ସମ୍ପ୍ରଦାୟକୁ ଏକତ୍ରିତ କରି ଇଂରେଜମାନଙ୍କ ବିରୋଧରେ ଯୁଦ୍ଧ ଡାକରା ଦେଇଥିଲେ । କନ୍ଧମାନେ ପ୍ରଥମେ ମଦନପୁର ରାମପୁର ରାଜାଙ୍କ ବିରୋଧରେ ଯାଇ ଲୁବେନଗଡ଼୍ ଠାରେ ଆକ୍ରମଣ କରିବା ସହ ଧନୁ ତୀର ସାହାଯ୍ୟରେ ଅନେକ ଇଂରେଜ ସୈନ୍ୟଙ୍କୁ ହତ୍ୟା କରିଥିଲେ । ପ୍ରତିଶୋଧପରାୟଣ ଲେଫ୍ଟନାଣ୍ଟ୍ ମ୍ୟାକନିଏଲ୍ କନ୍ଧମାନଙ୍କୁ ଦୃଢ଼ ହସ୍ତରେ ଦମନ କରି ଏକ କାରାଗାରରେ ବନ୍ଦୀ କରିବା ସହ ରେଣ୍ଡୋ ମାଝୀଙ୍କୁ ଗୁଳି କରି ହତ୍ୟା କରିଥିଲେ ।
Comments
Loading...