ରାସ୍ତା ନାହିଁ ତ ଭୋଟ ନାହିଁ,ନିର୍ବାଚନ ପୂର୍ବରୁ ଅଞ୍ଚଳବାସୀଙ୍କ ଭୋଟ ବର୍ଜନ ଚେତାବନୀ

ଲାଞ୍ଜିଗଡ଼,(କୋଶଲ ନ୍ୟୁଜ୍): ଉଭୟ ସରକାରଙ୍କ ମାଳମାଳ ଯୋଜନା ସତ୍ୱେ ମଧ୍ୟ ଏବେବି ଆଦିବାସୀ ଅଧ୍ୟୁଷିତ ଉପାନ୍ତ ଅଞ୍ଚଳରେ ଅନେକ ଗୁଡ଼ିଏ ଗାଁ ରହିଛି ଯାହାକି ମାଟି ରାସ୍ତା ଖଣ୍ଡିଏ ମଧ୍ୟ ପହଞ୍ଚି ପାରିନାହିଁ। ତେବେ ସରକାରଙ୍କ ମାଳମାଳ ଯୋଜନା କାହାପାଇଁ ଲୋକଙ୍କ ପାଖକୁ ପହଞ୍ଚି ପାରୁନି ମାଳମାଳ ଯୋଜନା ହେଲେ ଏପଟେ ଉଭୟ ସରକାର ବିକାଶର ଡିମଡିମା ପିଟୁଥିବା ବେଳେ ଅଞ୍ଚଳରେ ବିକାଶ ଶୂନ। ଫଳରେ ଅଞ୍ଚଳରେ ଅସନ୍ତୋଷ ଦେଖା ଯିବା ସହ ସାଧାରଣ ନିର୍ବାଚନକୁ ନେଇଁ ଏବେ ଠାରୁ ରାସ୍ତା ନାଇଁ ତ ଭୋଟ ନାଇଁ ନାରା ଶୁଭିଲାଣି। ରାସ୍ତା ପାଇଁ ପଞ୍ଚାୟତ, ବ୍ଲକ ଓ ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣିରେ ଲିଖିତ ଅଭିଯୋଗ କଲା ପରେ ମଧ୍ୟ ଏବେ ଯାଏଁ କୌଣସି ସୁଫଳ ମିଳିପାରି ନାହିଁ। ତେବେ ସାଧାରଣ ନିର୍ବାଚନ ପୂର୍ବରୁ ନେତାଙ୍କ ପାଇଁ ସତର୍କ ଘଣ୍ଟି ବଜେଇଲେଣି  କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ ବ୍ଲକ ଲାଖବାହାଳି ପଞ୍ଚାୟତ ଆଦିବାସୀ ଅଦ୍ୟୁଷିତ ଅଞ୍ଚଳ ବାରୀଗୁଡା ସମେତ ୫ ଖଣ୍ଡ ଗ୍ରାମର ଭୋଟର। ଏହି ଅଞ୍ଚଳର ମୁଖ୍ୟ ସମସ୍ୟା ରାସ୍ତା, ରାସ୍ତା ପାଇଁ ବାରମ୍ବାର ଅଭିଯୋଗ କଲା ପରେ ମଧ୍ୟ ଏବେ ଯାଏଁ ଭଲ ମାଟି ରାସ୍ତା ଟିଏ ମଧ୍ୟ ନିର୍ମାଣ ହୋଇ ପାରିନାହିଁ। ଫଳରେ ଏହି ରାସ୍ତା ସମସ୍ୟାକୁ ନେଇଁ ସୋମବାର ବାରୀଗୁଡ଼ା ଆମ୍ବ ତୋଟା ଠାରେ ୫ଟି ଗାଁର ଶତାଧିକ ମହିଳା ଓ ପୁରୁଷ ଭୋଟର ଏକତ୍ରିତ ହୋଇ ଭୋଟ ବର୍ଜନ ପାଇଁ ନିଷ୍ପତି ନେଇଛନ୍ତି ଓ ରାସ୍ତା ନାଇଁ ତୋ ଭୋଟ ନାଇଁ ବୋଲି ନାରା ଦେଇଛନ୍ତି। ପ୍ରଥମେ ରାସ୍ତା ନିର୍ମାଣ କର ପରେ ଭୋଟ ମାଗ ନଚେତ କୌଣସି ରାଜ ନେତାଙ୍କୁ ବାରୀଗୁଡା ଗାଁ ତଥା ୫ ଖଣ୍ଡ ଗାଁକୁ ପୁରେଇ ଦେବୁ ନାଇଁ ବୋଲି ବୈଠକରେ ନିଷ୍ପତି ନେଇଛନ୍ତି ଅଞ୍ଚଳ ବାସି।

ବାରିଗୁଡା ଠାରୁ ପଞ୍ଚାୟତ କାର୍ଯ୍ୟାଳୟ ମାତ୍ର ୨ କିଲୋମିଟର ସତ୍ୱେ ମଧ୍ୟ ପଞ୍ଚାୟତ କତୃପକ୍ଷଙ୍କ ପଡୁନି ନଜର ଯାହା ଫଳରେ ପକ୍କା ରାସ୍ତା ତ ଦୂରର କଥା କଚା ରାସ୍ତା ଟିଏ ମଧ୍ୟ ଠିକ ଭାବରେ ହୋଇ ପାରିନାଇଁ। ତେବେ ବାରୀଗୁଡା,ପଣସ ଗୁଡା,ସୋରଗୁଡା,ପଟାଙ୍ଗ ପଦର,ସାନଖାଳଗୁଡ଼ା,ସିରକିଝୋଲା ସମେତ ଥୁଆନାଲ ଗାଁ ଲୋକଙ୍କୁ ଯାତାୟତରେ ଅନେକ ସମସ୍ୟା  ଭୋଗିବାକୁ ପଡୁଛି। ଏହି ୫ ଖଣ୍ଡ ଗାଁ ଲୋକଙ୍କୁ ପଞ୍ଚାୟତ କାର୍ଯ୍ୟାଳୟକୁ ଯିବାକୁ ହେଲେ କେବଳ ପାଦଚଲା ରାସ୍ତା ହିଁ ଏକ ମାତ୍ର ବିକଳ୍ପ ରହିଥିବା ବେଳେ ଗର୍ଭବତୀ ବା ଗୁରୁତ୍ୱର ରୋଗୀଙ୍କୁ ଖଟିଆରେ ୫ କିଲୋମିଟର ମୁଖ୍ୟ ରାସ୍ତା ଲାଖବାହାଳି କୁ କାନ୍ଦରେ ବୋହିକି ନେବାକୁ ପଡ଼ୁଛି।ଏବେ ଯାଏଁ ସରକାରଙ୍କ ନଜର ପଡୁ ନ’ଥିବାରୁ ଅଞ୍ଚଳ ବାସି ଏବେ ଠାରୁ ଭୋଟ ବର୍ଜନ ପାଇଁ ପ୍ରସ୍ତୁତ ହେଲେଣି ଓ ଚଳିତ ମାସ ୩୦ ତାରିଖ ସୁଦ୍ଧା  ଆମ ଅଞ୍ଚଳର ସମସ୍ୟା ସମାଧାନ କରା ନ’ଯାଏ ତାହାହେଲେ ବିଜେପୁର ଠାରୁ ବିଶ୍ୱନାଥପୁର ସଂଯୋଗ କରୁଥିବା ମୁଖ୍ୟ ରାସ୍ତା ଅବରୋଧ କରିବା ସହିତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଧାରଣା ଦେବୁ ବୋଲି ଅଞ୍ଚଳ ବାସି ନିଷ୍ପତି ନେଇଛନ୍ତି। ତେବେ ସତରେ କ’ଣ ଅଞ୍ଚଳ ବାସୀଙ୍କ  ଭୋଟ ବର୍ଜନ ନିଷ୍ପତି ନିର୍ବାଚିତ ପ୍ରାର୍ଥୀଙ୍କ ପାଇଁ ଅଡୁଆ ହୋଇପାରେକି ବୋଲି ଏବେ ଅଞ୍ଚଳରେ  ବେଶ ଚର୍ଚ୍ଚାର ବିଷୟ ପାଲଟିଛି।

Comments
Loading...