ତୁମୁଡିବନ୍ଧ ବ୍ଲକର ଦୁର୍ଗମାଞ୍ଚଳରେ ଭୁଶୁଡି଼ ପଡିଛି ପ୍ରାଥମିକ ଶିକ୍ଷା

ତୁମୁଡିବନ୍ଧ (କୋଶଲ ନ୍ୟୁଜ):- କନ୍ଧମାଳ ଜିଲ୍ଲା ତୁମୁଡିବନ୍ଧ ଶିକ୍ଷା ବ୍ଲକର ଦୁର୍ଗମାଞ୍ଚଳରେ ସରକାରଙ୍କ ସଭିଏଁ ପଢନ୍ତୁ ସଭିଏଁ ବଢ଼ନ୍ତୁ ଅଭିଯାନ ଏକ ନାରା ହୋଇ ରହିଯାଇଛି l ତୁମୁଡିବନ୍ଧ ବ୍ଲକର ଝିରିପାଣି ଶିକ୍ଷା କ୍ଷେତ୍ରର ଶିମିଳିପଦର ପ୍ରାଥମିକ ବିଦ୍ୟାଳୟରେ ନିୟମିତ ଶିକ୍ଷାଦାନ ହେଉନଥିବା ଅଭିଯୋଗ ହୋଇଛି l ନିରକ୍ଷର ନିରୀହ କୁଟିଆକନ୍ଧ ଜନଜାତି ଛାତ୍ରଛାତ୍ରୀଙ୍କୁ ଶିକ୍ଷିତ କରାଇ ବିକାଶର ମୁଖ୍ୟ ସ୍ରୋତରେ ସାମିଲ କରାଇବା ନେଇ ସରକାରଙ୍କ ବୃହତ ଉଧେଶ୍ୟ ଏଠି ଦିଗହରା ହେଉଥିବା ଦେଖିବାକୁ ମିଳିଛି l ଶିମିଳିପଦର ପ୍ରାଥମିକ ବିଦ୍ୟାଳୟରେ ପ୍ରଥମରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ମୋଟ ୩୬ ଜଣ ଆଦିମ ଜନଜାତି ଛାତ୍ରଛାତ୍ରୀ ଅଧ୍ୟୟନ କରନ୍ତି l ଏହି ବିଦ୍ୟାଳୟରେ ଶିକ୍ଷାଦାନ ନିମନ୍ତେ ପ୍ରଧାନ ଶିକ୍ଷକଙ୍କ ସମେତ ୩ ଜଣ ଶିକ୍ଷକ ନିଯୁକ୍ତ l କିନ୍ତୁ ପ୍ରଧାନ ଶିକ୍ଷକ ମାସର ଏକାଧିକ ଦିନ ବିଭିନ୍ନ ଟ୍ରେନିଂ, ଅଫିସିଆଲ କାର୍ଯ୍ୟ ଦର୍ଶାଇ ବିଦ୍ୟାଳୟରେ ଅନୁପସ୍ଥିତ ରହୁଥିବା ବେଳେ ଅନ୍ୟ ଦୁଇ ଜଣ ସହାୟକ ଶିକ୍ଷକ ନିଜ ସୁବିଧା ଅନୁସାରେ ପାଳି କରି ବିଦ୍ୟାଳୟ ପରିଚାଳନା କରୁଥିବା ଏବଂ ତୁମୁଡିବନ୍ଧ ସଦର ବଜାରରେ ରହି ଯିବାଆସିବା କରିବା ଯୋଗୁଁ ବିଳମ୍ବରେ ବିଦ୍ୟାଳୟ ଖୋଲାଯିବା ଓ ମଧ୍ୟାହ୍ନ ଭୋଜନ ପରେ ଶୀଘ୍ର ବିଦ୍ୟାଳୟ ବନ୍ଦ କରି ଶିକ୍ଷକମାନେ ଗୃହକୁ ପ୍ରତ୍ୟାବର୍ତନ କରୁଥିବା ପ୍ରଥା ଏଠି ପ୍ରଚଳିତ l ଫଳରେ ଗୁଣାତ୍ମକ ଶିକ୍ଷା ବହୁମାତ୍ରାରେ ପ୍ରଭାବିତ l ଗତକାଲି ଅର୍ଥାତ ଶୁକ୍ରବାର ଦିନ ଶିମିଳିପଦର ପ୍ରାଥମିକ ବିଦ୍ୟାଳୟରେ ଏହାର ନଗ୍ନ ଚିତ୍ର କିଛି ଗଣମାଧ୍ୟମ ପ୍ରତିନିଧି ଚିତ୍ର ଉତୋଳନ ଓ ଗ୍ରାମବାସୀଙ୍କ ପ୍ରତିକ୍ରିୟା ନେଇ ପ୍ରମାଣିତ ହୋଇଛି l ଅନ୍ୟପଟେ କିଛି ଆଞ୍ଚଳିକ ସାଧନ ସଂଯୋଜକ(ସି ଆର୍ ସି ସି)ଙ୍କ କଥାରେ ଗୋଷ୍ଠୀ ଶିକ୍ଷା ଅଧିକାରୀ ଏବଂ ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ଅଞ୍ଚଳର ଶିକ୍ଷାଭାର ସମ୍ଭାଳୁଥିବା ବେଳେ କୌଣସି ଶିକ୍ଷକ ଅଧିକାରୀଗଣଙ୍କୁ ଖାତିର କରୁନଥିବା କଥା ବିଭାଗୀୟ ଗୁମର ଖୋଲୁଛି l ଏଣୁ ଯଦି ଏଭଳି ଶିକ୍ଷା ବ୍ୟବସ୍ଥାରେ ସୁଧାର ନହେଲେ ତୁମୁଡିବନ୍ଧ ଅଞ୍ଚଳରେ ଶିକ୍ଷା ମଞ୍ଚ ଭୁଶୁଡି଼ ପଡ଼ିବ ବୋଲି ଅଞ୍ଚଳର ବୁଦ୍ଧିଜୀବୀ ଗଣ ମତବ୍ୟକ୍ତ କରିଛନ୍ତି l

ରିପୋର୍ଟ – ପବିତ୍ର ଦିଗାଳ

Comments
Loading...