ପୋଲିସ ପଞ୍ଝାରେ ୪ଜଣ ନକଲି ମାଓବାଦୀ : ଟଙ୍କା ଓ ସୁନା ସହ ବିଭିନ୍ନ ମାରଣାସ୍ତ୍ର ଜବତ

ବାଲିଗୁଡ଼ା,(କୋଶଲ ନ୍ୟୁଜ): କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଦାରିଙ୍ଗବାଡି ପୋଲିସ୍‌ ପଞ୍ଝାରେ ୪ଜଣ ଫେକ୍‌ ମାଓବାଦୀ ବୁଧବାର ଧରାପଡିଛନ୍ତି । ପ୍ରକାଶ ଯେ, ଚଳିତ ମାସ ୧୦ତାରିଖ ରାତିରେ ନିଜକୁ ମାଓବାଦୀର ପରିଚୟ ଦେଇ ଦାରିଙ୍ଗବାଡ଼ି ଥାନା ମକପାଟା ଗାଁ ର ପ୍ରମୋଦ ପ୍ରଧାନ ଓ ଟେପାରୀ ଗାଁ ର ବିଶ୍ୱନାଥ ପ୍ରଧାନଙ୍କ ପରିବାର ଲୋକଙ୍କୁ ଧମକାଇ ଟଙ୍କା, ସୁନା ଡାଲି, ଚାଉଳ ଲୁଟି ନେଇଥିଲେ ୬ଜଣ ଦୁର୍ବୃତ୍ତ । ଘଟଣାକୁ ନେଇ ଦୁଇ ପରିବାର ଭୟଭୀତ ହୋଇପଡ଼ିଥିଲେ । ପରବର୍ତ୍ତୀ ସମୟରେ ଦାରିଙ୍ଗବାଡ଼ି ଥାନାରେ ଲିଖିତ ଅଭିଯୋଗ କରିଥିଲେ ଉଭୟ ପରିବାର । ଅଭିଯୋଗ ପ୍ରକାରେ ଦାରିଙ୍ଗବାଡ଼ି ଥାନା ଅଧିକାରୀ କୌଶିକ ମାଝୀଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ସାଇବର ଏକ୍ସପୋର୍ଟ ସବ୍‌ ଇନ୍ସପେକ୍ଟର ଶୌମ୍ୟକାନ୍ତ ପଣ୍ଡାଙ୍କ ବଳିଷ୍ଠ ଉଦ୍ୟମରେ ଘଟଣାର ୫ଦିନ ଭିତରେ ଫେକ୍‌ ମାଓବାଦୀ ଗ୍ୟାଙ୍ଗର ୪ଜଣକୁ ଗିରଫ କରିବାରେ ପୋଲିସ୍‌ ସଫଳ ହୋଇଥିବାବେଳେ ଆଉ ଦୁଇ ଜଣ ଏବେବି ଫେରାର୍‌ ଥିବା ଜଣାପଡ଼ିଛି । ଗିରଫ ଚାରିଜଣ ସିମନବାଡ଼ି ଅଞ୍ଚଳର ହୋଇଥିବା ଜଣାପଡ଼ିଛି ।

ସୂଚନା ପ୍ରକାରେ ଗତ ୧୦ ତାରିଖ ରାତିରେ ମକପାଟା ଗାଁ ର ପ୍ରମୋଦ ପ୍ରଧାନ ନିଜ ଦୋକାନ ଘରେ ପରିବାର ସହ ଶୋଇଥିବା ବେଳେ ୬ଜଣ ଦୁର୍ବୃତ୍ତ ସେଠାରେ ପହଁଚି କବାଟ ବାଡେଇବାପରେ ପ୍ରମୋଦ କବାଟ ନ ଖୋଲିବାରୁ କବାଟ ଖୋଲ ନହେଲେ ଘରେ ବମ୍‌ ପକେଇ ଦେବୁ ଆମେ ମାଓବାଦୀ ବୋଲି କହିବାପରେ ଭୟଭୀତ ହୋଇ ପ୍ରମୋଦ କବାଟ ଖୋଲିଥିଲେ । ଏହାପରେ ବିଭିନ୍ନ ମାରଣାସ୍ତ୍ର ଦେଖାଇ ପ୍ରମୋଦଙ୍କ ଘରେ ପଶି ଟଙ୍କା, ଡାଲି, ଚାଉଳ, ମୋବାଇଲ୍‌ ସମେତ ପ୍ରମୋଦଙ୍କ ପତ୍ନୀଙ୍କ କାନଫୁଲ ମଧ୍ୟ ଲୁଟି ନେଇଥିଲେ ଦୁର୍ବୃତ୍ତ । ସେହି ରାତିରେ ହିଁ ନିକଟସ୍ଥ ବେପାରୀ ଗାଁ ର ବିଶ୍ୱନାଥ ପ୍ରଧାନଙ୍କ ସହ ମଧ୍ୟ ସମାନ ଘଟଣା ଘଟାଇଥିଲେ ଦୁର୍ବୃତ୍ତ । ଅଭିଯୋଗ ପ୍ରକାରେ ଦାରିଙ୍ଗବାଡ଼ି ପୋଲିସ୍‌ ଘଟଣାରେ ସମ୍ପୃକ୍ତ ଚାରିଜଣ ଫେକ୍‌ ମାଓବାଦୀଙ୍କୁ ଗିରଫ କରିବାସହ ସେମାନଙ୍କ ନିକଟରୁ ନଗଦ ୧୦ହଜାର ୫୦୦ଟଙ୍କା, ଗୋଟିଏ ଦେଶୀ ବନ୍ଧୁକ, ଖଣ୍ଡା, କାତି, ଛୁରି ଜବତ କରିବାସହ ସୁନା ମଧ୍ୟ ଜବତ କରିଛି ।ଜବତ ସୁନାର ଆନୁମାନିକ ମୂଲ୍ୟ ପାଖାପାଖି ୪୦ହଜାର ହେବ ବୋଲି ପୋଲିସ ପକ୍ଷରୁ ସୂଚନା ମିଳିଛି । ଅନ୍ୟପଟେ ଫେରାର ଥିବା ଅନ୍ୟ ଦୁଇଜଣଙ୍କୁ ମଧ୍ୟ ଖୁବ୍‌ ଶୀଘ୍ର ଗିରଫ କରାଯିବ ବୋଲି ପ୍ରେସ ବିବୃତି ମାଧ୍ୟମରେ ବାଲିଗୁଡ଼ା ଏସଡିପିଓ ମନୋଜ କୁମାର ପୁଜାରୀ ପ୍ରକାଶ କରିଛନ୍ତି ।

Comments
Loading...