ଦେବଗଡ଼(କୋଶଲ ନ୍ୟୁଜ୍):- ଗତକାଲି ସଂନ୍ଧ୍ୟାରେ ଦେବଗଡ଼ ଜିଲ୍ଲାର ବିଭିନ୍ନ ସ୍ଥାନରେ କାଳବୈଶାଖୀର ପ୍ରଭାବ ରେ ପ୍ରବଳ କୁଆପଥର ବର୍ଷା ଓ ଝଡ଼ତୋଫାନ ଯୋଗୁଁ ବ୍ୟାପକ କ୍ଷୟକ୍ଷତି ହୋଇଥିବା ଦେଖିବାକୁ ମିଳିଛି । ରିଆମାଳ ବ୍ଲକର ଗୁଣ୍ଡିଆପାଲି, ଚଛୁପାଲି ଓ ପାଇକନଗର ଗ୍ରାମରେ ଘରର ଆଜବେଷ୍ଟ ଛାତ ଭାଙ୍ଗି ଯାଇଥିବାରୁ ଲୋକେ ବାସହରା ହୋଇ ଯାଇଛନ୍ତି। ବର୍ଷା ପାଣି ଘରେ ପଶି ଆସବାସ ପତ୍ର ଓ ଧାନ ଚାଉଳ ନଷ୍ଟ ହୋଇଥିବା ମଧ୍ୟ ଦେଖିବାକୁ ମିଳିଛି ।

ଗତକାଲି ରାତିରେ ପ୍ରଶାସନ ତରଫରୁ କ୍ଷତିଗ୍ରସ୍ତଙ୍କୁ ଗାଁ ସ୍କୁଲରେ ଆଶ୍ରୟ ଦେଇଥିବା ବେଳେ ଆଜି ରିଆମାଳ ତହସିଲଦାର , ସ୍ଥାନୀୟ ସରପଞ୍ଚ ପ୍ରକାଶ ଚନ୍ଦ୍ର ଆଚାର୍ଯ୍ୟ ଜିଲ୍ଲାପରିଷଦ ଅଧ୍ୟକ୍ଷ କୈଶିକ କୁମାର ପ୍ରଧାନ ବିଧାୟକ ଶ୍ରୀଯୁକ୍ତ ରୋମାଞ୍ଚ ରଞ୍ଜନ ବିଶ୍ବାଳ ଉପଜିଲ୍ଲାପାଳ ପରିକ୍ଷିତ ସାହୁ ଓ ସମାଜସେବୀ ଶରତ ସାହୁ ପ୍ରମୁଖ ଘଟଣାସ୍ଥଳରେ ପହଞ୍ଚି ଅଧିକ ତଦନ୍ତ ଓ କ୍ଷତିଗ୍ରସ୍ତ ଲୋକଙ୍କ ସହିତ ଆଲୋଚନା କରିଛନ୍ତି। ବିଧାୟକ ଶ୍ରୀ ବିଶ୍ବାଳ କ୍ଷତିଗ୍ରସ୍ତ ମାନଙ୍କୁ ଆବଶ୍ୟକ ସହାୟତା ଯୋଗାଇ ଦିଆଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି ।