ନବକୁଣ୍ଡିୟ ମହାବିଷ୍ଣୁଯଜ୍ଞ ଲାଗି କଳସ ଯାତ୍ରା

କୋକସରା,୨୮।୩ : କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ସାନପୋଡାଗୁଡାଠାରେ କାଳୀକୃଷ୍ଣ ସଂଘର ୪୨ତମ  ନବକୁଣ୍ଡିୟ ବିଶ୍ଵଶାନ୍ତି ମହାବିଷ୍ଣୁଯଜ୍ଞ ଆରମ୍ଭ ହୋଇଛି। ଏହି କ୍ରମରେ ଶୁକ୍ରବାର ସକାଳେ କଳସ ଯାତ୍ରା ଅନୁଷ୍ଠିତ ହୋଇଛି। ଏଥିରେ ବିଭିନ୍ନ ଅଞ୍ଚଳରୁ ମହିଳା ଓ ଯୁବତୀମାନେ ଯଜ୍ଞ ମଣ୍ଡପ ନିକଟରୁ ୩୫୧ ଗୋଟି କଳସ ଧାରଣ କରି ସ୍ଥାନୀୟ ତଳବନ୍ଦ (ପୋଖରୀ) ରେ ପହଞ୍ଚିଥିଲେ। ସେଠାରେ ପୂଜାର୍ଚ୍ଚନା କରି ଜଳପୂର୍ଣ୍ଣ କଳସ ଧାରଣ କରି ବିରାଟ ଶୋଭାଯାତ୍ରାରେ ଯଜ୍ଞ ମଣ୍ଡପକୁ ପ୍ରତ୍ୟାବର୍ତ୍ତନ କରିଥିଲେ। ଏହି ସମୟରେ ସଂକୀର୍ତ୍ତନ ଦଳ, ପଞ୍ଚବାଦ୍ୟ ସହ ବିଭିନ୍ନ ସାଂସ୍କୃତିକ ଦଳ ସାମିଲ ହୋଇଥିବା ବେଳେ ଆଜିଠାରୁ ଅଞ୍ଚଳରେ ଆଧ୍ୟମିକ ପରିବେଶ ସୃଷ୍ଟି ହୋଇଛି। ଏହି ବିଶ୍ବଶାନ୍ତି ମହାଯଜ୍ଞ ଅବସରରେ ପ୍ରତ୍ୟହ ମନ୍ତ୍ରଦୀକ୍ଷା, ବ୍ରତୋପନୟନ, କୁଣ୍ଡାବୋରୀ, ମୁଣ୍ଡନ, ଅନ୍ନପ୍ରଶାନ  ଆଦି ସଂସ୍କାର କାର୍ଯ୍ୟ ରହିଛି। ପ୍ରତିଦିନ ସନ୍ଧ୍ୟାରେ ଭଜନ ସମାରୋହ ସହ ପ୍ରବଚନ କାର୍ଯ୍ୟକ୍ରମ ମଧ୍ୟ ରହିଛି। ସଦଗୁରୁ ଦେବ ସ୍ବାମୀ ସତ୍ୟାନନ୍ଦ ମାହାରାଜଙ୍କ ନିର୍ଦ୍ଦେଶ କ୍ରମେ ସଂଘ ପରିଚାଳକ ଜଗଦାନନ୍ଦ ଜୀଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଏହି  ଯଜ୍ଞ କାର୍ଯ୍ୟ ପରିଚାଳିତ ହେଉଛି। ଜଜମାନ ସଂଘର ସଭାପତି ସଞ୍ଜୟ ପଣ୍ଡା ଓ ସଂଘର ବେଦବ୍ରହ୍ମାଙ୍କ ତତ୍ବାବଧାନରେ ଆଚାର୍ଯ୍ୟମାନେ କଳସ ଯାତ୍ରା ପୂଜନ ପରିଚାଳନା କରିଥିଲେ। କଳସ ଯାତ୍ରାରେ ଓଡ଼ିଶା, ଛତିଶଗଡ଼ ଓ ଆନ୍ଧ୍ରପ୍ରଦେଶର ବିଭିନ୍ନ ଶାଖାରୁ ଶିଷ୍ୟ ଓ ଶ୍ରଦ୍ଧାଳୁଙ୍କ ସମେତ ଆଖପାଖ ଅଞ୍ଚଳର ଶହସ୍ରାଧିକ ଲୋକେ ସାମିଲ ହୋଇଥିଲେ। ସାନପୋଡାଗୁଡା କାଳୀକୃଷ୍ଣ ସଂଘ ତଥା ଗ୍ରାମବାସୀଙ୍କ ସହଯୋଗରେ ଏହି ଯଜ୍ଞକାର୍ଯ୍ୟ ଆୟୋଜନ ହେଉଥିବାବେଳେ ଆସନ୍ତା ୩୧ ମାର୍ଚ୍ଚରେ ଯଜ୍ଞ ସମାପନ ହେବା ନେଇ ସୂଚନା ରହିଛି।

Comments
Loading...