ଦେବଗଡ : ଶ୍ରମିକ ବଦଳରେ ମେସିନ କରୁଛି ମନରେଗା କାମ ଯନ୍ତ୍ରୀ ଓ ଠିକାଦାର ମାଲେମାଲ । କାମ ଧନ୍ଧା ନ ପାଇ ହାତ ବାନ୍ଧି ବସି ରହିଛନ୍ତି ଗରିବ ଶ୍ରମିକ । ଏଭଳି ଘଟଣା ଦେଖିବାକୁ ମିଳିଛି ଦେବଗଡ ଜିଲ୍ଲାର ରିଆମାଳ ବ୍ଲକ ନୂଆପଡା ପଞ୍ଚାୟତ ନୂଆପଡା ଗ୍ରାମରେ । ଶ୍ରମିକଙ୍କୁ ବର୍ଷକୁ ଅନ୍ତତଃ ଶହେ ଦିନର କାମଧନ୍ଧା ଯୋଗାଇ ଦେବାଲାଗି ସରକାର କାର୍ଯ୍ୟକାରୀ କରିଛନ୍ତି (ମହାତ୍ମା ଗାନ୍ଧୀ ନିଶ୍ଚିତ କର୍ମ ନିଯୁକ୍ତି) ମନରେଗା ଯୋଜନା । ମାତ୍ର ଦେବଗଡ ଜିଲ୍ଲାର ରିଆମାଳ ବ୍ଲକ ନୂଆପଡା ପଞ୍ଚାୟତର ନୂଆପଡା ଗାଁର ଏକ ପୋଖରୀ ଖନନ କାର୍ଯ୍ୟରେ ଦେଖିବାକୁ ମିଳିଛି ବ୍ୟତିକ୍ରମ । ଚଳିତ ବର୍ଷ ଗାଁରେ ଥିବା ଏହି ପୋଖରୀ ଖନନ ପାଇଁ SEAFC ଯୋଜନାରୁ ୩ ଲକ୍ଷ ଏବଂ ମନରେଗା ଯୋଜନାରୁ ୫ ଲକ୍ଷ ସମୁଦାୟ ୮ ଲକ୍ଷ ଟଙ୍କା ମଞ୍ଜୁର ହୋଇଥିଲା । ଗତ କିଛି ଦିନ ପୂର୍ବରୁ ଗାଁର ଜୈନିକ ଠିକାଦାର ଏହି କାର୍ଯ୍ୟକୁ ଆରମ୍ଭ କରିଥିଲେ । ମାତ୍ର ଠିକାଦାର ଜଣକ କାର୍ଯ୍ୟରମ୍ଭ ପୂର୍ବରୁ କାର୍ଯ୍ୟସ୍ଥଳରେ ସୂଚନା ଫଳକ ନ ଲଗାଇ ଓ ଶ୍ରମିକଙ୍କୁ କାର୍ଯ୍ୟରେ ନ ଲଗାଇ JCB ମେସିନ ଓ ଟ୍ରାକ୍ଟର ସାହାର୍ଯ୍ୟରେ ପୋଖରୀ ଖୋଳି ମାଟି ଉଠାଇ ଆସୁଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି । ଏ ବାବଦରେ ଗ୍ରାମବାସୀ ଏକ ଲିଖିତ ପତ୍ର ମାଧ୍ୟମରେ ଦେବଗଡ ଜିଲ୍ଲାପାଳ ଓ ଭିଜିଲାନ୍ସ ବିଭାଗରେ ଅଭିଯୋଗ କରିବା ସହିତ ଏହା ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଗ୍ରାମବାସୀ ଦାବି କରିଛନ୍ତି ।
