ଦେବଗଡ଼ (କୋଶଲ ନ୍ୟୁଜ୍):- ବାଳିକା ଉଚ୍ଚ ବିଦ୍ୟାଳୟ ,ବାରକୋଟରେ ଚତୁର୍ଦିବସୀୟ ପାଚିକା ସହାୟିକା ମାନଙ୍କର ଭିଟାମିନ୍ ଯୁକ୍ତ ଖାଦ୍ୟ ରନ୍ଧନ ପ୍ରଣାଳୀ ତାଲିମ ସୁଶ୍ରୀ ଗାୟତ୍ରୀ ସାହୁ, ଗୋଷ୍ଠୀ ଶିକ୍ଷା ଅଧିକାରୀ ,ବାରକୋଟଙ୍କ ଅଧ୍ୟକ୍ଷତାରେ ଉଦଯାପନ ହୋଇଯାଇଛି । ଏଥିରେ ସ୍ବତନ୍ତ୍ର ଆମନ୍ତ୍ରୀତ ଅତିଥି ଭାବରେ ଯୋଗ ଦେଇଥିଲେ ଶ୍ରୀମତୀ ଶକୁନ୍ତଳା ଟେଟେ‐ ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ,ଦେବଗଡ଼ ଓ ଶ୍ରୀଯୁକ୍ତ ବିନୋଦ ସିଂ, ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ,ଦେବଗଡ଼ ଯୋଗ ଦେଇ ଉଦବୋଧନ ଦେଇ ପାଚିକା ସହାୟିକା ମାନଙ୍କୁ ଉତ୍ସାହିତ କରିଥିଲେ । ଶ୍ରୀଯୁକ୍ତ ଅଭିନ୍ନ ଚନ୍ଦ୍ର ପାଇକରାୟ,ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ,ବାରକୋଟ ଓ ଶ୍ରୀଯୁକ୍ତ ତୋଫାନ କୁମାର ଦେବଙ୍କ ପ୍ରତ୍ଯକ୍ଷ ତତ୍ତ୍ବାବଧାନରେ ଏହି ୪ଦିନିଆ ତାଲିମ ଶିବିର ଚଳିଆସିଥିଲା | ଏହି ତାଲିମର ତାଲିମଦାତା ଥିଲେ ଶ୍ରୀଯୁକ୍ତ ଯଦୁମଣୀ ବେହେରା ଓ ଶ୍ରୀଯୁକ୍ତ ବିଜୟ କୁମାର ପ୍ରଧାନ । ସାତଟି କ୍ୟାମ୍ପରେ ସର୍ବମୋଟ ୩୬୨ ଜଣ ପାଚିକା ସହାୟିକା ତାଲିମ ପାଇଥିଲେ । ପ୍ରତି କ୍ୟାମ୍ପରୁ ଜଣେ ଲେଖାଏଁ ପାଚିକା ବା ସହାୟିକା ମନୋନୀତ ହୋଇଥିଲେ । ଖାଦ୍ୟ ରନ୍ଧନ ଓ ପରିବେଷଣ ପ୍ରତିଯୋଗିତା ପରେ ସେହି ସାତ ଜଣଙ୍କ ମଧ୍ୟରୁ ତିନି ଜଣ ସ୍ବତନ୍ତ୍ର ଭାବରେ ପୁରସ୍କୃତ ହୋଇଥିଲେ । ପ୍ରଥମ ହୋଇଥିଲେ ଶ୍ରୀମତୀ ପୁଷ୍ପାଞ୍ଜଳୀ ନାୟକ‐ଖଜୁରୀବାହାଳ ପ୍ରାଥମିକ ବିଦ୍ୟାଳୟ, ଦ୍ବିତୀୟ ସ୍ଥାନ ଅଧିକାର କରିଥିଲେ ଶ୍ରୀମତୀ ସୁଶାନ୍ତୀ ବାଙ୍କିରା‐ ମଶିଣିତା ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଓ ତୃତୀୟ ହୋଇଥିଲେ ଶ୍ରୀମତୀ ସୌଦାମିନୀ ଧଳ‐ ମଣ୍ଡାଶିଳା (ଖ) ପ୍ରାଥମିକ ବିଦ୍ୟାଳୟ | ଉତ୍ତମ ଖାଦ୍ୟ ମଧ୍ୟରେ ପୋଡ଼ପୀଠା, ସଜନାଫୁଲ ବିରିୟାନୀ ଓ ସୁଜିକାକରା ସ୍ବତନ୍ତ୍ର ସ୍ଥାନ ଅଧିକାର କରିଥିଲା । ବାରକୋଟ ବ୍ଲକର ସମସ୍ତ ଆଞ୍ଚଳିକ ସାଧନକର୍ମୀମାନଙ୍କ ସହ ଗୋଷ୍ଠୀ ଶିକ୍ଷା କାର୍ଯ୍ଯାଳୟର ସମସ୍ତ କର୍ମଚାରୀ ଯୋଗଦେଇ କାର୍ଯ୍ଯକ୍ରମରେ ସହଯୋଗ କରିଥିଲେ । ସର୍ବଶେଷରେ ଶ୍ରୀଯୁକ୍ତ ଫଗୁ ପାତ୍ର ,ଆଞ୍ଚଳିକ ସାଧନକର୍ମୀ,ବଲଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ ।
