ଦେବଗଡ଼ (କୋଶଲ ନ୍ୟୁଜ୍):- ଦେବଗଡ ଜିଲ୍ଲା ବିଧାୟକ ଶ୍ରୀଯୁକ୍ତ ରୋମାଞ୍ଚ ରଞ୍ଜନ ବିଶ୍ଵାଳ ରିଆମାଳ ପଞ୍ଚାୟତ ସମିତି ଅଧ୍ୟକ୍ଷ ଶ୍ରୀଯୁକ୍ତ ମଧୁସୂଦନ ପ୍ରଧାନଙ୍କ ସହ ରିଆମାଳ ବ୍ଲକର ବିଭିନ୍ନ ଉନ୍ନୟନ କାର୍ଯ୍ୟର ସମୀକ୍ଷା ପାଇଁ ଗସ୍ତ କରିବା ସମୟରେ କୁଣ୍ଢେଇଗୋଳ ପଞ୍ଚାୟତର କରୋଡୋପଶି ଗ୍ରାମ ନିକଟସ୍ଥ ଜଙ୍ଗଲରେ ଏକ ବିଧବା ମା ସହ ଦୁଇ ଜଣ ଶିଶୁ ଏକ ଭଙ୍ଗା ଦଦରା କୁଡିଆରେ ଅତି ଦୁସ୍ଥ ସ୍ଥିତିରେ ରହୁଥିବା ସୂଚନା ପାଇଥିଲେ । କୌତୁହଳବଶତ ବିଧାୟକ ଜଙ୍ଗଲି ରାସ୍ତାରେ ଚାଲି ଚାଲି କୁଡିଆ ପାଖରେ ପହଞ୍ଚି ଥିଲେ ଓ ଦେଖିବାକୁ ପାଇଥିଲେ ଅନେକ ସରକାରୀ ଯୋଜନାରୁ ବଞ୍ଚିତ ଏକ ବିଧବା ମା ପଦ୍ମିନୀ ପେଣ୍ଠୋଇ ଦୁଇ ନାବାଳକ ଶିଶୁ କାହ୍ନ(୪ ବର୍ଷ) ଓ ସୁଦାମ(୬ବର୍ଷ)ଙ୍କ ସହ ଭଙ୍ଗା କୁଡିଆରେ ରହୁଛନ୍ତି । ବର୍ଷାରେ କୁଡିଆଟି ଅଧା ଭାଙ୍ଗି ଯାଇଛି । ପିଲାମାନେ ଏ ପର୍ଯ୍ୟନ୍ତ ଅଙ୍ଗନବାଡି ଦେଖି ନାହାନ୍ତି । ଘରେ ନା ବିଜୁଳି ନା ରାସାନ , ସିସକ୍ଷା ଓ ସ୍ୱାସ୍ଥ୍ୟ ତ ସ୍ଵପ୍ନ । ମା ଜଣକ ଦିନ ମଜୁରିଆ ଭାବେ କାମ କରି ପିଲାଙ୍କ ପେଟ ପୋଷୁଛି , ଖାଲି ସେତିକି ନୁହେଁ କାମ କରିବାକୁ ପିଲାଙ୍କୁ ସାଙ୍ଗରେ ନେଇକି ଯାଉଛି ମଧ୍ୟ । ମା ପଦ୍ମିନୀର ବୟାନ ଅନୁଯାଇ କିଛି ବର୍ଷ ତଳେ କିଛି ଲୋକ ସ୍ଵାମୀ କିଶୋରୀ ନାୟକକୁ କୌଣସି କାରଣ ବଶତ ପିଟି ପିଟି ମାରି ଦେଇଥିଲେ ଓ ସେହି ଦିନଠୁ ପିଲାଙ୍କୁ ନେଇ କୋରୋଡପଶି ଗାଁ ପାଖ ଜଙ୍ଗଲରେ ନିଜେ ଏକ ଚାଳ କୁଡିଆ ତିଆରି କରି ରହି ଆସୁଛି ।

ବିଧାୟକ ଶ୍ରୀ ବିଶ୍ଵାଳ ସେମାନଙ୍କ ଦୁଖ ଦେଖି ନ ପାରି ମା ଓ ପିଲା ଦୁହିଙ୍କୁ ନିଜ ଗାଡିରେ ବସେଇ ପଞ୍ଚାୟତ ସମିତି ଅଧ୍ୟକ୍ଷ ମଧୁସୂଦନ ପ୍ରଧାନଙ୍କ ସହ ଆଜି ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀଙ୍କ କାର୍ଯ୍ୟଳୟରେ ଆସି ପହଞ୍ଚି ଥିଲେ ଓ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଶ୍ରୀ ରୋମିଓ ମହାପାତ୍ରଙ୍କ ସହ ଆଲୋଚନା କରିଥିଲେ । ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ମହାପାତ୍ର ଘଟଣାର ସମୀକ୍ଷା କରି ବୁଝିଥିଲେ ଯେ ମା ଜଣକ ମାନସିକ ସ୍ତରରେ ଟିକିଏ ଅସୁସ୍ଥ ଓ ବର୍ତମାନ ସ୍ଥିତିରେ ପିଲାଙ୍କୁ ଉପଯୁକ୍ତ ଲାଳନ ପାଳନ କରିବା ପାଇଁ ଅସମର୍ଥ । ଅନ୍ୟପକ୍ଷରେ ମାକୁ ଛାଡି ଶିଶୁ ଗୃହରେ ରହିବା ପାଇଁ ପିଲାମାନେ ଅମଙ୍ଗ ହେବାରୁ , ଶେଷରେ ମା ଓ ପିଲା ଦୁହିଙ୍କୁ ଷପୋର୍ଟ ଅନୁଷ୍ଠାନ ଦ୍ଵାରା ପରିଚାଳିତ ଶକ୍ତି ସଦନ ଆନୁଷ୍ଠାନିକ ଯତ୍ନ ମଧ୍ୟରେ ଥଇଥାନ କରାଗଲା । ପାଖ ଅଙ୍ଗନବାଡି କେନ୍ଦ୍ରରେ ପିଲାଙ୍କ ନାମ ଲେଖାଯିବା ସହ ପରିବାରଙ୍କୁ ଖାଦ୍ଯ ସୁରକ୍ଷା ଯୋଜନାରେ ଯୋଡା ଯିବ ବୋଲି ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ସୂଚନା ଦେଇଛନ୍ତି । ଅନ୍ୟପକ୍ଷେ ବିଧାୟକ ଓ ପଞ୍ଚାୟତ ସମିତି ଅଧ୍ୟକ୍ଷ ଏହି ପରିବାର ପାଇଁ ସ୍ଥାଇ ଘର ଖଣ୍ଡିଏର ବ୍ୟବସ୍ଥା କରି ଦେବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି ।