ଗଞ୍ଜାମ (କୋଶଲ ନ୍ୟୁଜ୍):- କିଛି ନୂଆ କରି ଦେଖାଇବାର ଦୃଢ଼ ଇଚ୍ଛାଶକ୍ତି ଅନେକଙ୍କୁ ସଫଳତାର ଶୀର୍ଷରେ ପହଞ୍ଚାଇଥାଏ। କିଛି ବର୍ଷ ହେଲା ସ୍କୁଲ ବିଦ୍ୟାର୍ଥୀମାନେ ଅଧ୍ୟୟନ ସମୟରୁ ହିଁ ନିଜର ଅନ୍ତର୍ନିହିତ ଗୁଣକୁ ବିକଶିତ କରି ସଫଳତା ପାଉଛନ୍ତି। ଏମିତି ଏକ ଉଦାହରଣ ଦେଖିବାକୁ ମିଳିଛି ଗଞ୍ଜାମ ଜିଲା ସୋରଡ଼ା ବ୍ଲକ ହିଞ୍ଜଳକୁଦା ଉନ୍ନୀତ ଉଚ୍ଚ ବିଦ୍ୟାଳୟର ନବମ ଶ୍ରେଣୀ ଛାତ୍ର ବବୁଲ ଗୌଡ଼ଙ୍କ କ୍ଷେତ୍ରରେ। ନିଜସ୍ବ ଜ୍ଞାନ କୌଶଳରେ ବବୁଲ ନିର୍ମାଣ କରିଛନ୍ତି ସୌର ଚାଳିତ ସ୍ମାର୍ଟ ତଲାରି। ବବୁଲ ନିଜ ବିଦ୍ୟାଳୟର ଗାଇଡ ଶିକ୍ଷକ ଜସ୍ମିନ ଶବରଙ୍କ ତତ୍ତ୍ବାବଧାନରେ ଅବ୍ୟବହୃତ ଦ୍ରବ୍ୟରୁ ନିର୍ମାଣ କରିଛନ୍ତି ଏହି ସୌର ଚାଳିତ ସ୍ମାର୍ଟ ତଲାରି। ଏହା ଲୋକଙ୍କୁ ଖରା ବର୍ଷାରୁ ସୁରକ୍ଷା ଦେବା ସହ କୃଷକଙ୍କ ନିମନ୍ତେ ବିଶେଷ ସହାୟକ ହୋଇପାରିବ। ତଲାରୀରେ ସୌର ଚାଳିତ ଯନ୍ତ୍ରାଂଶରୁ ବଲ୍ବ ଜଳିବା ସହ ଛୋଟ ପଙ୍ଖା ମଧ୍ୟ ବୁଲି ପାରିବା ବ୍ୟବସ୍ଥା ରହିଛି। ଏହାସହିତ ଏଥିରେ ମୋବାଇଲ ଚାର୍ଜ ହୋଇପାରିବା ସହିତ ଏଫ୍ଏମ୍ ରେଡ଼ିଓ ଲଗାଇ ଚାଷୀ ପାଣିପାଗ ସମ୍ପର୍କିତ ଖବର ମଧ୍ୟ ପାଇପାରିବେ।
ବିଳମ୍ବିତ ସମୟ ପର୍ଯ୍ୟନ୍ତ ଜମିରେ ଚାଷ କରି ଫେରିବା ସମୟରେ ଚାଷୀ ତଲାରିରେ ରହିଥିବା ବଲ୍ବ(ଆଲୁଅ) ଲଗାଇ ସୁରକ୍ଷିତ ଭାବେ ଅନ୍ଧାର ରାସ୍ତାରେ ଯାତାୟାତ କରି ପାରିବେ । ସୌର ଶକ୍ତିକୁ ବ୍ୟବହାର କରି ବିଦ୍ୟୁତ ଚାଳିତ କୀଟନାଶକ ଔଷଧ ସିଞ୍ଚନ ଯନ୍ତ୍ର ମଧ୍ୟ ବ୍ୟବହାର କରାଯାଇପାରିବ। ଗତ ମାସରେ ଭୁବନେଶ୍ୱର ଲୋକସେବା ଭଵନରେ ଆୟୋଜିତ ଜାତୀୟ ଶକ୍ତି ସଂରକ୍ଷଣ ଦିବସ ପାଳନ କାର୍ଯ୍ୟକ୍ରମରେ ଭାଗ ନେଇ ବବୁଲ ଏହି ତଲାରିକୁ ପ୍ରଦର୍ଶିତ କରି ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହ ଦେଓଙ୍କ ଠାରୁ ମାନପତ୍ର ସହ ପୁରସ୍କାର ରାଶି ପାଇଥିଲେ। ବବୁଲଙ୍କ ଏହି କୃତିତ୍ୱ ପାଇଁ ପ୍ରଧାନଶିକ୍ଷକ ରାମଚନ୍ଦ୍ର ମହାପାତ୍ର ଓ ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଉଚ୍ଚ ପ୍ରଶଂଶା କରିଛନ୍ତି।
