ଆୟୁଷ୍ମାନ କାର୍ଡ ବଣ୍ଟନରେ ଖୋଲାଖୋଲି ଟଙ୍କା ଆଦାୟ

ଦେବଗଡ଼(କୋଶଲ ନ୍ୟୁଜ୍):- ରାଜ୍ୟରେ ସରକାର ପରିବର୍ତ୍ତନ ସାଙ୍ଗକୁ ସ୍ବାସ୍ଥ୍ୟ ବୀମାରେ ମଧ୍ୟ ପରିବର୍ତ୍ତନ ଘଟିଛି। ବିଜୁ ସ୍ବାସ୍ଥ୍ୟବୀମା କାର୍ଡ ପରିବର୍ତ୍ତେ ଆୟୁଷ୍ମାନ ଯୋଜନା ଲାଗୁ ହୋଇଛି। ଏବେ ଗାଁ ଗାଁ ରେ ଏହି ଆୟୁଷ୍ମାନ କାର୍ଡ ବାଣ୍ଟନ ହେଉଥିବା ବେଳେ ପ୍ରତ୍ୟେକ ବ୍ୟକ୍ତିର ଇ-କେଓ୍ବାଇସି କରିବା ପାଇଁ କୁହାଯାଉଛି । ଏଥିପାଇଁ ପ୍ରତ୍ୟେକ ଜନସେବା କେନ୍ଦ୍ର ଗୁଡ଼ିକ ଦାୟିତ୍ଵରେ ରହିଥିବା ବେଳେ ଏହାର ସୁଯୋଗ ନେଇ ମାଗିଛନ୍ତି ଦଲାଲ୍।କେତେକ ଜନସେବା କେନ୍ଦ୍ରରେ ଇ-କେଓ୍ବାଇସି ପାଇଁ ଖୋଲାଖୋଲି ସିଧାସଳଖ ହିତାଧିକାରୀଙ୍କ ଠାରୁ ଅର୍ଥ ଆଦାୟ କରୁଥିବା ଅଭିଯୋଗ ହେଉଛି। ୩୦ ଟଙ୍କା ଠାରୁ ଆରମ୍ଭ କରି ୫୦ ଟଙ୍କା ୭୦ ଟଙ୍କା ପର୍ଯ୍ୟନ୍ତ ଆଦାୟ କରାଯାଉଛି। ସେହିଭଳି ଗାଁ ରେ ଥିବା ଆଶାକର୍ମୀମାନେ ମଧ୍ୟ ଲୋକଙ୍କୁ ଟଙ୍କା ଦେଇ ଇ-କେଓ୍ବାଇସି କରିବାକୁ ପ୍ରବର୍ତ୍ତାଉଛନ୍ତି। ନିର୍ଦ୍ଦିଷ୍ଟ ଜନସେବା କେନ୍ଦ୍ରକୁ ଯାଇ ଇ-କେଓ୍ବାଇସି ବାବଦକୁ ୭୦ ଟଙ୍କା ଦେବାକୁ କୁହାଯାଉଛି। ଆଉ କିଛି ଆଶାକର୍ମୀମାନେ ମଧ୍ୟ ଜନସେବା କେନ୍ଦ୍ରର ପିଲାକୁ ଧରି ଗାଁ ଗାଁ ବୁଲି ଇ-କେଓ୍ବାଇସି କରିବାକୁ ଯାଉଛନ୍ତି। ଗାଁ କୁ ଆସି ଇ-କେଓ୍ବାଇସି କରେଇ ଦେଲେ ୧୦୦ ଟଙ୍କା ଲେଖାଁଏ ଲୋକଙ୍କ ଠାରୁ ନେଇ ପରେ ଆଶାକର୍ମୀ ଓ ଜନସେବା କେନ୍ଦ୍ର ସହିତ ଭାଗ ବଣ୍ଟା ହେଉଛି। ଯାହାକୁ ନେଇ ଲୋକଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖାଦେଇଛି। ଏ ବିଷୟରେ ଉଚ୍ଚ କର୍ତ୍ତୃପକ୍ଷ ଦୃଷ୍ଟି ଦେବାକୁ ଦାବୀ ହେଉଛି।

Comments
Loading...