
କୋଶଲ ନ୍ୟୁଜ୍ ବ୍ୟୁରୋ : ନବରଙ୍ଗପୁର: ଗତ ଡିସେମ୍ବର ମାସ ୮ ତାରିଖରୁ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ ପରେ ଦଶମ ଓ ଦ୍ୱାଦଶ ଶ୍ରେଣୀ ଗୁଡିକ ଖୋଲା ଯାଇଥିଲା ।ଏହି କ୍ରମରେ ଡାବୁଗାଁ ବ୍ଲକ ଚଚରାଗୁଡ଼ା ଉନ୍ନୀତ ଉଚ୍ଚ ବିଦ୍ୟାଳୟରେ ମଧ୍ୟ ଉନ୍ନୀତ ଉଚ୍ଚ ବିଦ୍ୟାଳୟ ଗତ ଡିସେମ୍ବର ମାସ ୮ ତାରିଖରୁ ଖୋଲା ଯାଇଥିଲା । ତେବେ ଏହି ବିଦ୍ୟାଳୟରେ ଦଶମ ଶ୍ରେଣୀ ଛାତ୍ରଛାତ୍ରୀଙ୍କୁ ପାଠ ପଢ଼ାଇବାକୁ ଜଣେ ହେଲେ ଶିକ୍ଷକ ନିଯୁକ୍ତି ହୋଇ ନ ଥିବାରୁ ଦଶମ ଶ୍ରେଣୀରେ ଅଧ୍ୟୟନ କରୁଥିବା ୬୪ ଜଣ ଛାତ୍ରଛାତ୍ରୀ ପ୍ରତିଦିନ ବିଦ୍ୟାଳୟକୁ ଯାଉଥିଲେ ସୁଦ୍ଧା ବିନା ଶିକ୍ଷାଦାନରେ ଘରକୁ ଫେରୁଥିଲେ ।ଦୁଃଖର ବିଷୟ ଡାବୁଗାଁ ବ୍ଲକରେ ଛାତ୍ର ଛାତ୍ରୀଙ୍କ ଭବିଷ୍ୟତ ଭଗବାନଙ୍କ ଭରସାରେ ଚାଲିଛି । ତେବେ ଏଠାରେ ଶିକ୍ଷକ ନ ଥିବାରୁ ଆଜି ଚଚରାଗୁଡ଼ା ସରପଞ୍ଚ ଧର୍ମାନନ୍ଦ ନାୟକ ସହ ଅଭିଭାବକ ଓ ଗ୍ରାମବାସୀ ମାନେ ବିଦ୍ୟାଳୟରେ ତାଲା ଠୁଙ୍କିଛନ୍ତି । ବିଦ୍ୟାଳୟ ସମ୍ମୁଖ ଫାଟକରେ ପ୍ଲା କାର୍ଡ ରେ ଆମ ଭବିଷ୍ୟତ କୁ ସରକାର ଦୃଷ୍ଟି ଦିଅ, ରାମସା ନିୟମ କୁଆଡେ ଗଲା, ତୁରନ୍ତ ଶିକ୍ଷକ ନିଯୁକ୍ତି ଦିଅ ବୋଲି ଛାତ୍ରଛାତ୍ରୀ ଲେଖିଥିଲେ । ସ୍ଥାୟୀ ଶିକ୍ଷକ ପ୍ରଦାନ ପରେ ହିଁ ବିଦ୍ୟାଳୟର ତାଲା ଖୋଲା ଯିବ ବୋଲି ଅଭିଭାବକ ଓ ଗ୍ରାମବାସୀ କହିଛନ୍ତି । ତେବେ ଆଜି ବିଦ୍ୟାଳୟରେ ତାଲାଠୁଙ୍କା ଯାଇଥିଲେ ସୁଦ୍ଧା କୌଣସି ଅଧିକାରୀ ବିଦ୍ୟାଳୟକୁ ଯାଇ ନାହାନ୍ତି ।