ଶ୍ରୀ ବାନାମ୍ବର ଦେବଙ୍କ ନୂତନ ଚଳନ୍ତି ବିଗ୍ରହ ପ୍ରତିଷ୍ଠା ଉତ୍ସବ

ପୁରୀ, (କୋଶଲ ନ୍ୟୁଜ୍):- ଆଜି ଶ୍ରୀ ବାନାମ୍ବର ଦେବଙ୍କ ନୂତନ ଚଳନ୍ତି ବିଗ୍ରହ ପ୍ରତିଷ୍ଠା ଉତ୍ସବର ଆଜି ହେଉଛି ପୂର୍ଣ୍ଣାହୁତି ଦିବସ। ଶ୍ରୀପଞ୍ଚମୀରେ ବିଗ୍ରହଙ୍କ ଅଙ୍କୁରାରୋପଣ ନୀତି ଅନୁଷ୍ଠିତ ହେବ। ୩୦.୧.୨୦୨୫ ଗୁରୁବାର ଠାରୁ ଅଧିବାଶନୀତି ସହିତ ପ୍ରାଣପ୍ରତିଷ୍ଠା କାର୍ଯ୍ୟକ୍ରମ ଆରମ୍ଭ ହୋଇଛି। ଏହାକୁ ବଡ଼ ଦେଉଳ ପୁରୋହିତ ସିଦ୍ଧେଶ୍ୱର ମହାପାତ୍ର ସଂକଳ୍ପକରି ପୁରୋଧା ରୂପେ କାର୍ଯ୍ୟ ନିର୍ବାହ କରିଛନ୍ତି। ମାର୍କଣ୍ଡେଶ୍ଵର ପୁଷ୍କରିଣୀରେ ପଣ୍ଡିତ ସୂର୍ଯ୍ୟନାରାୟଣ ରଥଶର୍ମାଙ୍କ ଦ୍ବାରା ଜଳ ସଂସ୍କାର ବିଧି ସମ୍ପନ୍ନ କରାଯାଇଛି। ସେଠାରୁ ସମୂହ କଳସ ଯାତ୍ରା ଆରମ୍ଭହୋଇ ଯଜ୍ଞ ସ୍ଥଳରେ ପହଞ୍ଚିଥିଲା। ଶନିବାର ପୂର୍ଣ୍ଣ କୁଣ୍ଡୀୟ ଆହୂତି ଯଜ୍ଞ (ହବନ) କରାଯାଇଛି। ଆଜି ରବିବାର ପବିତ୍ର ସରସ୍ବତୀ ପୂଜା ବସନ୍ତ ପଞ୍ଚମୀରେ ଅଷ୍ଟଧାତୁରେ ନିର୍ମିତ ନୂତନ ବିଗ୍ରହଙ୍କ ପ୍ରାଣପ୍ରତିଷ୍ଠା ସହିତ ନଗର ପରିକ୍ରମା ଓ ସିଂହାସନ ବିଜେନୀତି ଅନୁଷ୍ଠିତ ହେବ। ସନ୍ଧ୍ୟାରେ ଯଜ୍ଞଅଗ୍ନି (ଅଗ୍ନିଦେବଙ୍କୁ) ପୂର୍ଣ୍ଣାହୁତି ପ୍ରଦାନ କରାଯିବାର କାର୍ଯକ୍ରମ ରହିଛି। ଏହି ପ୍ରାଣ ପ୍ରତିଷ୍ଠା ଉତ୍ସବରେ ସାତମଣ୍ଡଳ ଅଧୀଶ୍ଵର ଭାବରେ ଯଜ୍ଞକାର୍ଯ୍ୟ ନିମନ୍ତେ ସଂକଳ୍ପ ପୂର୍ବକ ପଣ୍ଡିତ ଉଦୟନାଥ ମହାପାତ୍ର, ପଣ୍ଡିତ ସୁଦର୍ଶନ ଷଡ଼ଙ୍ଗୀ, ପଣ୍ଡିତ ଶ୍ୟାମସୁନ୍ଦର ଶତପଥୀ, ପଣ୍ଡିତ ପ୍ରଫୁଲ୍ଲ କୁମାର ଚଇନି, ପଣ୍ଡିତ ବାମଦେବ ଦାଶ, ପଣ୍ଡିତ ରମେଶଚନ୍ଦ୍ର ଶତପଥୀ, ପଣ୍ଡିତ ବିଶ୍ବନାଥ ଦାଶ ଏବଂ ମନ୍ଦିର ପୂଜକ ଦେବାଶିଷ ମିଶ୍ର ପମୁଖ ଦାୟିତ୍ଵ ନିର୍ବାହ କରୁଛନ୍ତି। ପଣ୍ଡିତ ସିଦ୍ଧାର୍ଥ ଆଚାର୍ଯ୍ୟ ଏବଂ ପଣ୍ଡିତ ସୂର୍ଯ୍ୟନାରାୟଣ ରଥଶର୍ମାଙ୍କ ତତ୍ତ୍ଵାବଧାନରେ ସମସ୍ତ କାର୍ଯ୍ୟକ୍ରମ ଶୃଙ୍ଖଳିତ ଭାବରେ ଅନୁଷ୍ଠିତ ହୋଇଯାଇଛି। ଅଷ୍ଟଧାତୁରେ ନିର୍ମିତ ନୂତନ ବିଗ୍ରହଙ୍କୁ ନୟାଗଡ଼ ଜିଲ୍ଲାର ଖଳିସାହି କାରୀଗରଙ୍କ ଦ୍ବାରା ନିର୍ମିତ ହୋଇଥିବା କଥା ଆୟୋଜକମାନେ କହିଛନ୍ତି। ଦୀର୍ଘ ଦିନରୁ ଅଞ୍ଚଳ ଅଧିବାସୀ ମନ୍ଦିର ପରିଚାଳନା ବୋର୍ଡର ସଦସ୍ୟମାନେ ବହୁପୁରାତନ ଶ୍ରୀ ଶ୍ରୀ ବାନାମ୍ବର ଦେବଙ୍କ ଖଣ୍ଡିତ ବିଗ୍ରହଙ୍କୁ ପରିବର୍ତ୍ତନ କରିବା ପାଇଁ ଇଚ୍ଛାପ୍ରକାଶ କରିଥିଲେ। ଶ୍ରୀ ବାନାମ୍ବରଙ୍କ କୃପାରୁ ଏହି କାର୍ଯ୍ୟ ଅତି ସୂଚାରୁରୂପେ ସମ୍ପନ୍ନ ହୋଇଥିବାରୁ ସମସ୍ତେ ଆନନ୍ଦ ପ୍ରକାଶ କରିଛନ୍ତି। ଆୟୋଜକ କୁହନ୍ତି ଶ୍ରୀ ଶ୍ରୀ ବାନାମ୍ବରଙ୍କ କୃପା ହେଇନଥିଲେ ଏତେ ବଡ଼ କାର୍ଯ୍ୟକ୍ରମ କରିବା ସମ୍ଭବ ହୋଇନଥାନ୍ତା।

Comments
Loading...