ତୁମୁଡିବନ୍ଧ (କୋଶଲ ନ୍ୟୁଜ୍):-ଆଶା ଚୟନରେ ବାରମ୍ବାର ଦୁର୍ନୀତି ଅଭିଯୋଗ କଲେ ମଧ୍ୟ ଶୁଣୁନି ପ୍ରଶାସନ। ଏମିତି କିଛି ଘଟଣା ଦେଖିବାକୁ ମିଳିଛି କନ୍ଧମାଳ ଜିଲ୍ଲା କୋଟଗଡ଼ ବ୍ଲକରେ। ଦାୟିତ୍ୱରେ ଥିବା ବିପିଏମ ଶାନ୍ତନୁ ସାହୁଙ୍କ ବିରୋଧରେ କୋଟଗଡ଼ ବ୍ଲକର ଅନେକ ପଞ୍ଚାୟତବାସୀ ବାରମ୍ବାର ଅଭିଯୋଗ କଲେ ମଧ୍ୟ ଜିଲ୍ଲା ପ୍ରଶାସନ ବିପିଏମଙ୍କୁ ଘଣ୍ଟ ଘୋଡ଼ାଇ ରଖିଥିବା କହିଛନ୍ତି ପଞ୍ଚାୟତବାସୀ। କିଛିଦିନ ପୂର୍ବେ କୋଟଗଡ଼ ବ୍ଲକର ପକାରୀ ଗ୍ରାମପଞ୍ଚାୟତର ଗୁଡିକି ଗ୍ରାମ ୱାର୍ଡ ନମ୍ବର ୦୧ର କିଛି ଗ୍ରାମବାସୀ ଆଶା ନିଯୁକ୍ତିରେ ଦୁର୍ନୀତିର ଅଭିଯୋଗରେ ସ୍ଥାନୀୟ ବିପିଏମଙ୍କ ବିରୋଧରେ ଜାନୁଆରୀ ୨୮ରେ ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ ପାଇଁ ଆସିଥିଲେ। ସମାନ ଅଭିଯୋଗ ସେହି କୋଟଗଡ଼ ବ୍ଲକର ଓରା ପଞ୍ଚାୟତ ଆଟାଲି ପଡ଼ିପଙ୍ଗା ଗ୍ରାମର ଗ୍ରାମବାସୀ ସେହି ସ୍ଥାନୀୟ ବିପିଏମଙ୍କ ବିରୋଧରେ ଆଶା ନିଯୁକ୍ତିରେ ଦୁର୍ନୀତି ହୋଇଛି ଅଭିଯୋଗ କରି ସ୍ଥାନୀୟ କୋଟଗଡ଼ ଥାନାରେ ଅଭିଯୋଗ କରିଥିଲେ। କିନ୍ତୁ ସେଠାରେ କୌଣସି ନ୍ୟାୟ ନ ପାଇ ଶେଷରେ ଗ୍ରାମର ୱାର୍ଡ ମେମ୍ବରଙ୍କ ସହିତ କିଛି ଗ୍ରାମବାସୀ ଜିଲ୍ଲାପାଳଙ୍କୁ ଫେବୃଆରୀ ୭ରେ ଅଭିଯୋଗ କରିବାକୁ ଆସିଥିଲେ। କିନ୍ତୁ ସେଦିନ ମଧ୍ୟ ଜିଲ୍ଲାପାଳ କାର୍ଯ୍ୟାଳୟରେ ନଥିବା ଯୋଗୁ ଜିଲ୍ଲାପାଳ ବାସଭବନରେ ଭେଟିଥିଲେ। ଜଣେ ସରକାରୀ କର୍ମଚାରୀଙ୍କ ନାମରେ ବାରମ୍ବାର ଅଭିଯୋଗ ପରେ ମଧ୍ୟ କୌଣସି ପଦକ୍ଷେପ ନେଉନାହିଁ ଜିଲ୍ଲା ପ୍ରଶାସନ, ସେଥିପାଇଁ ଦୁର୍ନୀତି କରିବା ପାଇଁ ସୁଯୋଗ ପାଉଛନ୍ତି କର୍ମଚାରୀ ବୋଲି କହିଛନ୍ତି ଗ୍ରାମବାସୀ। ତେବେ ଏନେଇ ବିପିଏମ୍ ଶାନ୍ତନୁ ସାହୁଙ୍କୁ ଯୋଗାଯୋଗ କରିବାରୁ, ସରକାରୀ ନିୟମ ପ୍ରକାରେ ଆଶା କର୍ମୀ ନିୟୋଜିତ କରାଯାଉଛି, ତେଣୁ ନିୟମ ପ୍ରକାରେ ଯେଉଁମାନେ ଆସିଲେ ସେମାନେ ନିୟୋଜିତ ହେଉଛନ୍ତି ଓ ଯେଉଁମାନେ ହେଉନାହାନ୍ତି ସେମାନେ ଏଭଳି ଭାବେ ଅଭିଯୋଗ କରି ଲିଖିତ ଭାବେ ବିଭିନ୍ନ ସ୍ଥାନରେ ଦେଉଛନ୍ତି ବୋଲି ପ୍ରକାଶ କରିଛନ୍ତି।
ରିପୋର୍ଟ:-ପ୍ରବୀଣ କୁମାର ପଟ୍ଟନାୟକ
