ତୁମୁଡିବନ୍ଧ(କୋଶଲ ନ୍ୟୁଜ):- କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ବିଧାନସଭା କ୍ଷେତ୍ର ଅନ୍ତର୍ଗତ ତୁମୁଡିବନ୍ଧ ବ୍ଲକରେ ଚଳିତ ସାଧାରଣ ନିର୍ବାଚନରେ ନିଜର ଅସ୍ତିତ୍ୱ ହରାଉଛି ଭାଜପା l ନିର୍ବାଚନକୁ ଆଉ ମାତ୍ର ୪ ଦିନ ବାକିଥିବା ବେଳେ ତୁମୁଡିବନ୍ଧ ଭାଜପା ମଣ୍ଡଳରେ ଶିଥିଳ ହୋଇପଡିଛି ଭାଜପାର ନିର୍ବାଚନୀ ପ୍ରଚାର l ତୁମୁଡିବନ୍ଧ ବ୍ଲକର ୧୧ ଗୋଟି ପଞ୍ଚାୟତ ମଧ୍ୟରୁ ଝିରିପାଣି, ଲଙ୍କାଗଡ଼, ସିର୍ଲା ଓ କରୁକୁଡୁପା ଏହି ୪ ଟି ପଞ୍ଚାୟତରେ ଏଯାବତ ଖଣ୍ଡିଏ ଲେଖାଏଁ ଅସ୍ଥାୟୀ କାର୍ଯ୍ୟାଳୟ ଖୋଲାଯାଇନାହିଁ l ଗାଁ ଗହଳିରେ ପୋଷ୍ଟର ବେନର ଲାଗିନଥିବା ଦେଖି ଦ୍ବନ୍ଦରେ ରହିଛନ୍ତି ଭାଜପା କର୍ମୀ ଓ ସମର୍ଥକ l ତୁମୁଡିବନ୍ଧ ବ୍ଲକରେ ଭାଜପା ସମର୍ଥକ ନିରୁତ୍ସାହ ଓ ନିରାଶ ହୋଇଥିବା ଜଳ ଜଳ ଦିଶୁଚି l ତୁମୁଡିବନ୍ଧ ମଣ୍ଡଳ ସ୍ତରୀୟ ନିର୍ବାଚନ ପରିଚାଳନା କମିଟି ଓ ନେତୃବୃନ୍ଦ ଚଳିତ ନିର୍ବାଚନରେ ନିଜର ଅପାରଗତା ପ୍ରଦର୍ଶନ କରିଛନ୍ତି ବୋଲି ମତଦାତାଙ୍କ ମଧ୍ୟରେ ଆଲୋଚନା ହେଉଛି l ଅନ୍ୟପକ୍ଷରେ ଅନଭିଜ୍ଞ ଙ୍କ ହାତରେ ନିର୍ବାଚନ ପରିଚାଳନା ଦାୟିତ୍ୱ ଏବଂ ବରିଷ୍ଠଙ୍କୁ ଅଣଦେଖା ଯୋଗୁଁ ଏକାଧିକ ବରିଷ୍ଠ କର୍ମୀ ଇତିମଧ୍ୟରେ ଦଳ ଡିଆଁ କରିଥିବା ଭାଜପା ପାଇଁ ମହଙ୍ଗା ପଡ଼ିପାରେ ବୋଲି ଛକ ବଜାରରେ ଚର୍ଚ୍ଚା ହେଉଛି l ଅପରପକ୍ଷେ ଭାଜପାର କିଛି ପଞ୍ଚାୟତ ସ୍ତରୀୟ ନେତା ଯୋଗାଯୋଗରେ ରହି ଦଳ ଛାଡ଼ିବା ପାଇଁ ସୁଯୋଗ ଉଣ୍ଡି ବସିଥିବା ଆଭାସ ମିଳୁଛି l ତୁମୁଡିବନ୍ଧ ବ୍ଲକରେ ଚଳିତ ନିର୍ବାଚନରେ ଭାଜପାର ଦୁର୍ବଳ ରଣନୀତିରୁ ଉଭୟ ବିଜେଡି ଓ କଂଗ୍ରେସ ଫାଇଦା ଉଠେଇବା ନେଇ ପ୍ରୟାସ ଜାରୀ ରଖିଥିବା ଲକ୍ଷ୍ୟ କରାଯାଉଛି ବୋଲି ସ୍ଥାନୀୟ ରାଜନୀତି ସମୀକ୍ଷକ ଗଣ ମତପ୍ରକାଶ କରିଛନ୍ତି l
ରିପୋର୍ଟ – ପବିତ୍ର ଦିଗାଳ
