ତୁମୁଡିବନ୍ଧ :- (କୋଶଲ ନ୍ୟୁଜ୍)କନ୍ଧମାଳ ଜିଲ୍ଲା ତୁମୁଡିବନ୍ଧ ବ୍ଲକ ଏକ ଆଦିବାସୀ ଅଧ୍ୟୁଷିତ ବ୍ଲକ l ଏହିଭଳି ଏକ ପଛୁଆ ବ୍ଲକରେ ସରକାରୀ ଅଧିକାରୀ ମାନଙ୍କ ଦୁର୍ନୀତି ଅତ୍ୟନ୍ତ ଦୁର୍ଭାଗ୍ୟଜନକ ଅଟେ l ସାମ୍ପ୍ରତିକ ପରିସ୍ଥିତି ଭିତରେ ଜଣେ ସରକାରୀ ଅଧିକାରୀ ଜଣେ କିରାଣୀଙ୍କ ଜରିଆରେ କର୍ମଚାରୀ ମାନଙ୍କ ଠାରୁ ଫୋନ ଯୋଗେ ଅର୍ଥ ଆଦାୟ କରୁଥିବା ଘଟଣା ତୁମୁଡିବନ୍ଧ ଅଞ୍ଚଳରେ ଚହଳ ସୃଷ୍ଟି କରିଛି l ତୁମୁଡିବନ୍ଧ ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ ବଦଳିକୁ ମାସେ ନ ବିତୁଣୁ ତାଙ୍କ ପଦବୀ ଦାୟିତ୍ୱରେ ଥିବା ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ନିଜ ଶିକ୍ଷକ ମାନଙ୍କ ଠାରୁ କିରାଣୀଙ୍କ ଜରିଆରେ ଅର୍ଥ ଆଦାୟ ପ୍ରକ୍ରିୟା ଏବେ କର୍ମଚାରୀ ମହଲ ଏବଂ ଛକ ବଜାରରେ ଚର୍ଚ୍ଚା ଜୋର ଧରିଛି l କିରାଣୀ ଏବଂ ଶିକ୍ଷକ ମାନଙ୍କ ମଧ୍ୟରେ ଫୋନ ଯୋଗେ ବାର୍ତାଳାପ ବର୍ତମାନ ତୁମୁଡିବନ୍ଧ ଅଞ୍ଚଳରେ ମୋବାଇଲ ରୁ ମୋବାଇଲ କୁ ଘୁରି ବୁଲୁଚି l ତଥ୍ୟ ପ୍ରକାରେ ଚଳିତ ବର୍ଷ ସରକାରଙ୍କ ବିଜ୍ଞପ୍ତି ଅନୁଯାଇ ଶିକ୍ଷକ ମାନଙ୍କୁ ଚାକିରୀ ମଧ୍ୟରେ ଓଟିଇଟି ତାଲିମ ପାଇଁ ଏକ ସୁଯୋଗ ସୃଷ୍ଟି ହୋଇଛି l ଚଳିତ ମାସ ୨୨ ତାରିଖ ଏହାର ଅନଲାଇନ ଆବେଦନ ଶେଷ ତାରିଖ l ତେବେ ତୁମୁଡିବନ୍ଧ ଶିକ୍ଷା ବ୍ଲକ ଅଧୀନରେ ୧୩୦ ରୁ ଉର୍ଦ୍ଧ ପ୍ରାଥମିକ, ଉଚ୍ଚ ପ୍ରାଥମିକ ଏବଂ ଉଚ୍ଚ ବିଦ୍ୟାଳୟ ରହିଛି l ଏହି ସବୁ ବିଦ୍ୟାଳୟ ଗୁଡ଼ିକରେ ୪୦୦ ରୁ ଉର୍ଦ୍ଧ ଶିକ୍ଷକ ରହିଛନ୍ତି l କିନ୍ତୁ ୧୩୦ ରୁ ଉର୍ଦ୍ଧ ଶିକ୍ଷକ ଚଳିତ ଓଟିଇଟି ପ୍ରବେଶ ପରୀକ୍ଷା ଦେବେ l ଏଥିପାଇଁ ନିଜ ନିଜ ସାର୍ଟିଫିକେଟ ନେଇ ଅନଲାଇନରେ ଗୋଷ୍ଠୀ ଶିକ୍ଷା କେନ୍ଦ୍ରରେ ଫର୍ମ ଫିଲପ କରିବାକୁ ପଡ଼ିଥାଏ l ଯଦି ଏହି ସାର୍ଟିଫିକେଟ ନମିଳେ ତେବେ ଶିକ୍ଷକ ମାନେ ଏଣ୍ଟ୍ରାନ୍ସ ଦେଇପାରିଇବେନି l ତେଣୁ ଏହାର ସୁଯୋଗ ନେଇ କୁଆଡ଼େ ଏବିଇଓ ମହୋଦୟ କିରାଣୀଙ୍କ ଜରିଆରେ ଯୋଗ୍ୟ ଶିକ୍ଷକ ମାନଙ୍କଠାରୁ ୪ ଶହ ରୁ ୫ ଶହ ଟଙ୍କା ପର୍ଯ୍ୟନ୍ତ ବାଧ୍ୟତା ମୂଳକ ଭାବେ ଆଦାୟ କରାଯାଉଥିବା ଅଭିଯୋଗ ହୋଇଛି l ତେବେ ଏ ସଂକ୍ରାନ୍ତରେ ତୁମୁଡିବନ୍ଧ ଏବିଇଓ ଜନାର୍ଦନ ପାଣିଗ୍ରାହୀଙ୍କୁ ପଚାରିବାରୁ ଏହାକୁ ଖଣ୍ଡନ କରିଛନ୍ତି l ମୋର ଆଉ ମାତ୍ର ମାସେ ଦୁଇ ମାସ ପରେ ଚାକିରୀରୁ ଅବସର ଅଛି ମୁଁ କାହିଁକି ଏଭଳି କରିବି ବୋଲି ସ୍ପଷ୍ଟୀକରଣ ଦେଇଛନ୍ତି l ପାହାଡ଼ ପର୍ବତ ଘେରା ଏହି ବ୍ଲକରେ ପ୍ରାଥମିକ ଶିକ୍ଷା ବ୍ୟବସ୍ଥା ଏକ ରକମ ଭୁଶୁଡି ପଡ଼ିଥିବା ବେଳେ ଶିକ୍ଷା ଅଧିକାରୀଙ୍କ ଏଭଳି କାରନାମା ସମ୍ପୂର୍ଣ ଶିକ୍ଷା ବ୍ୟବସ୍ଥାକୁ କଳୁଷିତ କରିଦେଉଛି ବୋଲି ଅଞ୍ଚଳର କିଛି ବୁଦ୍ଧିଜୀବୀ ମତ ପୋଷଣ କରିଛନ୍ତି l
ତୁମୁଡିବନ୍ଧରୁ ପ୍ରବୀଣ କୁମାର ପଟ୍ଟନାୟକ ରିପୋର୍ଟ
