ସ୍ୱଚ୍ଛତାକୁ ଉପହାସ, ଅଳିଆ ଆବର୍ଜନାରେ ଦୁର୍ଗନ୍ଧପୁର୍ଣ ତୁମୁଡିବନ୍ଧ ହାଟପଦା

ତୁମୁଡିବନ୍ଧ(କୋଶଲ ନ୍ୟୁଜ୍) :- କେନ୍ଦ୍ର ସରକାରଙ୍କ ଗୁରୁତ୍ୱପୂର୍ଣ ଯୋଜନା ସ୍ୱଚ୍ଛତା ମିଶନ ତୁମୁଡିବନ୍ଧରେ ଫେଲ ମାରିଚି l ନାଁ କୁ ମାତ୍ର ପ୍ରତିବର୍ଷ ଗାନ୍ଧୀ ଜୟନ୍ତୀରେ ସ୍ୱଚ୍ଛତା ଦିବସ ପାଳନ କରାଯାଇ ପ୍ରଦର୍ଶନ ପୂର୍ବକ ଗଣମାଧ୍ୟମକୁ ଡାକି ଫୋଟ ଉଠାଇ କୌଣସି ଏକ ଖବର ପ୍ରକାଶନରେ ସୀମିତ ରହିଯାଏ ସ୍ୱଚ୍ଛତା ମିଶନ ଏହି ବ୍ଲକରେ l ବାକି ବର୍ଷ ଯାକ ଅଳିଆ ଆବର୍ଜନାରେ ପୁରି ରହିଥାଏ ତୁମୁଡିବନ୍ଧ ବ୍ଲକ କାର୍ଯ୍ୟାଳୟ ଚତୁର୍ପାଶ୍ୱ ଏବଂ ସଦର ଗ୍ରାମପଞ୍ଚାୟତ ଚତୁର୍ପାଶ୍ୱ l ନିର୍ବାଚିତ ସରପଞ୍ଚ କିମ୍ବା ଗ୍ରାମପଞ୍ଚାୟତ ନିର୍ବାହୀ ଅଧିକାରୀ ହୁଅନ୍ତୁ କେହି ମଧ୍ୟ ସ୍ୱଚ୍ଛତା ପ୍ରତି ଗୁରୁତ୍ୱ ଦେଉନଥିବା ଅଭିଯୋଗ ହେଉଛି l ବର୍ଷା ଦିନ ଦୃଶ୍ୟ ନକହିବା ଭଲ l ସପ୍ତାହରେ ଥରେ ପ୍ରତ୍ୟେକ ସୋମବାର ଦିନ ଏଠାରେ ସାପ୍ତାହିକ ହାଟ ଲାଗିଥାଏ l ହାଟ ପସରା ଖୋଲିବା ନିମନ୍ତେ ଉପରେ ଛାତ ଥାଇ ହାଟ ପିଣ୍ଡି ମଧ୍ୟ ଲକ୍ଷାଧିକ ଅର୍ଥ ବ୍ୟୟରେ ନିର୍ମିତ ହୋଇଛି l ଯାହା ଅପରିଷ୍କାର ଯୋଗୁଁ ବର୍ଷ ବର୍ଷ ଧରି ବ୍ୟବହାର ହେଉନି l ଅନ୍ୟପଟେ ହାଟପିଣ୍ଡିର ରକ୍ଷଣା ବେକ୍ଷଣ ଏବଂ ହାଟପଦା ପରିଷ୍କାର ପରିଚ୍ଛନ୍ନତା ନିମନ୍ତେ ପ୍ରତି ସପ୍ତାହରେ ପ୍ରତ୍ୟେକ ହାଟ ପସରାରୁ ବାଧ୍ୟତା ମୂଳକ ଭାବେ ୨୦ ଟଙ୍କା ଲେଖାଏଁ ପଞ୍ଚାୟତ ତରଫରୁ ଆଦାୟ କରାଯାଉଛି l କିନ୍ତୁ ହାଟପଦାର ଅଳିଆ ଆବର୍ଜନା ଏବଂ ଦୁର୍ଗନ୍ଧପୁର୍ଣ ପରିସ୍ଥିତି ଦେଖି ହାଟ ବ୍ୟବସାୟୀ ଏବଂ ଗ୍ରାହକ ହାଟକୁ ଆସିବାକୁ ମନ ବଳଉନାହାନ୍ତି l ଗ୍ରାମ ପଞ୍ଚାୟତରେ ଜଣେ ଝାଡୁଦାର ନିଯୁକ୍ତ ଥିଲେ ମଧ୍ୟ କୌଣସି କାମକୁ ନାହିଁ l ତେଣୁ ଏ ସଂକ୍ରାନ୍ତରେ ସ୍ଥାନୀୟ ସରପଞ୍ଚ ପ୍ରିୟଙ୍କା ପଡ୍ରାଙ୍କୁ ପଚାରିବାରୁ ଆଗାମୀ ଦିନରେ ଏ ଦିଗରେ ଧ୍ୟାନ ଦିଆଯିବ ବୋଲି ପ୍ରତିଶୃତି ପୂର୍ବକ ପ୍ରତିକ୍ରିୟା ଦେଇଛନ୍ତି l ତେବେ ଦେଖିବାକୁ ବାକି ରହିଲା ସ୍ଥାନୀୟ ସରପଞ୍ଚ ଆଗାମୀ ଦିନରେ ନିଜ ପ୍ରତିଶୃତି ରକ୍ଷା କରୁଛନ୍ତି ନା ପୂର୍ବ ଭଳି ଅବହେଳା ହୋଇ ଅଳିଆ ଆବର୍ଜନାରେ ପଡ଼ି ରହିବ ହାଟପଦା l

ତୁମୁଡିବନ୍ଧରୁ ପ୍ରବୀଣ କୁମାର ପଟ୍ଟନାୟକଙ୍କ ରିପୋର୍ଟ

Comments
Loading...