ତୁମୁଡିବନ୍ଧ(କୋଶଲ ନ୍ୟୁଜ୍):- ଚଳିତ ମାସ ୧ ତାରିଖରୁ ୭ ତାରିଖ ପର୍ଯ୍ୟନ୍ତ ରାଜ୍ୟର ସମସ୍ତ ବନାଞ୍ଚଳରେ *ଏକ୍ ପେଡ୍ ମା କେ ନାମ୍* ବାର୍ତ୍ତା ଦେଇ ବହୁ ଆଡମ୍ବରରେ ପାଳନ ହେଉଛି ୭୬ ତ୍ତମ ବନ ମହୋତ୍ସବ ସପ୍ତାହ l ଏହି ପରିପ୍ରେକ୍ଷୀରେ କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ବନଖଣ୍ଡ ଅନ୍ତର୍ଗତ ତୁମୁଡିବନ୍ଧ ବନାଞ୍ଚଳରେ ଆଜି ଗୁରୁବାର ଦିନ ବନାଞ୍ଚଳ ସ୍ତରୀୟ ୭୬ ତ୍ତମ ବନ ମହୋତ୍ସବ ପାଳନ ହୋଇଯାଇଛି l ତୁମୁଡିବନ୍ଧ ବନାଞ୍ଚଳ ଲଙ୍କାଗଡ଼ ସେକ୍ସନର ଆର୍ତ୍ତାବାଲି ଗ୍ରାମ ମୁଣ୍ଡିଗଡ଼ ଏ ଡି ପି ଏଫ ଜଙ୍ଗଲର ୪୦ ହେକ୍ଟର ଫାଙ୍କା ଜାଗାରେ କାମ୍ପା ଏ ପି ଓ ସହାୟକ ପ୍ରାକୃତିକ ପୁନଃ ଉଦ୍ଧାର ବନୀକରଣ ଯୋଜନା ଅଧୀନରେ ନିର୍ଧାରିତ ୨୦ ହଜାର ଚାରା ରୋପଣ କ୍ଷେତ୍ରରେ ପ୍ରାରମ୍ବ ପୂର୍ବକ ଶତାଧିକ ଚାରା ରୋପଣ କରି ବନ ମହୋତ୍ସବ ପାଳନ କରାଯାଇଥିଲା l ଲଙ୍କାଗଡ଼ ବିଦ୍ୟାଳୟର ଶତାଧିକ ଛାତ୍ରଛାତ୍ରୀ, ଗ୍ରାମବାସୀ, ନିର୍ବାଚିତ ଜନପ୍ରତିନିଧି ଏବଂ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ସଦସ୍ୟ ପ୍ରମୁଖ ଏହି ସାମୁହିକ ଚାରା ରୋପଣ କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ l ତୁମୁଡିବନ୍ଧ ବନାଞ୍ଚଳ ଅଧିକାରୀ କାଳୀ ଚରଣ ବେହେରାଙ୍କ ନେତୃତ୍ୱରେ ବନପାଳ ଜ୍ୟୋତିରାଜ ମଲ୍ଲିକଙ୍କ ତତ୍ୱାବଧାନରେ ତୁମୁଡିବନ୍ଧ ବନାଞ୍ଚଳର ସମସ୍ତ ବନପାଳ, ବନରଖି ଏବଂ ଅନ୍ୟ ବନ କର୍ମଚାରୀ ପ୍ରମୁଖ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ l ତେବେ ବନାଞ୍ଚଳ ଅଧିକାରୀ କାଳୀ ଚରଣ ବେହେରା ସ୍ଥାନୀୟ ଗ୍ରାମବାସୀ ତଥା ଜନସାଧାରଣଙ୍କ ସହଯୋଗ ନିମନ୍ତେ କୃତଜ୍ଞତା ଜ୍ଞାପନ କରି ପ୍ରତ୍ୟେକ ଜଣ ଗୋଟିଏ ଲେଖାଏଁ ବୃକ୍ଷ ଚାରା ରୋପଣ କରି ନୂତନ ବନୀକରଣ ସୃଷ୍ଟି କରି ପ୍ରାକୃତିକ ପରିବେଶ ସନ୍ତୁଳନ ରକ୍ଷା କରିବାରେ ସହାୟକ ହେବା ନିମନ୍ତେ ଅନୁରୋଧ କରିଥିଲେ l
ରିପୋର୍ଟ:-ପ୍ରବୀଣ କୁମାର ପଟ୍ଟନାୟକ