ତାଳଚେର (କୋଶଲ ନ୍ୟୁଜ୍):- କଣିହାଁରେ ବ୍ଲକ୍ ସ୍ତରୀୟ ନିଯୁକ୍ତି ଭିତିକ ଦକ୍ଷତା ପରାମର୍ଶ ଶିବିର ଶୁକ୍ରବାର ଅନୁଷ୍ଠିତ ହୋଇଯାଇଛି । ପାଳଲହଡା ବିଧାୟକ ଅଶୋକ ମହାନ୍ତି ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଦୀପ ପ୍ରଜ୍ଜ୍ୱଳନ କରି ଏହି ଶିବିର ଉଦ୍ଘାଟନ କରିଥିଲେ । ଆଶାୟୀ ଯୁବକ/ଯୁବତୀ ମାନଙ୍କୁ ବିଭିନ୍ନ ଦକ୍ଷତା ବିକାଶ ଏବଂ ବୈଷୟିକ ଶିକ୍ଷାର ପ୍ରାଧାନ୍ୟତା ଉପରେ ବର୍ଣ୍ଣନା କରି ମାନବ ସମ୍ବଳ ବିକାଶ ସହିତ ଅର୍ଥନୀତିକ ସ୍ୱଛଳତା ପାଇଁ ଦକ୍ଷତା ବିକାଶ ନିତ୍ୟାନ୍ତ ଆବଶ୍ୟକତା ବୋଲି ମୁଖ୍ୟଅତିଥି ତଥା ବିଧାୟକ ଶ୍ରୀ ମହାନ୍ତି ମତବ୍ୟକ୍ତ କରିଥିଲେ ।

ନିଯୁକ୍ତି ଭିତିକ ଦକ୍ଷତା ତାଲିମ ବିକ୍ଷୟରେ ଆଶାୟୀ ଯୁବକ/ଯୁବତୀ ମାନଙ୍କୁ ଅନୁଗୁଳ ଜିଲ୍ଲା ଦକ୍ଷତା ବିକାଶ ଓ ନିୟୋଜନ ଅଧିକାରୀ ଦେବାଶିଷ କହିଥିଲେ । ବ୍ଲକ୍ ଅଧକ୍ଷ ରାମକୃଷ୍ଣ ପ୍ରଧାନ, କଣିହାଁ ଗୋଷ୍ଠି ଉନ୍ନୟନ ଅଧିକାରୀ ଦେବଦତ୍ତ ପ୍ରଧାନ, ଜିଲ୍ଲା ଶିଶୁ ସୂରକ୍ଷା ଅଧିକାରୀ ଗୈାରିଶଙ୍କର ବେହେରା ପ୍ରମୁଖ ସମ୍ମାନିତ ଅତିଥି ଭାବରେ ଯୋଗଦେଇ, ଦକ୍ଷତା ବିକାଶ ଜରିଆରେ ଯୁବକ,ଯୁବତୀ ମାନେ କିପରି ନିଜର ଜୀବିକା ଅର୍ଜନ କରି ନିଜର ଆର୍ଥିକସ୍ଥିତି ସୁଦୃଢ କରିବାର ଏହା ଏକମାତ୍ରା ରାସ୍ତା ବୋଲି ଅତିଥିମାନେ ମତବ୍ୟକ୍ତ କରିଥିଲେ । ଓଡିଶା ଦକ୍ଷତା ବିକାଶ ପ୍ରାଧିକରଣ ଦ୍ୱାରା ସ୍ୱୀକୃତପ୍ରାପ୍ତ ୧୨ଗୋଟି ସଂସ୍ଥା ଏହି ଶିବିରରେ ସାମିଲ ହୋଇଥିଲେ । ସ୍ଥାନୀୟ ପବିତ୍ର ମୋହନ ଉଚ୍ଚବିଦ୍ୟାଳୟ ପ୍ରାଙ୍ଗଣରେ ଶିକ୍ଷାନୁଷ୍ଠାନର ୭୫ଜଣ ବିଦ୍ୟାର୍ଥୀଙ୍କୁ ଏଥି ଉଚ୍ଚଶିକ୍ଷା ଏବଂ ଦକ୍ଷତା ବିକାଶ ନିମନ୍ତେ ଆବଶ୍ୟକୀୟ ପରାମର୍ଶ ପ୍ରଦାନ କରାଯାଇଥିଲା । ମୋଟ୍ ୨୪୫ଜଣ ଯୁବକ/ଯୁବତୀ ପଂଜିକରଣ କରିଥିବା ବେଳେ ୨୨୫ଜଣଙ୍କୁ ବୈଷୟିକ ତାଲିମ ନିମନ୍ତେ ଯୋଗ୍ୟ ବିବେଚିତ ହୋଇଥିଲେ । ଓଡିଶା ଜୀବିକା ମିଶନ ର ବ୍ଲକ୍ ପ୍ରକଳ୍ପ ପରିଚାଳକ ପ୍ରମୋଦ ବେହେରା ମଂଚ ପରିଚାଳନା କରିଥିଲେ । କନିଷ୍ଠ ନିୟୋଜନ ଅଧିକାରୀ ରିଙ୍କୁ ନାୟକ, ଜିଲ୍ଲା ଦକ୍ଷତା ବିକାଶ ର ସ୍ୱତନ୍ତ୍ର ଅଧିକାରୀ ବିଶ୍ୱଜିତ୍ ପଣ୍ଡା ପ୍ରମୁଖ ସାମିଲ ଥିଲେ । ଆସନ୍ତା ୩ଫେବୃୟାରିରେ ଛେଣ୍ଡିପଦା ଏବଂ୪ଫେବୃୟାରିରେ ତାଳଚେର ବ୍ଲକ୍ ରେ ଏଭଳି ପରାମର୍ଶ ଶିବିର ଆୟୋଜନ କରାଯିବ ବୋଲି ଜିଲ୍ଲା ଦକ୍ଷତା ବିକାଶ ସ୍ୱତନ୍ତ୍ର ଅଧିକାରୀ ଶ୍ରୀ ପଣ୍ଡା ପ୍ରକାଶ କରିଥିଲେ ।