ଅନୁଗୁଳ (କୋଶଲ ନ୍ୟୁଜ୍):- ଅଜଣା ଗାଡ଼ି ଧକ୍କାରେ ଜଣେ କଲେଜ ଛାତ୍ରୀ ଙ୍କର ମୃତ୍ୟୁ ଘଟିଥିବା ବେଳେ ଜଣେ ଗୁରୁତର ଆହତ ହୋଇଥିବା ଜଣାପଡିଛି। ସୂଚନା ମୁତାବକ, ବନ୍ତଳା ଥାନା ଅନ୍ତର୍ଗତ ବେଡା ପଞ୍ଚାୟତ ଚଟିଆଗଜି ଗ୍ରାମର ମାମାଲି ନାଏକ (୧୭) ସେ ବନ୍ତଳା କଲେଜର ଯୁକ୍ତ ଦୁଇ ବିଭାଗର ଛାତ୍ରୀ ଅଟନ୍ତି। ଆଜି କଲେଜର ବାର୍ଷିକ ଉତ୍ସବ ଥିବାରୁ ଉତ୍ସବ ସାରି ତାଙ୍କର ସମ୍ପର୍କୀୟ ମାମୁଁ ସଞ୍ଜୟ ଦାସଙ୍କ ସହିତ ମଟର ସାଇକେଲ ଯୋଗେ ଘରକୁ ଫେରୁଥିବା ବେଳେ ବନ୍ତଳା ଥାନା ନିକଟ ଏକ ଢ଼ାବା ସମ୍ମୁଖରେ ଅଜଣା ଗାଡି ପଛରୁ ଧକ୍କା ଦେବା ଫଳରେ ଉଭୟ ରାସ୍ତା ଉପରକୁ ଛିଟିକି ପଡ଼ିଥିଲେ । ଉଭୟଙ୍କୁ ଗୁରୁତର ଅବସ୍ଥାରେ ଦୁର୍ଘଟଣା ସ୍ଥଳରୁ ସ୍ଥାନୀୟ ଲୋକେ ଉଦ୍ଧାର କରି ବନ୍ତଳା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ। ସେଠାରେ ମାମାଲି ଙ୍କର ଅବସ୍ଥା ସଙ୍କଟାପନ୍ନ ହେବାରୁ ତାଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟଙ୍କୁ ସ୍ଥାନାନ୍ତର କରିଥିଲେ। ସେଠାରେ ଚିକିତ୍ସାଧିନ ଅବସ୍ଥାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ମୃତ ଛାତ୍ରୀଙ୍କ ମାମୁଁ ସଞ୍ଜୟ ଦାସ ଆହତ ହୋଇ ଜିଲ୍ଲା ମୂଖ୍ୟ ଚିକିତ୍ସାଳୟରେ ଚିକିତ୍ସିତ ହେଉଥିବା ଡାକ୍ତରଖାନା ସୂତ୍ରରୁ ଜଣାପଡ଼ିଛି । ତେବେ ଗାଡ଼ିଟି ଧକ୍କା କରି ଘଟଣା ସ୍ଥଳରୁ ଫେରାର ହୋଇଯାଇଥିବା ସ୍ଥାନୀୟ ଲୋକେ ପ୍ରକାଶ କରିଛନ୍ତି । ପୁଲିସ୍ ଶବକୁ ଜବତ କରି ବ୍ୟବଛେଦ ନିମନ୍ତେ ଶବାଗାରରେ ରଖିଛନ୍ତି ।
