ପ୍ରବାସୀ ଭାରତୀୟଙ୍କୁ ସ୍ୱାଗତ ପାଇଁ ପ୍ରସ୍ତୁତ ରାଜ୍ୟ ସଂଗ୍ରହାଳୟ

ଭୁବନେଶ୍ଵର (କୋଶଲ ନ୍ୟୁଜ୍):- ଆଜି ଉଦ୍‌ଘାଟନ ହେବ ୯ ଗ୍ୟାଲେରୀ। ପ୍ରବାସୀ ଭାରତୀୟଙ୍କୁ ସ୍ୱାଗତ ପାଇଁ ରାଜ୍ୟ ସଂଗ୍ରହାଳୟ ସବୁ ଦିଗରୁ ପ୍ରସ୍ତୁତ । ସଂଗ୍ରହାଳୟ ବଗିଚା ଠାରୁ ଆରମ୍ଭ କରି କୋଠା ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ କଳେବର ରଙ୍ଗିନ ହୋଇଯାଇଛି । ଦର୍ଶକ ଓ ପ୍ରବାସୀ ଭାରତୀୟ ଅତିଥିଙ୍କ ଆଗମନକୁ ଦୃଷ୍ଟିରେ ରଖି ଅଧିକ ଆକର୍ଷଣୀୟ କରିବା ଲାଗି ନୂଆ ସାଂସ୍କୃତିକ ଓ ଐତିହାସିକ ଦ୍ରବ୍ୟର ପ୍ରଦର୍ଶନ କରାଯାଇଛି । ସଂଗ୍ରହାଳୟର ମୁଖ୍ୟ ପ୍ରବେଶ ଦ୍ୱାରକୁ ଅତିକ୍ରମ କରିବା ମାତ୍ରେ ଏକ ଅଲଗା ଅନୁଭୂତି ପାଇବେ । ପ୍ରବେଶ କକ୍ଷକୁ ଶୀତତାପ ନିୟନ୍ତ୍ରିତ କରାଯାଇ କାନ୍ଥଗୁଡିକୁ ସମ୍ପୂର୍ଣ୍ଣ ଭାବେ ଡିଜିଟାଇଜେସନ କରାଯାଇଛି । ସେହିଠାରେ ଠିଆ ହୋଇ ଓଡ଼ିଶାର ସାଂସ୍କୃତିକ, ଐତିହାସିକ, ଐତିହ୍ୟସ୍ଥଳୀ ସମେତ ବିଭିନ୍ନ ପର୍ଯ୍ୟଟନସ୍ଥଳୀର ଚିତ୍ର ଦେଖିବାକୁ ମିଳିବ । ତାହା ସହିତ ସଂଗ୍ରହାଳୟର ପ୍ରତି ଗ୍ୟାଲେରୀରେ ଥିବା ପ୍ରାଚୀନ ଉପକରଣଗୁଡିକ ମଧ୍ୟ ଦେଖିପାରିବେ । ଓଡ଼ିଶୀ ସଙ୍ଗୀତ, ପାରମ୍ପରିକ, ଦେଶୀୟ ନୃତ୍ୟ ମଧ୍ୟ ଏହି ଡିଜିଟାଲ ସ୍କ୍ରିନ୍ରେ ପରିବେଷଣ କରାଯିବ। ଦର୍ଶକଙ୍କ ପାଇଁ ଐତିହାସିକ ଓ ସାଂସ୍କୃତିକ ପ୍ରାଚୀନ ଜିନିଷର ପ୍ରଦର୍ଶନ କରାଯାଇଛି । ତାହା ମଧ୍ୟରେ ରହିଛି ବିକ୍ରମ-ବେତାଳର ସ୍ୱୟଂଚାଳିତ ମୂର୍ତ୍ତି ।

ଦର୍ଶକ ଏହି ଠାରେ ରାଜ୍ୟ ସଂଗ୍ରହାଳୟ ସମ୍ପର୍କିତ ବିଭିନ୍ନ ପ୍ରଶ୍ନ ବେତାଳକୁ ପଚାରିଲେ, ବିକ୍ରମ ତାହାର ଉତ୍ତର ଦେଉଛନ୍ତି । ବେତାଳ ଉତ୍ତର ଶୁଣି ସାରିଲା ପରେ ବିକ୍ରମାଦିତ୍ୟଙ୍କ କାନ୍ଧରୁ ଓହ୍ଲାଇ ଗଛ ଉପରକୁ ଚଢ଼ିଯାଉଛି । ଏହି ଦୃଶ୍ୟ ବିଶେଷ କରି ପିଲାମାନଙ୍କୁ ଆକର୍ଷିତ କରିବ। ରାଜ୍ୟ ସଂଗ୍ରହାଳୟକୁ ଆକର୍ଷଣୀୟ କରିବା ପାଇଁ ରାଜ୍ୟ ସଂସ୍କୃତି ବିଭାଗ ପକ୍ଷରୁ ସବୁ ପ୍ରକାର ଉଦ୍ୟମ ଜାରି ରହିଛି ।

ଓଡ଼ିଶାର ବିଭିନ୍ନ ଅଞ୍ଚଳରେ ପ୍ରାଚୀନ କାଳରେ ବ୍ୟବହୃତ ଦେଶୀୟ ଓ ପାରମ୍ପରିକ ବାଦ୍ୟଯନ୍ତ୍ର, ବେଶଭୂଷା, ଅଳଙ୍କାର, ଅସ୍ତ୍ରଶସ୍ତ୍ର ଆଦି ପ୍ରଦର୍ଶିତ କରାଯାଇଛି। ଏସବୁ ଜିନିଷ ଭୂତଳ କକ୍ଷରେ ରଖାଯାଇଛି । ତାହା ଉପରେ କାଚ ଖଞ୍ଜା ଯାଇଛି । ଉକ୍ତ କାଚ ଉପରେ ଦର୍ଶକମାନେ ଚାଲିବୁଲି ଏହି ପ୍ରାଚୀନ ଜିନିଷଗୁଡିକ ଦେଖିପାରିବେ ।

ଏହିପରି ୯ଟି ନୂତନ ଗ୍ୟାଲେରୀ ତିଆରି ସରିଛି । ଏହି ଗ୍ୟାଲେରୀଗୁଡ଼ିକ ମଙ୍ଗଳବାର ସକାଳ ସାଢ଼େ ୧୧ଟା ସମୟରେ ଉଦ୍ଘାଟିତ ହେବ । ଆସନ୍ତା ୮ ଜାନୁଆରୀରୁ ସଂଗ୍ରହାଳୟ ପରିସର ବଗିଚାରେ ଦିନ ୧୧ରୁ ୪ଟା ପର୍ଯ୍ୟନ୍ତ ଲୋକକଳା ଉତ୍ସବ ଅନୁଷ୍ଠିତ ହେବ । ରାଜ୍ୟର ପ୍ରସିଦ୍ଧ କଳାକୁ ପ୍ରତିଷ୍ଠିତ କଳାକାରମାନେ ପରିବେଷଣ କରିବେ। ଯେଉଁଥିରେ ସମ୍ବଲପୁରୀ ନୃତ୍ୟଠୁ ନେଇ ଚଇତି ଘୋଡ଼ା, ବାଦ୍ୟ ସଙ୍ଗୀତ, ଦାସକାଠିଆ, ଗୋଟିପୁଅ, ଛଉ, ରଣପା, ସଖୀ ନାଚ, ତେଲିଙ୍ଗି ବାଜା ପରିବେଷିତ ହେବ।

Comments
Loading...