ମାନସିକ ଅନଗ୍ରସର ଥଇଥାନ କେନ୍ଦ୍ରରୁ ଉଦ୍ଧାର ହେଲେ ୪୪ ଜଣ ଅନ୍ତେବାସୀ

ସମ୍ବଲପୁର (କୋଶଲ ନ୍ୟୁଜ୍):- ନାମକୁ ମାନସିକ ଅନଗ୍ରସର ଥଇଥାନ କେନ୍ଦ୍ର । କିନ୍ତୁ ବାସ୍ତବରେ କାଳ କୋଠରିରୁ କମ୍‌ ନ ଥିଲା । ଅନ୍ତେବାସୀଙ୍କୁ ଦିଆଯାଉଥିଲା ଅମାନୁଷିକ ନିର୍ଯାତନା । ମୁଥ, ବିଧା, ଗୋଇଠା, ବାଡ଼ି, ବେତରେ ନିର୍ଘାତ ପ୍ରହାର ହେଉଥିଲା । ହୃଦୟହୀନ କେୟାରଟେକର୍‌ ଓ ମାଲିକଙ୍କ ଅମାନବୀୟ ନିର୍ଯାତନାର ଭିଡିଓ ଭାଇରାଲ୍‌ ହେବା ପରେ ଫିଟିଛି ସମ୍ବଲପୁର ଧନୁପାଲି ନେତାଜୀ ନଗରସ୍ଥିତ ‘ସମର୍ଥ’ ଅନୁଷ୍ଠାନର ଗୁମର । ରେଙ୍ଗାଲି ବିଧାୟକଙ୍କ ଉପସ୍ଥିତିରେ ପୁଲିସ୍‌ ସୋମବାର ଅନୁଷ୍ଠାନରେ ଚଢ଼ଉ କରି ୪୪ ଅନ୍ତେବାସୀଙ୍କୁ ଉଦ୍ଧାର କରିଛି। ହେଲେ ଏହାର ମାଲିକ ଓ ସହାୟିକା ଅଦ୍ୟାବଧି ଗିରଫ ହୋଇନାହାନ୍ତି ।

‘ସମର୍ଥ’ ଅନୁଷ୍ଠାନରେ ୨୭ ପୁରୁଷ ଓ ୧୭ ମହିଳା ଅନ୍ତେବାସୀ ରହୁଥିଲେ । ନିମ୍ନମାନର ଖାଇବା ଦିଆଯାଉଥିଲା । ସାମାନ୍ୟତମ ସୁବିଧା ଉପଲବ୍ଧ ନ ଥିଲା । ମୁହଁ ଖୋଲିଲେ ମିଳୁଥିଲା ଅମାନୁଷିକ ନିର୍ଯାତନା । କେହି ଭୟରେ ଏକଥା କହୁ ନ ଥିଲେ । ୧୮ଦିନ ତଳେ ସେଠାରେ ନୂଆ କେୟାରଟେକର ଭାବେ ନିଯୁକ୍ତ ହୋଇଥିଲେ ଲିପିକା ଦର୍ଜୀ । ହେଲେ ଯାହା ଦେଖିଥିଲେ, ତାହା ତାଙ୍କୁ ଆଶ୍ଚର୍ଯ୍ୟ କରିଥିଲା । ଏ ନେଇ ସେ ସ୍ଥାନୀୟ ଲୋକଙ୍କୁ କହିଥିଲେ । କୌଣସି ସୂତ୍ରରୁ ରେଙ୍ଗାଲି ବିଧାୟକ ସୁଦର୍ଶନ ହରିପାଲ୍‌ ସୂଚନା ପାଇ ଅନୁଷ୍ଠାନରେ ପହଞ୍ଚିଥିଲେ। ପୁଲିସ୍‌କୁ ଡାକି ତଦନ୍ତ କରିବାକୁ ନିର୍ଦ୍ଦେଶ ଦେଇଥିଲେ । ପୁଲିସ୍‌ର ଟିମ୍‌ ଅନୁଷ୍ଠାନରେ ପଶି ଅନ୍ତେବାସୀଙ୍କୁ ଉଦ୍ଧାର କରିଥିଲା। ଉଦ୍ଧାର ଅନ୍ତେବାସୀଙ୍କ ମଧ୍ୟରୁ ଅନେକଙ୍କ ଶରୀରରେ ନିଆଁ ଚେଙ୍କ ଓ ମାଡ଼ ଦାଗ ରହିଛି । କିଛି ଲୋକଙ୍କ ହାଡ଼ ମଧ୍ୟ ଭାଙ୍ଗିଯାଇଛି । ସମସ୍ତ ସୀମା ଟପି ଅନ୍ତେବାସୀଙ୍କୁ ଏଭଳି ତାଡ଼ନା ଦେଇଥିଲେ ଅନୁଷ୍ଠାନର ସମ୍ପାଦକ ହରିଶ ଚନ୍ଦ୍ର ସାହୁ ଓ ମହିଳା ସହାୟିକା ।

ନୂଆ କେୟାର ଟେକର ଲିପିକା କହିଛନ୍ତି, ମାନସିକ ରୋଗୀଙ୍କୁ ପ୍ରବଳ ମାଡ଼ ମରାଯାଉଥିଲା। ଅଧିକ ଡୋଜ୍‌ର ନିଶା ଇଞ୍ଜେକସନ୍‌ ଦିଆଯାଉଥିଲା । ନିର୍ଯାତନା ଓ ଅଧିକ ଡୋଜ୍‌ ଇଞ୍ଜେକ୍ସନ କାରଣରୁ କେତେଜଣ ଅନ୍ତେବାସୀଙ୍କ ମୃତ୍ୟୁ ମଧ୍ୟ ହୋଇଛି । ମୃତଦେହ ୨ଦିନ ଧରି ପଡିରହେ । ଗୋଟିଏ ହେଲେ ବ୍ୟବଚ୍ଛେଦ ହୁଏନି । ସମ୍ପାଦକ ହରିଶ ଚନ୍ଦ୍ର ସାହୁ ମହିଳା ଅନ୍ତେବାସୀଙ୍କୁ ବିବସ୍ତ୍ର କରି ଗାଧୋଉଥିଲେ । ଅନ୍ତେବାସୀଙ୍କୁ ୩ ଦିନର ବାସି ଖାଦ୍ୟ ଦିଆଯାଉଥିଲା । ନିର୍ଯାତନା ଦେଖି ସହି ନ ପାରି ବାହାରେ ଲୋକଙ୍କୁ କହିଥିଲେ ବୋଲି ଲିପିକା କହିଛନ୍ତି ।

ନେତାଜୀ ନଗର ସୋସାଇଟି ସଭାପତି ପ୍ରଦୀପ ବହିଦାର କହିଛନ୍ତି, କିଛି ଦିନ ତଳେ ସଂସ୍ଥା ବିରୋଧରେ ଜିଲ୍ଲାପାଳଙ୍କୁ ଅଭିଯୋଗ କରାଯାଇଥିଲା । ମାନସିକ ଅନଗ୍ରସର ଓ ରୋଗାକ୍ରାନ୍ତଙ୍କ କୌଣସି ଚିକିତ୍ସା କରାଯାଉନି । ସେମାନଙ୍କୁ ଖାଇବାକୁ ଦିଆଯାଏନି। ରାତି ହେଲେ ପ୍ରବଳ ମାଡ ମରାଯାଏ । ସେମାନଙ୍କ ଚିତ୍କାର ବାହାରକୁ ଶୁଭେ । ତେଣୁ ସ୍ଥାନୀୟ ଲୋକ ଜିଲ୍ଲାପାଳଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ତଥାପି ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ହେଉନଥିଲା । ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ (ଡିଏସ୍‌ଏସ୍‌ଓ) ଥବୀର ମହାନନ୍ଦ କହିଛନ୍ତି, ଜିଲ୍ଲାପାଳଙ୍କୁ ଏହାର ତଦନ୍ତ ରିପୋର୍ଟ ଦିଆଯାଇଛି । ଅଭିଯୁକ୍ତଙ୍କ ନାଁରେ ଥାନାରେ ଏତଲା ଦିଆଯିବ । ଅନୁଷ୍ଠାନକୁ ସମ୍ପୂର୍ଣ୍ଣ ବନ୍ଦ କରାଯିବ । ଘରକୁ ସିଜ୍‌ କରାଯିବ । କୌଣସି ସରକାରୀ ଅନୁଦାନ ଦିଆଯିବ ନାହିଁ । ଘଟଣାର ତଦନ୍ତ ଜାରି ରହିଛି । ସମ୍ବଲପୁର ଏସଡିପିଓ ତୋଫାନ୍‌ ବାଗ୍‌ କହିଛନ୍ତି, ଏତଲା ହୋଇ ନ ଥିବାରୁ କାହାକୁ ଅଟକ କିମ୍ବା ଗିରଫ କରାଯାଇ ନାହିଁ ।

Comments
Loading...