୧୧ କେଭି ବିଦ୍ୟୁତ ତାରରେ ଲାଗି ପ୍ରୋଢ ବ୍ୟକ୍ତିଙ୍କ ମୃତ ଘଟଣା: ସହାୟତାର ହାତ ବଢାଇଲେ ଯୁବ ଯାଦବ ମହାସଭା

କୋଶଲ ନ୍ୟୁଜ୍ ବ୍ୟୁରୋ : ଲାଞ୍ଜିଗଡ: ବେଦାନ୍ତ ମେଡ଼ିକାଲ ସମ୍ମୁଖରେ ଥିବା ୧୧ କେଭି ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ବଳଭଦ୍ରପୁର ଗାଁର ଚକ୍ର ଚଣ୍ଡୀ(୫୦)ଙ୍କ ମୃତ୍ୟୁ ହୋଇଥିଲା। ଏହି ଘଟଣା ପରେ ମୃତକଙ୍କ ପରିବାରକୁ ସହାୟତାର ହାତ ବଢାଇଛି କଳାହାଣ୍ଡି ଜିଲ୍ଲା ଯୁବ ଯାଦବ ମହାସଭା। ଶୁକ୍ରବାର ଦିନ ଜିଲ୍ଲା ଯୁବ ଯାଦବ ମହାସଭା ସଭାପତି ଗୋବିନ୍ଦ ବନଛୋରଙ୍କ ନେତୃତ୍ୱରେ ଏକ ପ୍ରତିନିଧି ମଣ୍ଡଳୀ ବଳଭଦ୍ରପୁର ଗାଁକୁ ଯାଇ ମୃତ ଚକ୍ର ଚଣ୍ଡିଙ୍କ ବିଧବା ପତ୍ନୀ ପଞ୍ଚମୀ ଚଣ୍ଡି
ଏବଂ ତାଙ୍କର ଦୁଇ ପୁଅ ଝିଅ ସୁଜନ (୧୪) ଓ ମହେଶ୍ୱର (୧୧)ଙ୍କୁ ଭେଟି ସମବେଦନା ଜଣାଇବା ସହ କିଛି ଆର୍ଥିକ ସହାୟତା ଏବଂ ରାସନ ସାମଗ୍ରୀ ଯୋଗାଇ ଦେଇଥିଲେ। ଏହି ଅସହାୟ ପରିବାରକୁ ସହାୟତା ପ୍ରଦାନ ସମୟରେ କଳାହାଣ୍ଡି ଜିଲ୍ଲା ଯାଦବ ମହାସଭା ସଂପାଦକ ସଞ୍ଜୟ ଧଙ୍ଗଡାମାଝୀ, ଲାଞ୍ଜିଗଡ଼ ବ୍ଲକ ଯାଦବ ସମିତି ସଭାପତି ରଘୁବୀର ନାଗ, ବ୍ଲକ କୋଷାଧ୍ୟକ୍ଷ ଲକ୍ଷ୍ମୀ ଚଣ୍ଡି, କଳାହାଣ୍ଡି ଜିଲ୍ଲା ଯୁବ ଯାଦବ ମହାସଭା ଉପସଭାପତି ସୁନୀଲ କୁମାର ଧଙ୍ଗଡାମାଝୀ, ସହ ସଂପାଦକ ଇଶ୍ବର ବଗର୍ତ୍ତି, ଲାଞ୍ଜିଗଡ଼ ବ୍ଲକ ଯୁବ ଯାଦବ ମହାସଭା ସଭାପତି ଡିଲେଶ କୁମାର ନାଗ ପ୍ରମୂଖ ଉପସ୍ଥିତ ଥିଲେ।

ଏଠାରେ ସୂଚନାଯୋଗ୍ୟ ଯେ, ଲାଞ୍ଜିଗଡ଼ ଥାନା ବଳଭଦ୍ରପୁର ଗାଁର ଚକ୍ର ଚଣ୍ଡି ୧୧ ଫେବୃଆରୀ ଅପରାହ୍ନରେ ନିଜ ସାଇକେଲରେ ଲାଞ୍ଜିଗଡ ଆସି ଘରକୁ ଫେରୁଥିଲେ। ସନ୍ଧ୍ୟା ୬ଟା ସମୟରେ ଜଗନ୍ନାଥପୁର ଗ୍ରାମ ନିକଟସ୍ଥ ବେଦାନ୍ତ ମେଡ଼ିକାଲ ସମ୍ମୁଖରେ ଥିବା ଏକ ଡିମିରି ଗଛକୁ ଛେଳି ପାଇଁ ଡାଳ କାଟିବାକୁ ଚଢ଼ିଥିଲେ। ଗଛ ଡାଳ ମଧ୍ୟ ଦେଇ ଯାଇଥିବା ୧୧ କେଭି ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ତାଙ୍କ ମୃତ୍ୟୁ ହୋଇଥିଲା।

 ବିଦ୍ୟୁତ ବିଭାଗର ଖାମଖିଆଲି ଗୁଣ ଯୋଗୁଁ ଏକ ଅମୁଲ୍ୟ ଜୀବନ ଚାଲି ଯାଇଥିବାରୁ ଗ୍ରାମବାସୀ କ୍ଷତିପୂରଣ ପାଇଁ ଅଡି ବସିଥିଲେ। ତେଣୁ ଦିର୍ଘ ୧୬ଘଣ୍ଟା ପରେ ଶବକୁ ଗଛରୁ ଓହ୍ଲାଯାଇଥିଲା। ମୃତ ଚକ୍ର ଚଣ୍ଡିପରିବାରର ଏକମାତ୍ର ରୋଜଗାରକ୍ଷମ ବ୍ୟକ୍ତି ଥିବାରୁ ତାଙ୍କୁ ପରିବାର ବର୍ତ୍ତମାନ ଅସହାୟ ହୋଇ ପଡିଛନ୍ତି। ତେଣୁ ଏହି ପରିବାରକୁ ତୁରନ୍ତ ସରକାରୀ ସହାୟତା ଯୋଗାଇ ଦେବାପାଇଁ କଳାହାଣ୍ଡି ଜିଲ୍ଲା ଯୁବ ଯାଦବ ମହାସଭା ପକ୍ଷରୁ ଦାବି ହୋଇଛି।

Comments
Loading...