ନୂଆଦିଲ୍ଲୀ: ଗତ ୪ ଦିନ ହେବ ତାପମାତ୍ରା ୪୯.୧ ଡିଗ୍ରି ରହିବା ଯୋଗୁଁ କାନାଡାରେ ୨୦୦ରୁ ଅଧିକ ଲୋକଙ୍କର ମୃତ୍ୟୁ ଘଟିଛି। ଉତ୍ତପ୍ତ ପରିସ୍ଥିତି ସହ ଝାଞ୍ଜି ପ୍ରବାହ ହେତୁ ଭାଙ୍କୋଭର୍ରେ ଏତେ ସଂଖ୍ୟକ ଲୋକଙ୍କର ମୃତ୍ୟୁ ଘଟିଥିବା ଜଣାପଡ଼ିଛି। ଏଭଳି ଗ୍ରୀଷ୍ମପ୍ରବାହ ଯୁକ୍ତରାଷ୍ଟ୍ର ଆମେରିକାର ଭୂମଧ୍ୟ ସାଗରୀୟ ଉତ୍ତରପଶ୍ଚିମ ପର୍ଯ୍ୟନ୍ତ ବ୍ୟାପିଯାଇଛି।
ଶୁକ୍ରବାରରୁ ସୋମବାର ଭିତରେ ବ୍ରିଟିସ୍ କଲମ୍ବିଆର ଏହି ପଶ୍ଚିମ ଉପକୂଳବର୍ତ୍ତୀ ପ୍ରଦେଶରେ ଅନ୍ୟୂନ ୨୩୩ଜଣ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଥିବା କଥା ସରକାରୀ ଅଧିକାରୀମାନେ ସମ୍ବାଦ ସରବରାହ ସଂସ୍ଥାନ ‘ରଏଟର୍ସ’କୁ ସୂଚନା ଦେଇଛନ୍ତି। ଆହୁରି ମଧ୍ୟ ମୃତ୍ୟୁସଂଖ୍ୟା ବଢ଼ିବାର ଅଛି ବୋଲି ସେମାନେ କହିଛନ୍ତି।ତେଣୁ, ‘ଏନ୍ଭାଇରୋନ୍ମେଣ୍ଟ୍ କାନାଡ଼ା’ ବ୍ରିଟିସ୍ କଲମ୍ବିଆ, ଆଲ୍ବର୍ଟା ଏବଂ ସାସ୍କାଟ୍ଚେୱାନ୍, ମନିତୋବା, ୟୁକୋନ୍ ଏବଂ ଉତ୍ତରପଶ୍ଚିମ ଅଞ୍ଚଳରେ ଏ ସପ୍ତାହ ଅନବରତ ବିପଜ୍ଜନକ ରେକର୍ଡ ସୃଷ୍ଟିକାରୀ ଗ୍ରୀଷ୍ମ ପ୍ରବାହ ଲାଗି ରହିବ ବୋଲି ସତର୍କ ସୂଚନା ଜାରି କରିଛି।
ପୂର୍ବରୁ କାନଡାରେ କେଭେ ଏତେ ଉତ୍ତପ୍ତ ଗ୍ରୀଷ୍ମପ୍ରବାହ ହୋଇ ନ ଥିଲା। ଝାଞ୍ଜି ପ୍ରବାହ ଯୋଗୁଁ ଭାଙ୍କୋଭର୍ ଅଞ୍ଚଳରେ ସ୍କୁଲ୍ ବନ୍ଦ ରହିବା ସହ କୋଭିଡ୍-୧୯ ଟିକାକରଣ କେନ୍ଦ୍ର ସବୁ ମଧ୍ୟ ବନ୍ଦ ରହିଛି।
ପୁଲିସ କହିଛି, ଭାଙ୍କୋଭର୍ରେ ଏ ଭଳି ଗ୍ରୀଷ୍ମ ହୋଇ ନ ଥିଲା। ଏଥିଯୋଗୁଁ ବହୁସଂଖ୍ୟକ ଲୋକ ପ୍ରାଣ ହରାଇବା ଦୁଃଖର ବିଷୟ।
